26.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶଇନ୍ଦୋର, ସୁରତକୁ ସ୍ମାର୍ଟସିଟି ପୁରସ୍କାର, ରାଜ୍ୟ ମଧ୍ୟରେ ଉତ୍ତରପ୍ରଦେଶ ପ୍ରଥମ

ଇନ୍ଦୋର, ସୁରତକୁ ସ୍ମାର୍ଟସିଟି ପୁରସ୍କାର, ରାଜ୍ୟ ମଧ୍ୟରେ ଉତ୍ତରପ୍ରଦେଶ ପ୍ରଥମ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସ୍ମାର୍ଟ ସିଟି ପରିଯୋଜନାକୁ ଲାଗୁ କରିବା କ୍ଷେତ୍ରରେ ଉତ୍ତରପ୍ରଦେଶ ପ୍ରଥମ ସ୍ଥାନ ହାସଲ କରିଛି । କେନ୍ଦ୍ର ସହରୀ ବିକାଶ ମନ୍ତ୍ରଣାଳୟର ଇଣ୍ଡିଆ ସ୍ମାର୍ଟ ସିଟିଜ୍ ପ୍ରତିଯୋଗିତାରେ ୟୁପିକୁ ପ୍ରଥମ ସ୍ଥାନ ମିଳିଥିବା ବେଳେ ମଧ୍ୟପ୍ରଦେଶ ଓ ତାମିଲନାଡ଼ୁ ୨ୟ ଓ ୩ୟ ସ୍ଥାନରେ ରହିଛି । ସେହିପରି କେନ୍ଦ୍ରଶାସିତ ପ୍ରଦେଶ ମଧ୍ୟରେ ଚଣ୍ଡିଗଡ଼ ପ୍ରଥମ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଇନ୍ଦୋର ଓ ସୁରତ ସର୍ବଶ୍ରେଷ୍ଠ ସ୍ମାର୍ଟସିଟି ରୂପେ ପୁରସ୍କୃତ ହୋଇଛନ୍ତି । ଓଭର୍‌ଅଲ୍ ପ୍ରଦର୍ଶନରେ ଇନ୍ଦୋର ଓ ସୁରତ ୧୦୦ ସ୍ମାର୍ଟସିଟି ମଧ୍ୟରେ ଯୁଗ୍ମଭାବେ ଶୀର୍ଷ ସ୍ଥାନରେ ରହିଛନ୍ତି । ସ୍ମାର୍ଟସିଟି ମିଶନ୍‌, ଅମୃତ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନାର ୬ବର୍ଷ ପୂର୍ତ୍ତି ଅବସରରେ ଶୁକ୍ରବାର ଏହି ପୁରସ୍କାରର ଘୋଷଣା କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୫ ଜୁନ୍ ୨୫ ତାରିଖରେ ଏହି ସମସ୍ତ ଯୋଜନାର ଶୁଭାରମ୍ଭ କରିଥିଲେ । ଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟଙ୍କୁ ଏହି ପୁରସ୍କାରରେ ସାମିଲ କରାଯାଇଥିବା ବେଳେ ଓଭର୍‌ଅଲ୍ ପ୍ରଦର୍ଶନ ସହ ସ୍ମାର୍ଟସିଟି ବିକାଶରେ ସକ୍ରିୟ ଭୂମିକା ପାଇଁ ୟୁପି ପ୍ରଥମ ପୁରସ୍କାର ହାତେଇଛି । ୟୁପି ନିଜ ଉଦ୍ୟମରେ ରାଜ୍ୟରେ ୭ଟି ଅଧିକ ସହରକୁ ସ୍ମାର୍ଟସିଟି ଭାବେ ବିକଶିତ କରିଛି । ଏଗୁଡ଼ିକ ହେଉଛି ମିରଟ, ଗାଜିଆବାଦ, ଅଯୋଧ୍ୟା, ଫିରୋଜାବାଦ, ଗୋରଖପୁର, ମଥୁରା, ବୃନ୍ଦାବନ ଓ ସାହରନ୍‌ପୁର । ଗଭର୍ଣ୍ଣାନ୍ସ, କଲ୍‌ଚର୍‌, ସହରର ପରିବେଶ, ସାନିଟେସନ୍‌, ଅର୍ଥ ବ୍ୟବସ୍ଥା, ପାନୀୟଜଳ, ପରିବହନକୁ ଆଧାର କରି ରାଜ୍ୟ ଏବଂ ସହରଗିଡ଼ିକୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଥାଏ । ତେବେ ଚଳିତବର୍ଷ ଏଥିରେ କେତେକ ଅନ୍ୟ କାଟାଗୋରୀକୁ ସ୍ଥାୟୀ ବିଜନେସ୍ ମଡେଲ୍ ଭାବେ ଯୋଡ଼ା ଯାଇଥିଲା । ଏହା ମଧ୍ୟରେ କରୋନା ପ୍ରବନ୍ଧନ ଅନ୍ୟତମ ।

ସହରୀ ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏହି ପୁରସ୍କାର ଘୋଷଣା କରିଥିଲେ । ସୂଚନାଯୋଗ୍ୟ, ୨୦୧୮ରୁ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି । ସହରଗୁଡ଼ିକର ବ୍ୟବସ୍ଥାରେ ସୁଧାର ପାଇଁ ସେମାନଙ୍କ ପକ୍ଷରୁ କ’ଣ କ ‘ଣ ନୂଆ ପ୍ରୟୋଗ କରାଯାଇଛି, ଏହା ଜଣାଇବା ପାଇଁ ଇଣ୍ଡିଆ ସ୍ମାର୍ଟ ସିଟିଜ୍ ଆୱାର୍ଡ କଣ୍ଟେଷ୍ଟ ମାଧ୍ୟମରେ ସହରଗୁଡ଼ିକୁ ସୁଯୋଗ ମିଳିଥାଏ ବୋଲି ଶ୍ରୀ ପୁରୀ କହିଥିଲେ ।
ଚଳିତବର୍ଷ କରୋନା କଣ୍ଟ୍ରୋଲ୍ ସେଣ୍ଟରକୁ ମଧ୍ୟ ଆଧାର ରୂପେ ଗ୍ରହଣ କରାଯାଇଥିଲା । ଏହା ବ୍ୟତୀତ ଇଣ୍ଟେଲିଜେନ୍ସ ଟ୍ରାଫିକ୍ ମ୍ୟାନେଜମେଣ୍ଟ, ଅର୍ବାନ୍ ଏନ୍‌ଭାରନ୍‌ମେଣ୍ଟ, ସ୍ମାର୍ଟ ୱାଟର୍ ମ୍ୟାନେଜମେଣ୍ଟ, ୱେଷ୍ଟ ଟୁ ଏନର୍ଜି ଜେନେରେସନ୍ ଏବଂ ଅନ୍ୟ କେତେକ ମାନକକୁ ମଧ୍ୟ ସାମିଲ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking