30.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଭାରତରେ ୨୩ ଦେଶର ଇଏମ୍‌ବିର ୭୫ ପ୍ରତିନିଧି; ବିଶ୍ୱର ସର୍ବବୃହତ୍ ନିର୍ବାଚନର ସାଜିବେ ମୂକସାକ୍ଷୀ

ଭାରତରେ ୨୩ ଦେଶର ଇଏମ୍‌ବିର ୭୫ ପ୍ରତିନିଧି; ବିଶ୍ୱର ସର୍ବବୃହତ୍ ନିର୍ବାଚନର ସାଜିବେ ମୂକସାକ୍ଷୀ

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ‘ଭାରତ’ରେ ପ୍ରତି ୫ ବର୍ଷ ଅନ୍ତରାଳରେ ଅନୁଷ୍ଠିତ ହେଉଥିବା ସାଧାରଣ ନିର୍ବାଚନ (ଲୋକସଭା ନିର୍ବାଚନ) ମଧ୍ୟ ବେଶ୍ ବଡ଼ ଆକାରରେ ହୋଇଥାଏ । ସମୟକ୍ରମେ ଏହା ଦିନକୁ ଦିନ ବ୍ୟାପକ ରୂପ ଧାରଣ କରିବାରେ ଲାଗିଛି । ତେବେ ଏସବୁ ମଧ୍ୟରେ ଶନିବାର କେନ୍ଦ୍ର ନିର୍ବାଚନ ଆୟୋଗ ପକ୍ଷରୁ ଏକ ବଡ଼ ସୂଚନା ଦିଆଯାଇଛି । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ସମ୍ପ୍ରତି ଭାରତରେ ଚାଲିଥିବା ଲୋକସଭା ନିର୍ବାଚନ ପ୍ରକ୍ରିୟାକୁ ଦେଖିବା ଏବଂ ଏହାକୁ ପାଖରୁ ଅନୁଧ୍ୟାନ କରିବା ଉଦ୍ଦେଶ୍ୟରେ ପ୍ରାୟ ୨୩ ଦେଶର ୭୫ ପ୍ରତିନିଧି ଭାରତ ଗସ୍ତରେ ଆସିଛନ୍ତି । ଏମାନଙ୍କ ମଧ୍ୟରେ ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ୍ ଫର୍ ଇଲେକ୍ଟୋରାଲ୍ ସିଷ୍ଟମ୍‌ସ (ଆଇଏଫ୍‌ଇଏସ୍‌)ର ସଦସ୍ୟ ଏବଂ ଭୁଟାନ୍ ଏବଂ ଇସ୍ରାଏଲ୍ ଭଳି ଦେଶରୁ ଗଣମାଧ୍ୟମ ପ୍ରତିନିଧି ଦଳ ମଧ୍ୟ ସାମିଲ ଅଛନ୍ତି ।
ନିର୍ବାଚନ ଆୟୋଗଙ୍କ ଅନୁସାରେ ଭାରତରେ ଅନୁଷ୍ଠିତ ହେଉଥିବା ସାଧାରଣ ନିର୍ବାଚନ ଆଳରେ ଗଣତାନ୍ତ୍ରିକ ଉତ୍କର୍ଷତାକୁ ପ୍ରତ୍ୟକ୍ଷ ଭାବେ ଦେଖିବା ଲାଗି ବିଶ୍ୱ ନିର୍ବାଚନ ପରିଚାଳନା ସଂସ୍ଥା (ଇଏମ୍‌ବି)ଗୁଡ଼ିକୁ ନିମନ୍ତ୍ରଣ କରାଯାଇଥିଲା । ସୁତରାଂ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିମନ୍ତ୍ରଣର ସମ୍ମାନ ରକ୍ଷା ପୂର୍ବକ ଇଏମ୍‌ବି ସମୂହ ଭାରତକୁ ସେମାନଙ୍କ ପ୍ରତିନିଧିଙ୍କୁ ପଠାଇଛନ୍ତି । ଏହା ଭାରତ ପାଇଁ ଏକ ବଡ଼ ଗୌରବର ବିଷୟ । ଚଳିତ ଲୋକସଭା ନିର୍ବାଚନ ୨୦୨୪ରେ ଭାରତୀୟ ନିର୍ବାଚନ ଆୟୋଗ ନିର୍ବାଚନୀ ଆଗନ୍ତୁକ କାର୍ଯ୍ୟକ୍ରମ ବା ଇଲେକ୍ସନ ଭିଜିଟର୍ସ ପ୍ରୋଗ୍ରାମ୍ (ଆଇଇଭିପି) ଆୟୋଜନ କରି ଅନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହିତ କରିବା ଜାରି ରଖିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି । ଏପ୍ରକାର କାର୍ଯ୍ୟକ୍ରମ ମାଧ୍ୟମରେ ଭାରତର ନିର୍ବାଚନ ଆୟୋଗ, ନିର୍ବାଚନୀ ସ୍ୱଚ୍ଛତାର ପ୍ରତୀକ ଭାବେ ସର୍ବୋଚ୍ଚମାନର ସାଧାରଣ ନିର୍ବାଚନ ଆୟୋଜନ ପାଇଁ ନିଜର ପ୍ରତିବଦ୍ଧତାର ଉଦାହରଣ ସୃଷ୍ଟି କରିଛନ୍ତି । ପ୍ରକାଶ, ଅନ୍ତର୍ଜାତୀୟସ୍ତରୀୟ ପ୍ରତିନିଧିଙ୍କ ଅଂଶଗ୍ରହଣର ବ୍ୟାପକତା ଏବଂ ପରିମାଣ ଦୃଷ୍ଟିରୁ ଏଭଳି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଭାରତରେ ଆୟୋଜନ କରାଯାଇଛି ବୋଲି ନିର୍ବାଚନ ଆୟୋଗ ଦର୍ଶାଇଛନ୍ତି ।
ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତି ଅନୁସାରେ ଭୁଟାନ୍‌, ମଙ୍ଗୋଲିଆ, ଅଷ୍ଟ୍ରେଲିଆ, ମାଡାଗାସ୍କର, ଫିଜି, କିର୍ଗିଜ ରିପବ୍ଲିକ୍‌, ରୁଷ୍‌, ମୋଲଡୋଭା, ଟ୍ୟୁନିସିଆ, ସିଚେଲ୍ସ, କମ୍ବୋଡିଆ, ନେପାଳ, ଫିଲିପାଇନ୍ସ, ଶ୍ରୀଲଙ୍କା, ଜିମ୍ବାୱେ, ବାଂଲାଦେଶ, କାଜାକ୍‌ସ୍ତାନ, ଜର୍ଜିଆ, ଚିଲି, ଉଜ୍‌ବେକିସ୍ତାନ, ମାଳଦ୍ୱୀପ, ପାପୁଆ ନ୍ୟୁ ଗିନି ଏବଂ ନାମ୍ବିଆ ଭଳି ୨୩ଟି ଦେଶର ବିଭିନ୍ନ ଇଏମ୍‌ବି ଏବଂ ନିର୍ବାଚନ ସଂଗଠନର ପ୍ରତିନିଧିତ୍ୱ କରୁଥିବା ୭୫ଜଣ ପ୍ରତିନିଧି ବିଶ୍ୱର ସର୍ବବୃହତ୍ ନିର୍ବାଚନୀ କାର୍ଯ୍ୟକ୍ରମ ଭାରତୀୟ ସାଧାରଣ ନିର୍ବାଚନରେ ଅଂଶଗ୍ରହଣ କରିବେ । ମେ’ ୪ ତାରିଖ ଶନିବାରଠାରୁ ଆରମ୍ଭ ହେଉଥିବା ଥିବା ଏହି କାର୍ଯ୍ୟକ୍ରମରେ ବିଦେଶୀ ନିର୍ବାଚନ ପରିଚାଳନା ସଂସ୍ଥା (ଇଏମବି)ଗୁଡ଼ିକୁ ଭାରତର ନିର୍ବାଚନ ବ୍ୟବସ୍ଥାର ସୂକ୍ଷ୍ମତା ଏବଂ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଦ୍ୱାରା ବ୍ୟବହୃତ ସର୍ବୋତ୍ତମ ପ୍ରଥା ବିଷୟରେ ଅବଗତ କରାଇବାକୁ ପ୍ରୟାସ କରାଯାଉଛି ।
ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର, ୨ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଏବଂ ଡ. ସୁଖବୀର ସିଂ ସାନ୍ଧୁ ମିଳିତ ଭାବେ ଆସନ୍ତା କାଲି ଏହି ଅନ୍ତର୍ଜାତୀୟ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରିବେ । ଏହାପରେ ପ୍ରତିନିଧିମାନେ ୬ଟି ରାଜ୍ୟ ମହାରାଷ୍ଟ୍ର, ଗୋଆ, ଗୁଜୁରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ଗସ୍ତ କରି ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଓ ଆନୁସଙ୍ଗିକ ପ୍ରସ୍ତୁତି ଅନୁଧ୍ୟାନ କରିବେ । ଏହି କାର୍ଯ୍ୟକ୍ରମ ୨୦୨୪ ମେ’ ୯ ତାରିଖରେ ଶେଷ ହେବ । ସୂଚନାଯୋଗ୍ୟ, ୨୦୧୯ ଭଳି ଚଳିତ ଥର ମଧ୍ୟ ଭାରତରେ ୭ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ଏଥିମଧ୍ୟରୁ ଗତ ୧୯ ଏପ୍ରିଲ୍‌ରେ ପ୍ରଥମ ପର୍ଯ୍ୟାୟ ଏବଂ ୨୬ ଏପ୍ରିଲ୍‌ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହୋଇସାରିଛି । ତେବେ ବାକି ୫ ପର୍ଯ୍ୟାୟ ନିର୍ବାଚନ ଜୁନ୍ ୧ ତାରିଖ ସୁଦ୍ଧା ସମ୍ପନ୍ନ ହେବ ଏବଂ ଜୁନ୍ ୪ ରେ ଫଳାଫଳ ଘୋଷଣା କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking