28.1 C
Bhubaneswar
Saturday, April 27, 2024
Homeଟୁରିଜିମ୍ରାଉରକେଲାର ବିଭିନ୍ନ ଦର୍ଶନୀୟ ସ୍ଥାନ ମଧ୍ୟରେ ହନୁମାନ ବାଟିକା ଅନ୍ୟତମ...

ରାଉରକେଲାର ବିଭିନ୍ନ ଦର୍ଶନୀୟ ସ୍ଥାନ ମଧ୍ୟରେ ହନୁମାନ ବାଟିକା ଅନ୍ୟତମ…

ମିନି ଇଣ୍ଡିଆ ଷ୍ଟିଲ୍ ପ୍ଲାଣ୍ଟ ଭାବେ ପରିଚିତ ଇସ୍ପାତ ନଗରୀ ରାଉରକେଲା। ଏଠାରେ ରହିଛି ଷ୍ଟିଲ୍ ଫ୍ଲାଣ୍ଟ୍, ଅନେକ ଶିକ୍ଷାନୁଷ୍ଠାନ ଓ ଦେବାଳୟ। ପୁଣି ସହରରେ ରହିଛି କେତୋଟି ଛୋଟ ବଡ଼ ପାର୍କ । ରାଉରକେଲାରେ ଏଠାରେ ସ୍ପାତ କାରଖାନା ଗଢ଼ି ଉଠିଥିବାରୁ ଦେଶର ବିଭିନ୍ନ କୋଣ ଅନୁକୋଣରୁ ଲୋକେ ଆସି ଏହି ସହରରେ ବସବାସ କରୁଛନ୍ତି। ତେଣୁ ରାଉରକେଲାକୁ ମିନି ଇଣ୍ଡିଆ ମଧ୍ୟ କୁହାଯାଏ। ରାଜ୍ୟ ପର‌୍ୟ୍ୟଟନ ମାନଚିତ୍ରରେ ରାଉରକେଲାରେ ସ୍ଥାନ ସ୍ୱତନ୍ତ୍ର। ରାଉରକେଲା ସହର ସମେତ ଏହାର ଆଖପାଖରେ ବହୁ ପର‌୍ୟ୍ୟଟନ ପୀଠ ରହିଛି। ତେଣୁ ପ୍ରତିଦିନ ଏହି ସହରରେ ବିଭିନ୍ନ ପର‌୍ୟ୍ୟଟନସ୍ଥଳୀ ଦର୍ଶନ ପାଇଁ ଶହଶହ ସଂଖ୍ୟାରେ ପର‌୍ୟ୍ୟଟକଙ୍କ ଭିଡ଼ ଜମେ।
ହନୁମାନ ବାଟିକା : ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟଙ୍କ ଦ୍ୱାରା ୧୯୯୪ ମସିହାରେ ଉଦଘାଟିତ ହନୁମାନ ବାଟିକା ରାଉରରକେଲାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ । ଏଠାରେ ଥିବା ୭୫ ଫୁଟ୍ ଉଚ୍ଚର ହନୁମାନ ମୂର୍ତ୍ତି ଅନନ୍ୟ ଆକର୍ଷଣ। ଏହା ହେଉଛି ଏସିଆର ସବୁଠାରୁ ବଡ଼ ହନୁମାନ ମୂର୍ତ୍ତି। ଯାହାକୁ ଦେଖିବାକୁ ବହୁ ଦୂରଦୂରାନ୍ତରୁ ପର‌୍ୟ୍ୟଟକମାନେ ଧାଇଁ ଆସିଥାନ୍ତି ଷ୍ଟିଲ୍ ସିଟି ରାଉରକେଲାକୁ। ହନୁମାନ ବାଟିକାରେ ଥିବା ଏହି ବିରଳ ହନୁମାନକୁ ମୂର୍ତ୍ତିକୁ ଲକ୍ଷ୍ମଣ ସ୍ୱାମୀ ନିର୍ମାଣ କରିଥିଲେ। ହନୁମାନ ବାଟିକାର ମନୋରମ ଶୋଭା ପର‌୍ୟ୍ୟଟକଙ୍କୁ ଆକର୍ଷିତ କରେ। ହନୁମାନ ବାଟିକା ପରିସରରେ ଆହୁରି ଅନେକ ଦେବଦେବୀ ପୂଜା ପାଆନ୍ତି। ଦେବୀ ମହାଲକ୍ଷ୍ମୀ, ଜଗନ୍ନାଥ, ରାଧାକୃଷ୍ଣ, ଭଗବାନ ସୋମନାଥ, ମା’ ସନ୍ତୋଷୀ ଆଦି ଦେବଦେବୀ ନିତ୍ୟ ପୂଜା ପାଉଛନ୍ତି ହନୁମାନ ବାଟିକା ପରିସରରେ। ଦେବଦେବୀଙ୍କ ଦର୍ଶନ ସହିତ ଏହି ପରିବେଶରେ ଶୋଭା ଭକ୍ତ ଓ ପର‌୍ୟ୍ୟଟକଙ୍କୁ ମନ୍ତ୍ରମୁଗ୍ଧ କରେ।
ଇନ୍ଦିରା ଗାନ୍ଧୀ ପାର୍କ : ରାଉରକେଲାର ସହରର ମଧ୍ୟ ଭାଗରେ ଅବସ୍ଥିତ ସୌନ୍ଦର‌୍ୟ୍ୟମୟୀ ଇନ୍ଦିରା ଗାନ୍ଧୀ ପାର୍କ। ଅବସର ବିନୋଦନ ପାଇଁ ଏକ ଉତ୍କୃଷ୍ଟ ସ୍ଥାନ ହେଉଛି ଏହି ପାର୍କ। ସହରବାସୀ ତଥା ବାହାରୁ ଆସୁଥିବା ପର‌୍ୟ୍ୟଟକଙ୍କ ମନୋହରଣ କରିଥାଏ ଇନ୍ଦିରା ଗାନ୍ଧୀ ପାର୍କ। ବିଭିନ୍ନ କିସମର ଗଛ, ବହୁ ପ୍ରକାର ଫୁଲ, ଘାସଲତାରେ ପରିପୂର୍ଣ୍ଣ ଏହି ପାର୍କ। ରଙ୍ଗବେରଙ୍ଗ ଫୁଲ ଉପରେ ପ୍ରଜାପତି ବସିଥିବା ଦୃଶ୍ୟ ଅତ୍ୟନ୍ତ ଆରର୍ଷଣୀୟ। ପାର୍କ ଭିତରକୁ ପ୍ରବେଶ କଲେ ଲାଗେ ସତେ ଯେମିକି ପ୍ରକୃତିରାଣୀ ନିଜର ଅପରୂପ ସୌନ୍ଦର‌୍ୟ୍ୟରେ ସଜେଇ ହୋଇ ଓହ୍ଲେଇଛି ଇନ୍ଦିରା ଗାନ୍ଧୀ ପାର୍କକୁ। କୃତ୍ରିମ ହେଲେ ହେଁ ଏଠାକାର ପ୍ରାକୃତିକ ପରିବେଶ ଅତ୍ୟନ୍ତ ମନୋରମ। ପୁଣି ଉଜ୍ଜ୍ୱଳ ଆଲୋକମାଳାରେ ସୁସଜ୍ଜିତ ଏହି ପାର୍କ। ପ୍ରତିଦିନ ସନ୍ଧ୍ୟା ସମୟରେ ଏହି ପାର୍କରେ ପ୍ରବଳ ଭିଡ଼ ହୁଏ। ଦର୍ଶକଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ଇନ୍ଦିରାଗାନ୍ଧୀ ପାର୍କ ଭିତରେ ମ୍ୟୁଜିକ୍ ଫାଉଣ୍ଟେଟ୍ର ବ୍ୟବସ୍ଥା କରାଯାଇଛି। ଏହାର ଭରପୂର ମଜା ଉଠାନ୍ତି ଏଠାକୁ ବୁଲିବାକୁ ଆସୁଥିବା ପର‌୍ୟ୍ୟଟକମାନେ। ସେହିପରି ଛୋଟଛୋଟ ପିଲାମାନଙ୍କ ପାଇଁ ପାର୍କ ଭିତରେ ଦୋଳି, ଟ୍ରୟ ଟ୍ରେନ୍ ମଧ୍ୟ ରହିଛି। ତେଣୁ ଛୋଟଛୋଟ ପୁଅଝିଅ ପାର୍କରେ ପାଦଦେବା ମାତ୍ରେ ଆନନ୍ଦରେ ନାଚି ଉଠନ୍ତି। କେବଳ ଉଦ୍ୟାନର ପ୍ରାକୃତିକ ଶୋଭା ନୁହେଁ, ଏଠାରେ ରହିଛି ଏକ ଚିଡ଼ିଆଖାନା। ଏହି ଚିଡ଼ିଆଖାନାରେ ବାଘ, ଭାଲୁ, ହରିଣ,କୁଟୁରା, ସମ୍ୱର, ମୟୂର ଆଦି ବିଭିନ୍ନ ପ୍ରଜାତିର ପଶୁପକ୍ଷୀ ରହିଛନ୍ତି।
ନେହେରୁ ପାର୍କ: ଇନ୍ଦିରା ଗାନ୍ଧୀ ପାର୍କ ଭଳି ରାଉରକେଲାରେ ରହିଛି ଆଉ ଏକ ସୁନ୍ଦର ପାର୍କ। ଏହି ପାର୍କ ନାଁ ହେଉଛି ନେହେରୁ ପାର୍କ। ନେହେରୁ ପାର୍କରେ ନାନା ପ୍ରକାର ଫୁଲ ଓ ଗଛ ରହିଛି। ନିଜର କର୍ମକ୍ଲାନ୍ତ ଜୀବନକୁ ଟିକିଏ ହାଲୁକା କରିବା ପାଇଁ ଏହି ପାର୍କକୁ ସହରର ବିଭିନ୍ନ ବର୍ଗର ଲୋକେ ଆସିଥାନ୍ତି। ଦର୍ଶକଙ୍କ ମନୋରଞ୍ଜନ ପାଇଁ ଏଠାରେ ବୋଟିଂ ବ୍ୟବସ୍ଥା କରାଯାଇଛି। ବୋଟିଂର ଭରପୂର ମଜା ନେଇଥାନ୍ତି ଦର୍ଶକମାନେ। ଶୀତ ଋତୁରେ ପିକ୍ନିକ୍ ପାଇଁ ଏଠାରେ ଭିଡ଼ ଜମେ।
ମା’ ବୈଷ୍ଣୋଦେବୀ : ପାହାଡ଼ ଉପରେ ଅବସ୍ଥିତ ମା’ ବୈଷ୍ଣୋଦେବୀ ମନ୍ଦିର। ଅତ୍ୟନ୍ତ ସୁନ୍ଦର ପରିବେଶ ଭିତରେ ପୂଜା ପାଉଛନ୍ତି ମା’ ବୈଷ୍ଣୋଦେବୀ। ୨୦୦୩ ମସିହାରେ ନିର୍ମିତ ହୋଇଛି ମା’ ବୈଷ୍ଣୋଦେବୀଙ୍କ ଏହି ସୁଦୃଶ୍ୟ ମନ୍ଦିର। ବୈଷ୍ଣୋଦେବୀଙ୍କ ସହିତ ଏହି ମନ୍ଦିରରେ ମା’ ସରସ୍ୱତୀ, ମା’ କାଳୀ, ମା’ ଲକ୍ଷ୍ମୀ ପୂଜା ପାଉଛନ୍ତି। ମନ୍ଦିର ପରିସରରେ ଥିବା ମା’ ଦୁର୍ଗାଙ୍କ ମନ୍ଦିର ଏକ ପ୍ରମୁଖ ଆକର୍ଷଣ କେନ୍ଦ୍ର। ପ୍ରତିଦିନ ବୈଷ୍ଣୋଦେବୀଙ୍କ ମନ୍ଦିରରେ ଭକ୍ତଙ୍କ ପୂଜା ପାଇଁ ପ୍ରବଳ ଭିଡ଼ ଲାଗି ରୁହେ। ଦୁର୍ଗା ପୂଜା ସମୟରେ ମନ୍ଦିରରେ ଧୁମ୍ଧାମ୍ରେ ନବରାତ୍ର ପୂଜାର ଆୟୋଜନ ହୋଇଥାଏ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking