28.1 C
Bhubaneswar
Saturday, April 27, 2024
Homeଓଡିଶାରାସ୍ତା ଖରାପ ଯୋଗୁଁ ଦବିଲା ଆମ୍ବୁଲାନ୍ସ : ଜଙ୍ଗଲରେ ପ୍ରସବ ହେଲା ଶିଶୁ କନ୍ୟା

ରାସ୍ତା ଖରାପ ଯୋଗୁଁ ଦବିଲା ଆମ୍ବୁଲାନ୍ସ : ଜଙ୍ଗଲରେ ପ୍ରସବ ହେଲା ଶିଶୁ କନ୍ୟା

ମାଲକାନଗିର : ରାସ୍ତା ଖରାପ ଯୋଗୁଁ ଦବିଲା ଆମ୍ବୁଲାନ୍ସ । ଫଳରେ ଆମ୍ବୁଲାନ୍ସ ଠିକ୍ ସମୟରେ ପ୍ରମୁଖ ସ୍ଥାନରେ ନପହଞ୍ôଚବାରୁ ଏକ ଜଙ୍ଗଲ ଭିତରେ ଜଣେ ଗର୍ଭବତୀ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍ ଅନ୍ତର୍ଗତ ଗୁପାଗୁଡ଼ା ଗ୍ରାମରେ ।
ସୂଚନା ଅନୁଯାୟୀ, ଏହି ଗାଁର ଲକ୍ଷ୍ମଣ ଗୋଲରୀଙ୍କ ଗର୍ଭବତୀ ପତ୍ନୀ କାଶନୀ ଗୋଲରୀ(୩୭)ଙ୍କ ପ୍ରସବ ବେଦନା ହେବାରୁ ୧୦୨ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ତେବେ ରାସ୍ତା ଖରାପ ଥିବାରୁ ଗ୍ରାମଠାରୁ ୪ କିଲୋମିଟର ଦୂରରେ ଆମ୍ବୁଲାନ୍ସ ଚକ ମାଟିରେ ଦବି ଯାଇଥିଲା । ତେବେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଆଶା କର୍ମୀ ଓ ସ୍ଥାନୀୟ ମହିଳାମାନେ ଗର୍ଭବତୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣୁଥିବା ବେଳେ ଗ୍ରାମଠାରୁ କିଛି ଦୂରରେ ଜଙ୍ଗଲିଆ ରାସ୍ତାରେ ମହିଳା ଜଣକ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ପରେ ସେଠାରୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହି ଆଣି ସେଠାରୁ ପ୍ରଥମେ ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ମାଲକାନଗିରି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ବର୍ତ୍ତମାନ ଉଭୟ ମା’ ଓ ଶିଶୁର ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।
ମାଲକାନଗିରି ଜିଲ୍ଲାରେ ଥମୁନି ଜନନୀ ଯନ୍ତ୍ରଣା । ଦିନକୁ ଦିନ ଏହି ଜନନୀ ଯନ୍ତ୍ରଣା ବଢୁଥିବା ବେଳେ ସରକାର ଏଥିପ୍ରତି ଆଦୌ ଦୃଷ୍ଟି ଦେଉନାହାନ୍ତି । କେଉଁଠି ଗର୍ଭବତୀଙ୍କ ଚିକିତ୍ସା କରିବା ପାଇଁ ଡାକ୍ତର ନାହାନ୍ତି ତ କେଉଁଠି ଆମ୍ବୁଲାନ୍ସ ଠିକ୍ ସମୟରେ ପହଞ୍ôଚ ପାରୁନି ତ ପୁଣି ଆଉ କେଉଁଠି ରାସ୍ତା ଖରାପ ଯୋଗୁ ଆମ୍ବୁଲାନ୍ସ ମଝି ବାଟରେ ଦବି ଯାଉଛି । ଫଳରେ କେହି ଗର୍ଭବତୀ ବାଟରେ ପ୍ରସବ କରୁଥିବା ବେଳେ ଆଉ କେହି ଜଙ୍ଗଲରେ ପ୍ରସବ କରୁଛନ୍ତି ତ ଆଉ କେହି ମୃତ୍ୟୁମୁଖକୁ ଠେଲି ହେଇଯାଉଛନ୍ତି । ଏଥିପ୍ରତି ନା ସରକାରଙ୍କ ଦୃଷ୍ଟି ଅଛି ନା ପ୍ରଶାସନ ଚିନ୍ତା । ପ୍ରତ୍ୟେକ ଦିନ ଏଭଳି ଘଟଣା ଘଟୁଥିବା ବେଳେ କେହି ଏଥିପ୍ରତି ଦୃଷ୍ଟି ନଦେବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ତେଣୁ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking