27.1 C
Bhubaneswar
Thursday, August 14, 2025
Homeଅପରାଧଭାଇକୁ ମରାଣନ୍ତକ ଆକ୍ରମଣ ଘଟଣା : ବାପ,ପୁଅଙ୍କୁ ୧୨ ବର୍ଷ ଜେଲ୍

ଭାଇକୁ ମରାଣନ୍ତକ ଆକ୍ରମଣ ଘଟଣା : ବାପ,ପୁଅଙ୍କୁ ୧୨ ବର୍ଷ ଜେଲ୍

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଜାମୁସାହି ଗ୍ରାମର ଜଣେ ବାପ ଓ ତାଙ୍କ ପୁଅଙ୍କୁ ବିଭିନ୍ନ ଦଫାରେ ୧୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ଏକ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି ନୟାଗଡ଼ ଜିଲ୍ଲା ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ମାନସ କୁମାର ପଣ୍ଡା । ସୂଚନାନୁସାରେ, ୨୦୧୫ ମସିହା ଜୁନ ୨୬ ତାରିଖ ପୂର୍ବାହ୍ଣରେ ଜାମୁସାହି ଗ୍ରାମର ବନମାଳୀ ଜେନା ନିଜ ଜମିରେ ହଳ କରାଉଥିଲେ । ଏହି ସମୟରେ ନିକଟରେ ଥିବା ତାଙ୍କର ଅନ୍ୟ ଏକ ବିଲରେ ଭାଇ ନକୁଳ ଜେନା ଏବଂ ତାଙ୍କ ପୁଅ ଅମୂଲ୍ୟ ଜେନା ବିଲ ହିଡ଼ ହାଣି ଘୁଞ୍ଚାଉଥିଲେ । ବନମାଳୀ ଏହାର ପ୍ରତିବାଦ କରିବାରୁ ନକୁଳ ଓ ଅମୂଲ୍ୟ ଏକ ଖଣ୍ଡାରେ ତାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ବନମାଳୀଙ୍କର ହାତ ଏବଂ ଛାତିରେ ଗଭୀର ଆଘାତ ଲାଗିଥିଲା । ଫଳରେ ସେ ବିଲରେ ଗୁରୁତର ଅବସ୍ଥାରେ ପଡ଼ି ଚିତ୍କାର କରୁଥିବାବେଳେ ପୁତୁରା ଅମୂଲ୍ୟ ଜେନା ଠେଙ୍ଗାରେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲା । ଫଳରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଯାଇଥିଲା । ଅନ୍ୟ ଜମିରେ କାମ କରୁଥିବା କିଛିଲୋକ ସେଠାରେ ପହଞ୍ଚ ବନମାଳୀଙ୍କୁ ଉଦ୍ଧାର କରି ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଚିକିତ୍ସା କରାଇଥିଲେ । ଖବରପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚ ବନମାଳୀଙ୍କ ଲିଖିତ ଏତଲା ଆଧାରରେ ଘଟଣାର ତଦନ୍ତ କରିଥିଲା । ଅନୁସନ୍ଧାନ ପରେ ପୁଲିସ ନକୁଳ ଜେନାଙ୍କୁ ଗିରଫ କରିଥିବାବେଳେ ଅମୂଲ୍ୟ ଉଚ୍ଚ ନ୍ୟାୟାଳୟର ଆଦେଶ ବଳରେ ଜାମିନ ପାଇଥିଲେ । ଏହି ଘଟଣାର ଅଭିଯୋଗ ଫର୍ଦ୍ଦ ପୁଲିସ କୋର୍ଟରେ ଦାଖଲା କରିବା ପରେ ଘଟଣାର ଗମ୍ଭୀରତା ଦୃଷ୍ଟିରୁ ଏହା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତକୁ ସ୍ଥାନାନ୍ତର ହୋଇଥିଲା । ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ, ତଦନ୍ତକାରୀ ଅଧିକାରୀଙ୍କ ବୟାନ ଏବଂ ପ୍ରତିପକ୍ଷ ଓ ସରକାରୀ ଓକିଲଙ୍କ ଯୁକ୍ତିଙ୍କୁ ତର୍ଜମା କରି ବିଚାରପତି ଆସାମୀ ନକୁଳ ଜେନା ଏବଂ ଅମୂଲ୍ୟ ଜେନାଙ୍କୁ ଦୋଷୀ ସାବ୍ୟସ୍ତ କରି ଉଭୟଙ୍କୁ ଭାରତୀୟ ପିଙ୍ଗଳ କୋଡ୍‌ର ଦଫା ୩୦୭ ଅନୁଯାୟୀ ୭ବର୍ଷ ସଶ୍ରମ କାରାଦଣ୍ଡାଦେଶ ଏବଂ ଏକ ହଜାର ଟଙ୍କା ଜୋରିମାନା, ଦଫା ୩୨୪ରେ ୨ବର୍ଷ ସଶ୍ରମ କାରାଦଣ୍ଡାଦେଶ, ଦଫା ୫୦୬ରେ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଥିବାବେଳେ ଏହାକୁ ଏକକାଳୀନ ଭୋଗ କରିବା ପାଇଁ ବିଚାରପତି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking