29.1 C
Bhubaneswar
Saturday, April 27, 2024
Homeଓଡିଶାଗାଁ’ଗାଁ’ରେ ବୁଲିବ ‘ରାଜସ୍ୱ ରଥ'; କରୋନା ମହାମାରୀ ପ୍ରଭାବ ଥିବା ଯାଏ ସେବା ଜାରି ରହିବ

ଗାଁ’ଗାଁ’ରେ ବୁଲିବ ‘ରାଜସ୍ୱ ରଥ’; କରୋନା ମହାମାରୀ ପ୍ରଭାବ ଥିବା ଯାଏ ସେବା ଜାରି ରହିବ

ଭୁବନେଶ୍ୱର : ମହାମାରୀ କରୋନା ସମୟରେ ଦୁଆର ମୁହଁରେ ରାଜସ୍ୱ ସେବା ଯୋଗାଇବା ଉଦେଶ୍ୟରେ ରାଜ୍ୟ ସରକାର ଗଡ଼ାଇଛନ୍ତି ‘ରାଜସ୍ୱ ରଥ’ । ଗାଁ ଗାଁରେ ବୁଲୁଛି ରଥ ଏବଂ ସାଧାରଣ ଲୋକଙ୍କୁ ଆଉ ଆରଆଇ କିମ୍ବା ତହସିଲ ଅଫିସ୍ ଦୌଡ଼ିବାକୁ ପଡ଼ୁନାହିଁ । ଗଞ୍ଜାମ ଜିଲ୍ଲାରେ ପରୀକ୍ଷା ମୂଳକଭାବେ ଚାଲିଥିବା ଏହି ଅଭିନବ ‘ରଥ’ ବେଶ ଲୋକପ୍ରିୟ ହେବା ପରେ ଝାରସୁଗୁଡା ଓ କେନ୍ଦ୍ରାପଡ଼ା ଭଳି ଆଉ ଦୁଇ ଜିଲ୍ଲାରେ ସଫଳତା ମିଳିଛି । ତେଣୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ବାକି ସବୁ ଜିଲ୍ଲାରେ ‘ରାଜସ୍ୱ ରଥ’ ଚଳାଇବା ପାଇଁ ନିଷ୍ପତ୍ତି ନେଇଛି । ଗୁରୁବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ୨୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ‘ରାଜସ୍ୱ ରଥ’ ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଓ କୋଭିଡ ମହାମାରୀ କାଳରେ ଲୋକଙ୍କୁ ନିଜ ଘରେ ରାଜସ୍ୱ ସେବା ଦେବାକୁ ଚିଠିରେ ଉଲ୍ଲେଖ କଯିଛନ୍ତି ।

ପୂର୍ବରୁ ଲୋକମାନେ ବିଭିନ୍ନ କାର୍ଯ୍ୟ ପାଇଁ ଆରଆଇ ଓ ତହସିଲ ଅଫିସ୍ ଯିବାକୁ ପଡ଼ୁଥିଲା। କରୋନା ସଂକ୍ରମଣ ଯୋଗୁଁ ଏଥିରେ ସମସ୍ୟା ଦେଖାଦେଇଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କରୋନା ବେଳେ ସାଧାରଣ ଲୋକଙ୍କ ଦୁଆରମୁହଁରେ ପହଞ୍ଚିବ ରାଜସ୍ୱ ସେବା । ଶ୍ରୀ ସେଠୀ କହିଥିଲେ, ରାଜସ୍ୱ ରଥ ମାଧ୍ୟମରେ ଜନସେବା ସହଜ ହୋଇଛି ଓ ଗଞ୍ଜାମ ଜିଲ୍ଲାରେ ସଫଳତା ମିଳିଛି । ସେହିପରି ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ତହସିଲରେ ଏହି ସେବା ଆରମ୍ଭ ହୋଇଛି । ଯେଉଁଠାରେ ବାରଙ୍ଗମାଲ ଗାଁର ହୀରାକୁଦ ଡ୍ୟାମ୍ ବିସ୍ଥାପିତ ଜମିର ସର୍ଭେ ଏବଂ ବନ୍ଦୋବସ୍ତ କାର୍ଯ୍ୟ କରାଯାଇଛି । ସୁନ୍ଦରଗଡ ଜିଲ୍ଲାରେ ବୀରମିତ୍ରପୁର ଓ ଲାଠିକଟା ତହସିଲରେ ରାଜସ୍ୱ ରଥ ଗଡ଼ିଛି । ତହସିଲ ପକ୍ଷରୁ ଜଙ୍ଗଲ ଅଧିକାର ଅଧିନିୟମ ଅନୁଯାୟୀ ୧୧ ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାର କେନ୍ଦ୍ରାପଡ଼ା ତହସିଲ, ଢେଙ୍କାନାଳ ଜିଲ୍ଲାର ଗଁଦିଆ ତହସିଲରେ ମଧ୍ୟ ପଟ୍ଟା ବଣ୍ଟନ କରାଯାଇଛି ।

ସେବା ବିତରଣର ଏହି ଅଭିନବ ଉପାୟ କୋଭିଡ-୧୯ ମହାମାରୀର ଲକ୍‌ଡାଉନ୍ କାଳରେ ଜନସାଧାରଣଙ୍କ ଦ୍ୱାରା ପ୍ରଶଂସିତ ହୋଇଛି । ବିଷ୍ଣୁପଦ କହିଥିଲେ, ଧାର୍ଯ୍ୟ ସମୟ ମଧ୍ୟରେ ନାଗରିକଙ୍କୁ ଜନସେବା ଯୋଗାଇବା ସରକାରଙ୍କ ପ୍ରଥମ କାମ । ଏହି ଲକ୍ଷ୍ୟ ହାସଲ କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ୫-ଟି କାର୍ଯ୍ୟ ଯୋଜନା ଅଧୀନରେ ଅନେକ ନାଗରିକ କୈନ୍ଦ୍ରିକ ପଦକ୍ଷେପ ଗ୍ରହଣ କରିଛି । ସରକାରୀ କାର୍ଯ୍ୟାଳୟ ସହିତ ଜନସାଧାରଣଙ୍କ ସାମ୍ନାସାମ୍ନି ଭାବ ବିନିମୟକୁ ହ୍ରାସ କରିବା ପାଇଁ ତହସିଲ କାର୍ଯ୍ୟାଳୟରେ ଦିଆଯାଇଥିବା ମ୍ୟୁଟେସନ୍ ଏବଂ ସାର୍ଟିଫିକେଟ୍ ସେବା ସଂପୂର୍ଣ୍ଣ ଅନ୍‌ଲାଇନ୍‌ରେ କରାଯାଇଛି ।

ସେଥିପାଇଁ ଘରେ କୌଣସି ଇଣ୍ଟରନେଟ୍ ସୁବିଧା ନଥିବା କିମ୍ବା ଡିଜିଟାଲ୍ ସାକ୍ଷରତା ଅଭାବ ଥିବା ବ୍ୟକ୍ତିମାନେ ସହାୟତା ପାଇଁ ରାଜସ୍ୱ କାର୍ଯ୍ୟାଳୟ କିମ୍ବା ‘ମୋ ସେବା କେନ୍ଦ୍ର’ ସହାୟତା ନେଉଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ଯୋଗୁଁ ତଥା ସରକାରୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ ରାଜସ୍ୱ କାର୍ଯ୍ୟାଳୟରେ ଜନସାଧାରଣଙ୍କ ପ୍ରବେଶକୁ ବନ୍ଦ କରିଦିଆଯାଇଛି । କୋଭିଡ ସ୍ଥିତି ନ ବଦଳିବା ଯାଏ ଏହି ସେବା ଜାରି ରହିବ ଓ ରାଜସ୍ୱ ବିଭାଗର କର୍ମଚାରୀମାନେ ତାଙ୍କ କାର୍ଯ୍ୟ ନିଷ୍ଠାର ସହ କରିବାକୁ ହେବ ବୋଲି ସଚିବ ଶ୍ରୀ ସେଠୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking