26.1 C
Bhubaneswar
Wednesday, May 8, 2024
Homeଓଡିଶାଝିଅର ଚିକିତ୍ସା ପାଇଁ ବାପାଙ୍କ ଆକୁଳ ନିବେଦନ

ଝିଅର ଚିକିତ୍ସା ପାଇଁ ବାପାଙ୍କ ଆକୁଳ ନିବେଦନ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍ ଆଗୁଳ ପଞ୍ଚାୟତ ଡୁମ୍ବାଲୁ ଗାଁ’ର ପୁରନ୍ଦର ଶ୍ରୀବାଡିକାଙ୍କ ବଡ଼ ଝିଅ ସାନ୍ତୋନିର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ଅନେକ ଚିକିତ୍ସା ପରେ ଝିଅ ଆରୋଗ୍ୟ ନହେବାରୁ ସ୍ଥାନୀୟ ଡାକ୍ତର କଟକ କିମ୍ବା ଭୁବନେଶ୍ୱର ଯାଇ ଶଲ୍ୟ ବିଶେଷଜ୍ଞଙ୍କୁ ଦେଖାଇବାକୁ ପରାମର୍ଶ ଦେଇଥିଲେ । ପୁରନ୍ଦରର ଅଭାବୀ ସଂସାରରେ ଝିଅକୁ ମିଶାଇ ଛଅ ପ୍ରାଣୀ କୁଟୁମ୍ବ ରୋଜଗାରିଆ କହିଲେ ସେ ନିଜେ ନିଜର ଅଳ୍ପ ଜମିରେ ଖଟିବା ସହ ପରଘରେ କୁଲି କରି ପରିବାର ଚଳାନ୍ତି । ବଡ଼ ଆଶା ନେଇ ଝିଅକୁ ଅମ୍ବାଦଳା ସେବାଶ୍ରମର ପାଠ ପଢ଼ାଇବା ପାଇଁ ନାଁ’ଲେଖାଇଥିଲା । ସ୍କୁଲରେ ପଢିବା ସମୟରେ ତା’ କାନ ପଛ ପଟେ ଗୋଟେ ଘାଆ ହେଲା । ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରାଥମିକ ଚିକିତ୍ସା କରାଇଥିଲେ ମଧ୍ୟ ଭଲ ନହେବାରୁ ଘରକୁ ପଠାଇଦେଲେ ।

ଗରିବ ବାପା ପୁରନ୍ଦର ଉପରେ ଆଉ ଦୁଇଟି ଶିଶୁ ପୁତ୍ର ଓ କନ୍ୟାର ଦାୟିତ୍ୱ । ଝିଅର ଅବସ୍ଥା ଖରାପ ଦେଖି ପୁରନ୍ଦର ସାନ୍ତୋନିକୁ ନେଇ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖାଇବାରୁ ସେମାନେ ବେସରକାରୀ ବିଷମକଟକ ଖ୍ରୀଷ୍ଟିୟାନ ହସ୍ପିଟାଲରେ ଦେଖାଇବାକୁ କହିଥିଲେ । ଘରେ ଥିବା ଛେଳିକୁ ବିକି ଓ ଧାର ଉଧାର କରି ଝିଅର ଆରୋଗ୍ୟ ପାଇଁ ଖ୍ରୀଷ୍ଟିୟାନ ହସ୍ପିଟାଲରେ ଚିକିତ୍ସା କରିଥିଲା । କିଛିଦିନ ପରେ ଘାଆ ଶୁଖିଗଲା । ଦୁଇଚାରି ମାସ ପରେ ପୁଣି ସେହି ସ୍ଥାନରେ ଘାଆ ଆରମ୍ଭ ହେଲା । ବଡ କଷ୍ଟରେ ଧାନ ବିକି କିଛି ଟଙ୍କା ଧରି ପୁରନ୍ଦର ବିଷମକଟକ ଯାଇ ଡାକ୍ତରଙ୍କୁ ଦେଖାଇବାରୁ ସେମାନେ ଉନ୍ନତ ଚିକିତ୍ସା ପାଇଁ ବଡ ହସ୍ପିଟାଲ କଟକ, ଭୁବନେଶ୍ୱର ଯିବାକୁ କହିଥିଲେ ।ତିନି ବର୍ଷ ବିତିଗଲାଣି ୟା’ମଧ୍ୟରେ ସାନ୍ତୋନିକୁ ୧୦ ବର୍ଷ ହୋଇ ଗଲାଣି ।

ଘାଆ ଶୁଖିବାର ନାଁ ନେଉନାହିଁ । ବାପା ପୁରନ୍ଦର ପାଖରେ ଅର୍ଥ ବି ନାହିଁ । ଭଗବାନ ଭରଷାରେ ଥିବା ଏହି ଗରିବ ପରିବାର ଆଜି ପ୍ରଶାସନର ସହାୟତା ପାଇଁ ଆକୁଳ ନିବେଦନ କରୁଛି । ତା’ର ବିଶ୍ୱାସ ଅଛି ଯଦି ତା’ ଝିଅକୁ ଭଲ ହସ୍ପିଟାଲରେ ଚିକିତ୍ସା କରା ହୁଅନ୍ତା ତେବେ ସେ ଅନେକ ଯନ୍ତ୍ରଣାରୁ ମୁକ୍ତି ପାଆନ୍ତା । ଛୋଟ ବୟସରେ ଆଜି ତା’ମୁହଁରେ ହସ ପରିବର୍ତ୍ତେ ଯନ୍ତ୍ରଣାର ଚିହ୍ନ । ଆଖିରେ ଆଖିଏ ଲୁହ ନେଇ ଥରଥର କୁନି ଓଠରେ ସେ କହୁଥିଲା ମୁଁ ଭଲ ହୋଇଗଲେ ସ୍କୁଲ ଯିବି,ମୋତେ ଭଲ କରିଦିଅ ଆଜ୍ଞା । ଡୁମ୍ବାଲୁ ଗ୍ରାମର ସମସ୍ତ ଗ୍ରାମବାସୀ ଏଇ କୁନି ଝିଅର ଆରୋଗ୍ୟ ପାଇଁ ତା’ବାପା ପୁରନ୍ଦର ସହିତ ମିଶି ଜିଲ୍ଲା ପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking