37.1 C
Bhubaneswar
Thursday, March 28, 2024
Homeଓଡିଶାବିଶ୍ୱାସକୁ ନେଇ ଆଦିବାସୀ ସଂସ୍କୃତିର ଡଙ୍ଗରଯାତ୍ରା ପାଳିତ 

ବିଶ୍ୱାସକୁ ନେଇ ଆଦିବାସୀ ସଂସ୍କୃତିର ଡଙ୍ଗରଯାତ୍ରା ପାଳିତ 

ବୌଦ୍ଧ : ବୌଦ୍ଧ ଗଡ଼ଜାତର ଆଦିବାସୀ ସଂସ୍କୃତିର ସମାହାର ନେଇ କେଉଁ ଆବାହମାନ କାଳରୁ ପାଳିତ ହୋଇଆସୁଛି ଡଙ୍ଗରଯାତ୍ରା । ଚୂଡ଼ାଖାଇ ଯାତ୍ରା ନାମରେ ପ୍ରସିଦ୍ଧି ଲାଭ କରିଥିବା ଏହି ଯାତ୍ରା ମାର୍ଗଶିର ଶେଷ ଗୁରୁବାରରୁ ୮ ଦିନ ଧରି ପାଳିତ ହୋଇଥାଏ । ବୌଦ୍ଧ ଗଡ଼ଜାତର ଐତିହାସିକ ପୃଷ୍ଠଭୂମି ଅନୁଯାୟୀ ଅଧୁନା ବୌଦ୍ଧ ବ୍ଲକ୍‌ର ମନୁପାଲି, ଖଲିଆପାଲି, କସୁରବନ୍ଧ ଓ ଦହ୍ୟା ପଞ୍ଚାୟତର ୫୨ ଖଣ୍ଡ ଗ୍ରାମକୁ ନେଇ ପଞ୍ଚରା ଅଞ୍ଚଳର ପରିଚୟ । ଏହି ଡଙ୍ଗର ଯାତ୍ରା ସମୟରେ ପଞ୍ଚରା ଅଞ୍ଚଳର ଗ୍ରାମ ଗୁଡ଼ିକ ଉତ୍ସବ ମୁଖର ହୋଇଥାଏ । ପରମ୍ପରା ଅନୁଯାୟୀ ଚାଷୀ ନୂଆଧାନର ଚଡ଼ା ପ୍ରସ୍ତୁତ କରି ନବାହ୍ଣ ରୂପରେ ମା ‘ଙ୍କୁ ଅର୍ପଣ କରିଥାଏ । ଏହି ଅବସରରେ ମା\’ଙ୍କ ନିକଟରେ ନୂଆ ଝଣ୍ଟା (ଶିମ୍ବ) ଲାଗି କରାଯାଇଥାଏ । ଶେଷ ଗୁରୁବାରରେ ମା’ ମାହେଶ୍ୱରୀ ଓ ଖମସିରୀଙ୍କ ଛତରକୁ ଢୋଲ, ନିଶାନ, ମହୁରୀ ଆଦି ପାରମ୍ପରିକ ବାଦ୍ୟ ସହ ଗ୍ରାମ ପରିକ୍ରମା କରାଯାଇଥାଏ । ଏହି ସମୟରେ ଭକ୍ତମାନେ ବିଭିନ୍ନ ବଳି ଭୋଗ ପ୍ରଦାନ କରିବା ସହିତ ମା’ଙ୍କ ଛତରକୁ ପୂଜାର୍ଚ୍ଚନା କରିଥାନ୍ତି ।

ଏହି ଛତର ଯାତ୍ରା ସମୟରେ ଗ୍ରାମର ଲୋକମାନଙ୍କ ଦ୍ୱାରା ଅଶ୍ଳିଳ ଭାଷା ପ୍ରୟୋଗ ଏକ ନିଆରା ପରମ୍ପରା । ଗ୍ରାମରେ ଛତର ଯାତ୍ରା ସମୟରେ ଅଶ୍ଳିଳ ଭାଷା ପ୍ରୟୋଗ ନକଲେ ଗ୍ରାମର ଅମଙ୍ଗଳ ହୁଏ ବୋଲି ଲୋକଙ୍କ ମନରେ ରହିଥିବା ଭକ୍ତିର ଦୃଢ଼ ବିଶ୍ୱାସ ଯୋଗୁଁ ଆଧୁନିକତାର ସଭ୍ୟ ସମାଜରେ ଆଜି ମଧ୍ୟ ଏହି ନିଆରା ପରମ୍ପରା ବଞ୍ଚି ରହିଛି । ବିଭିନ୍ନ ଗ୍ରାମ ଦେଇ ମା’ଙ୍କ ଛତର ପରିକ୍ରମା କରାଯିବା ପରେ ଡ଼ଙ୍ଗରକୁ ନିଆଯାଇଥାଏ । କଣ୍ଟାମାଳ ବ୍ଲକ୍‌ର ଗୁଡ଼ଭେଲି ପଞ୍ଚାୟତ ଅର୍ନ୍ତଗତ ଏହି ଡ଼ଙ୍ଗରରେ ପୂଜାର୍ଚ୍ଚନା କରାଯିବା ପରେ ଛତରକୁ ଫେରାଇ ଆଣି ତାଳପଦର ଗ୍ରାମରେ ସ୍ଥାପନ କରାଯାଇଥାଏ । ତେବେ ଐତିହାସିକ ଓ ଗବେଷକଙ୍କ ମତରେ ଶିବ ପୂରାଣରେ ବର୍ଣ୍ଣିତ ଦକ୍ଷ ପ୍ରଜାପତିଙ୍କ ଯଜ୍ଞ ସମୟରେ ଭଗବାନ ଶିବଙ୍କ ନିମନ୍ତ୍ରଣ ନକରିବା କାରଣରୁ ମାତା ପାର୍ବତୀ ଯଜ୍ଞ କୁଣ୍ଡରେ ନିଜକୁ ଆହୁତୀ ଦେବା ଫଳରେ ଭଗବାନ ଶିବ ତାଣ୍ଡବ ଆରମ୍ଭ କରିଥିଲେ ।

ତେବେ ଭଗବାନ ଶିବଙ୍କ କ୍ରୋଧକୁ ଶାନ୍ତ କରିବାକୁ ମା’ ମାହେଶ୍ୱରୀଙ୍କୁ ପୂଜାର୍ଚ୍ଚନା କରିବା ପରେ ଭାଗବାନ ଶିବଙ୍କ କ୍ରୋଧ ଶାନ୍ତ ହୋଇଥିଲା । ସେହିଦିନ ଠାରୁ ଏହି ଯାତ୍ରାରେ ଅଶ୍ଳିଳ ପରମ୍ପରା ଚଳିଆସିଥିବା ପ୍ରଚଳିତ ଲୋକ କଥାରେ ମଧ୍ୟ ବିଶ୍ୱାସ କରାଯାଏ । ପୂଜାସ୍ଥଳୀ ଡ଼ଙ୍ଗର ଭକ୍ତଙ୍କ ମନରେ ଶିବଙ୍କ ଜଟାର ଭ୍ରମ ସୃଷ୍ଟି କରୁଥିବା ବେଳେ ଏହି ଐତିହାସିକ ପୀଠସ୍ଥଳୀ ଚାରିପଟେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଜଙ୍ଗଲ ଏବଂ ନିକଟରେ ରହିଥିବା ପୁଷ୍କରିଣୀ ଯେକୌଣସି ଦର୍ଶକ ଓ ଗବେଷକଙ୍କୁ ଆକୃଷ୍ଟ କରିଥାଏ । ଏହାର ପ୍ରଚାର ପ୍ରସାର ଦିଗରେ ପ୍ରଶାସନିକ ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ପରିଲକ୍ଷିତ ହେଉଥିବା ବେଳେ ରାଜ୍ୟ ସରକାରଙ୍କ ଶୁଭ ଦୃଷ୍ଟି ପଡ଼ିଲେ ଏହି ଐତିହାସିକ ପୀଠର ବିକାଶ ହେବା ସହିତ ରାଜ୍ୟ ପର୍ଯ୍ୟଟନର ମାନଚିତ୍ରରେ ବୌଦ୍ଧ ଜିଲ୍ଲା ପଞ୍ଚରାର ଡଙ୍ଗର ଯାତ୍ରା ଉପଯୁକ୍ତ ସ୍ଥାନ ପାଇବାସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking