32.1 C
Bhubaneswar
Friday, April 26, 2024
Homeଓଡିଶାମହିଳା ଫାର୍ମାସିଷ୍ଟଙ୍କ ଭରସାରେ ଚାଲିଛି ସ୍ୱାସ୍ଥ୍ୟସେବା

ମହିଳା ଫାର୍ମାସିଷ୍ଟଙ୍କ ଭରସାରେ ଚାଲିଛି ସ୍ୱାସ୍ଥ୍ୟସେବା

ଦାରିଙ୍ଗବାଡ : ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସମସ୍ତ ଯୋଜନାକୁ ନିୟନ୍ତ୍ରଣ କରିବା ଲାଗି ‘ମୋ ସରକାର’ ଓ ୫-ଟି ଭଳି ଯୋଜନା କରାଯାଇଛି । ଗ୍ରାମାଞ୍ଚଳର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ବିଭିନ୍ନ ସ୍ଥାନରେ ଖୋଲା ଯାଇଛି ନୂତନ ପ୍ରାଥମିକ ଚିକିତ୍ସାକେନ୍ଦ୍ର । କିନ୍ତୁ ତାହା କେବଳ ନାମକୁ ମାତ୍ର । ଏହିଭଳି ଅଭିଯୋଗ ଆସିଛି ଦାରିଙ୍ଗବାଡ଼ି ବ୍ଲକ୍ ଗଦାପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ । ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ମାସରେ ଅଧାଦିନ ତାଲା ପଡ଼ୁଛି । ଫଳରେ ବହୁ ଦୁର୍ଗମ ଅଞ୍ଚଳରୁ ଆସୁଥିବା ରୋଗୀମାନେ ନିରାଶ ହୋଇ ଫେରିଯାଉଥିବା ଅଭିଯୋଗ ହେଉଛି । ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଗଦାପୁର, ହାତୀମୁଣ୍ଡା, ତାଜୁଙ୍ଗି ଓ ସରାମୁଳୀ ପଞ୍ଚାୟତର ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ନିର୍ଭର କରୁଛନ୍ତି । ଦୀର୍ଘ ୧୦ବର୍ଷଧରି ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଦବୀ ଖାଲି ପଡ଼ିଥିବାବେଳେ ମାତ୍ର ଜଣେ ମହିଳା ଫାର୍ମାସିଷ୍ଟଙ୍କ ଦ୍ୱାରା ପରିଚାଳିତ ହେଉଛି ମେଡିକାଲ । ପ୍ରତିଦିନ ମାତ୍ର ୨ ରୁ ୩ ଘଣ୍ଟା ଖୋଲାଯାଉଥିବା ଅଭିଯୋଗ ହେଉଛି । ଯାହାଫଳରେ ଅଞ୍ଚଳବାସୀଙ୍କୁ ରୋଗୀସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ମହିଳା ଫାର୍ମାସିଷ୍ଟ ଜଣକ ଅନେକ ସମୟରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନୁପସ୍ଥିତ ରହୁଥିବା ଯୋଗୁଁ ଅଧିକାଂଶ ଦିନ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା ପଡ଼ୁଛି । ଅନ୍ୟପକ୍ଷରେ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରସବ ଗୃହ ଥିବା ସତ୍ୱେ ଏଏନ୍‌ଏମ୍ ନଥିବାରୁ ଗର୍ଭବତୀ ମହିଳାମାନେ ପ୍ରସବ ପାଇଁ ନାହିଁ ନଥିବା ସମ୍ମୁଖୀନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୂର୍ବରୁ ଜଣେ ଏଏନଏମ୍ ସେଠାରେ ଥିଲେ । କିନ୍ତୁ ପ୍ରାୟ ୬ ମାସ ହେବ ତାଙ୍କର ବଦଳି ହୋଇଯାଇଛି । ସେହିପରି ପୂର୍ବରୁ ଜଣେ ନର୍ସଙ୍କର ମଧ୍ୟ ସେଠାରୁ ଅନ୍ୟତ୍ର ବଦଳି ହୋଇଯାଇଛି । ଫଳରେ ଗର୍ଭବତୀ ମହିଳାମାନେ ଅଧିକା ଖର୍ଚ୍ଚାନ୍ତ ହୋଇ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥାନ୍ତି । ଗଦାପୁର ଠାରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅବା ବ୍ରାହ୍ମଣୀଗାଁକୁ ଯାଉଥିବା ବେଳେ ଅନେକ ସମୟରେ ଅଧାବାଟରେ ମହିଳାମାନେ ପ୍ରସବ କରୁଥିବା ଆଶାକର୍ମୀ ସୁଭଦ୍ରା ଦିଗାଳ କହିଛନ୍ତି । ଡାକ୍ତର ପଦବିପୂରଣ ପାଇଁ ଲୋକପ୍ରତିନିଧିମାନେ ବାରମ୍ବାର ବ୍ଲକ୍‌ରେ ଅନୁଷ୍ଠିତ ବୈଠକରେ ଦାବି ଉପସ୍ଥାପନ କରିବା ସହିତ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଗଦାପୁର ସରପଞ୍ଚ ଆରତୀ ମଲ୍ଲିକ ଅଭିଯୋଗ ଆଣିଛନ୍ତି । ଗଦାପୁର ସରପଞ୍ଚ ଆରତୀ ମଲ୍ଲିକ ଏବଂ ୧୧ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ଦୀପିକା ମାଝୀଙ୍କୁ ଏବାବଦରେ ପଚାରିବାରୁ ଗଦାପୁର ସ୍ୱାସ୍ଥ୍ୟକେନ୍ଦ୍ର ଦିନକୁ ମାତ୍ର ୨ ଘଣ୍ଟା ଖୋଲା ଯାଉଥିବା କହିଛନ୍ତି । ଏଥିଯୋଗୁଁ ଚିକିତ୍ସା ସେବାରେ ସମସ୍ୟା ସୃଷ୍ଟି ହେଉଥିବା ସେମାନେ କହିଛନ୍ତି । ଏ ଦିଗରେ ଜିଲ୍ଲାପାଳ ଏବଂ ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ଦୃଷ୍ଟିଦେଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଦବୀ ପୂରଣ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଅଧିବାସୀମାନେ ଦାବି କରିଛନ୍ତି । ଦାବିପୂରଣ ନହେଲେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking