30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଓମିକ୍ରନ୍ ଶେଷ ଭାରିଆଣ୍ଟ୍ ନୁହେଁ : ‘ହୁ’

ଓମିକ୍ରନ୍ ଶେଷ ଭାରିଆଣ୍ଟ୍ ନୁହେଁ : ‘ହୁ’

ଜେନିଭା : ଓମିକ୍ରନ୍‌କୁ କୋଭିଡ୍‌ର ଶେଷ ଭାରିଆଣ୍ଟ୍ ବୋଲି ଭାବିବା ଅତ୍ୟନ୍ତ ବିପଜ୍ଜନକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ମହାନିର୍ଦ୍ଦେଶକ ଟେଡ୍ରସ ଆଧାନମ୍ ଘେବ୍ରେୟେସସ୍ କହିଛନ୍ତି । ଧରାପୃଷ୍ଠରୁ କୋଭିଡ୍‌ର ଅନ୍ତ ଘଟିବ ବୋଲି ଯାହା ଆଶା କରାଯାଉଛି, ତାହା ବର୍ତ୍ତମାନ ଏକ ମରୀଚିକା ସଦୃଶ ଉଭା ହୋଇଛି । ୨୦୧୯ ଶେଷଆଡକୁ କୋଭିଡ୍‌ର ଆବିର୍ଭାବ ଘଟିଥିବାବେଳେ ଏପର୍ଯ୍ୟନ୍ତ ବିଶ୍ୱରେ ୫୫ ଲକ୍ଷରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇସାରିଲେଣି । ଆଜକୁ ୯ ସପ୍ତାହ ପୂର୍ବେ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଇତିମଧ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୮ କୋଟି ଅତିକ୍ରମ କରିସାରିଛି । ତେବେ ଆଶ୍ୱସ୍ତିର ବିଷୟ ହେଉଛି ଡେଲ୍‌ଟା ତୁଳନାରେ ଓମିକ୍ରନ୍ ଆଦୌ ଘାତକ ସାବ୍ୟସ୍ତ ହୋଇନାହିଁ ।

ଏହାସତ୍ତ୍ୱେ କୋଭିଡ୍‌ର ସ୍ଥିତିକୁ ନେଇ ଏତେଟା ଚିନ୍ତାଶୂନ୍ୟ ନହେବାକୁ ସେ ଚେତାବନୀ ଦେଇଛନ୍ତି । ଆଗକୁ ଅନ୍ୟ ଭାରିଆଣ୍ଟ୍‌ର ଉତ୍ପତ୍ତି ଦେଖିବାକୁ ମିଳିବା ଅସମ୍ଭବ ନୁହେଁ ବୋଲି ସେ କହିଛନ୍ତି । ତେଣୁ ଆଗାମୀ ଦିନରେ କୋଭିଡ୍‌ର କେଉଁ ଭାରିଆଣ୍ଟ୍ ଆସିବ, ତାହା ଆକଳନ କରିବା କଷ୍ଟକର ବୋଲି ସେ କହିଛନ୍ତି । ସୋମବାର ‘ହୁ’ କାର୍ଯ୍ୟକାରୀ ବୋର୍ଡକୁ ସମ୍ବୋଧିତ କରିବା ଅବସରରେ ସେ ଆହୁରି କହିଛନ୍ତି ଯେ ଚଳିତବର୍ଷ ଶେଷ ସୁଦ୍ଧା ବିଶ୍ୱରୁ କୋଭିଡ୍ ଦୂର କରିବାକୁ ସବୁ ରାଷ୍ଟ୍ର ଆଗେଇ ଆସିବା ଉଚିତ । ଏଥିପାଇଁ ବ୍ୟାପକ ଟିକାକରଣ ସାଙ୍ଗକୁ ଉତ୍ତମ ସ୍ୱାସ୍ଥ୍ୟସେବା ଏବଂ ନୂତନ ଭାରିଆଣ୍ଟ୍‌କୁ ଚିହ୍ନଟ କରିବାକୁ ନିରନ୍ତର ପ୍ରୟାସ ଜାରି ରଖିବାକୁ ସେ ପରାମର୍ଶ ଦେଇଛନ୍ତି । ଏପର୍ଯ୍ୟନ୍ତ ଅଧିକାଂଶ ଗରିବ ରାଷ୍ଟ୍ର କୋଭିଡ୍ ଟିକା ପାଇନଥିବାରୁ ସେ କ୍ଷୋଭପ୍ରକାଶ କରିଛନ୍ତି ।

ଟିକା ପ୍ରସ୍ତୁତ କରୁଥିବା ରାଷ୍ଟ୍ରଗୁଡିକ ଏ ଦିଗରେ ସହାୟତାର ହାତ ବଢାଇବାକୁ ସେ ଗୁରୁତ୍ୱ ଦେଇଛନ୍ତି । ୨୦୨୧ ଶେଷ ସୁଦ୍ଧା ‘ହୁ’ ତାଲିକାଭୁକ୍ତ ୧୯୪ ରାଷ୍ଟ୍ରର ୪୦ ପ୍ରତିଶତ ଲୋକଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ତେବେ ଏହି ଲକ୍ଷ୍ୟ ଏପର୍ଯ୍ୟନ୍ତ ପୂରଣ ହୋଇପାରିନାହିଁ । ଆଫ୍ରିକା ମହାଦେଶର ୮୫ ପ୍ରତିଶତ ଲୋକ ଏପର୍ଯ୍ୟନ୍ତ ସିଙ୍ଗଲ ଡୋଜ୍ ମଧ୍ୟ ନେଇପାରିନାହାନ୍ତି । ଏହି ପାର୍ଥକ୍ୟକୁ ଦୂର ନକରିବା ପର୍ଯ୍ୟନ୍ତ ଆମେ କୋଭିଡ୍‌କୁ ପରାସ୍ତ କରିପାରିବା ନାହିଁ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଗତ ସପ୍ତାହରେ ପ୍ରତି ୩ ସେକେଣ୍ଡରେ ବିଶ୍ୱରେ ୧୦୦ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ପ୍ରତ୍ୟେକ ୧୨ ସେକେଣ୍ଡରେ  ଜଣେ ବ୍ୟକ୍ତି କୋଭିଡ୍‌ରେ ପ୍ରାଣ ହରାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking