27.1 C
Bhubaneswar
Tuesday, May 7, 2024
Homeଓଡିଶାବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ : ୧୪ ଜିଲ୍ଲାରେ ବର୍ଷିବ

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ : ୧୪ ଜିଲ୍ଲାରେ ବର୍ଷିବ

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ତଥା ଶ୍ରୀଲଙ୍କା ପୂର୍ବ ପଟକୁ ସକ୍ରିୟ ଥିବା ଘୁର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଏହା ସମୁଦ୍ର ପତନରୁ ୫.୮ କିମି ଯାଏ ବାୟୁମଣ୍ଡଳରେ ଲମ୍ବିଛି । ଏହି ଲଘୁଚାପର କେନ୍ଦ୍ରରୁ ଏକ ନିମ୍ନଚାପରେଖା ବଙ୍ଗୋପସାଗର କୂଳରେ ବାୟୁମଣ୍ଡଳର ୧.୫ କିମି ଯାଏ ବ୍ୟାପିଛି । ଫଳରେ ଚଳିତ ସପ୍ତାହରେ କେରଳ, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଭାରତର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ଓଡ଼ିଶା ଉପକୂଳ ତଥା ତତ୍‌ସଂଲଗ୍ନ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ରାଜ୍ୟର ୧୪ ଉପକୂଳ ତଥା ତତ୍‌ସଂଲଗ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୂତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ଗୁରୁବାର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌. ଆର୍ ବିଶ୍ୱାସ କହିଛନ୍ତି, ଗତ ୨୪ ଘଣ୍ଟାରେ ରାଜ୍ୟର ଏକାଧିକ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ରେକର୍ଡ ହୋଇଛି । ମୁଖ୍ୟତଃ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର ଜିଲ୍ଲାରେ ବର୍ଷା ରେକର୍ଡ କରାଯାଇଛି । ପାରାଦ୍ୱୀପରେ ସର୍ବାଧିକ ୫୫ ମିମି ବର୍ଷା ହୋଇଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍‌ରେ ଦ୍ୱିତୀୟ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ଆସନ୍ତାକାଲି ମାଲକାନାଗିରି, କୋରାପୁଟ ଓ ରାୟଗଡ଼ାର ଅଧିକାଂଶ ସ୍ଥାନ ଏବଂ ସମଗ୍ର ଉପକୂଳରେ ବର୍ଷା ହେବା ସମ୍ଭାବନା ରହିଛି । ଲଘୁଚାପ କ୍ଷେତ୍ରରୁ ଲମ୍ବିଥିବା ନିମ୍ନଚାପ ରେଖା ସକାଶେ ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ବର୍ଷା ସମ୍ଭାବନା ଥିବା ଶ୍ରୀ ବିଶ୍ୱାସ ପ୍ରକାଶ କରିଛନ୍ତି ।

ସେପଟେ ରାଜ୍ୟରେ ଧୀରେ ଧୀରେ ଶୀତର ପ୍ରକୋପ ବଢୁଥିବା ନଜରକୁ ଆସୁଛି । ରାତିରେ ସର୍ବନିମ୍ନ ପାରଦ ତଳମୁହାଁ ହେଉଥିବାବେଳେ ସକାଳୁ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳୁଛି । ଗତ ୨୪ ଘଣ୍ଟାରେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପାରଦ ୧୫.୫ ଡିଗ୍ରୀ ଓ ଫୁଲବାଣୀରେ ୧୭ ଡିଗ୍ରୀ ରେକର୍ଡ ହୋଇଛି । ଦକ୍ଷିଣ-ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ଖସୁଥିବାବେଳେ, ଅବଶିଷ୍ଟ ଓଡ଼ିଶାରେ ଦିନ ତାପମାତ୍ରା ସ୍ଥିର ରହିଛି । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ରାତ୍ରିର ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ଦେଖାଦେଇଛି ।

ଉପକୂଳ ଅଞ୍ଚଳରେ ପାରଦ ୨୪ ଡିଗ୍ରୀ ନିକଟତର ଥିବାବେଳେ ଆଭ୍ୟନ୍ତରୀଣରେ ୧୭ରୁ ୧୯ ଡିଗ୍ରୀ ଓ ପାହାଡି ଅଞ୍ଚଳରେ ଏହା ୧୫ ଡିଗ୍ରୀ ଯାଏଁ ରହୁଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି । ବର୍ତ୍ତମାନ ରାଜ୍ୟକୁ ଉତ୍ତରା ପବନ ବହୁଥିବାବେଳେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ଆସନ୍ତା ୪ ଦିନ ଯାଏ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଯିବ ନାହିଁ । ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ । ସର୍ବୋଚ୍ଚ ତାପମାତ୍ରା ୩୧ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୨୨ ଡିଗ୍ରୀ ମଧ୍ୟରେ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଆସନ୍ତା ୨୯ରୁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ କମିପାରେ । ଏହା ପ୍ରଭାବରେ ଥଣ୍ଡା ପ୍ରକୋପ ସାମାନ୍ୟ ବଢ଼ିବା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ପାଣିପାଗ ବିଜ୍ଞାନୀଙ୍କ ଆକଳନରେ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦ୍ୱାରା ତାମିଲନାଡୁ ଓ କେରଳରେ ଭାରି ବର୍ଷା ହେବ । ଏହାର ପ୍ରଭାବରେ ଅକ୍ଟୋବର ୩୧ ଓ ନଭେମ୍ବର ୧ରେ ଗଞ୍ଜାମ, ଗଜପତି ଜିଲ୍ଲାରେ ପାଗ ମେଘୁଆ ସହ ହାଲୁକା ବର୍ଷା ହୋଇପାରେ ।

ଏହା ମଧ୍ୟରେ ଆସନ୍ତା ୩୦ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଥାଇଲାଣ୍ଡ ନିକଟରେ ସୃଷ୍ଟି ହେବାକୁ ଥିବା ଏହି ସମ୍ଭାବ୍ୟ ଲଘୁଚାପର ଅଂଶବିଶେଷ ନଭେମ୍ବର ୨ ସୁଦ୍ଧା ଦୁର୍ବଳ ହେଲେ ମଧ୍ୟ ଉକ୍ତ ବଳୟ ବଙ୍ଗୋପସାଗରରେ ବିସ୍ତୃତ ହେବା ସହ ଉତ୍ତର-ପୂର୍ବ ମୌସୁମୀ ବାୟୁକୁ ସକ୍ରିୟ କରାଇବା ଆଶଙ୍କା ରହିଛି । ଏହାର ପ୍ରଭାବରେ ନଭେମ୍ବର ୪ ଓ ୫ରେ ଉପକୂଳ ଜିଲ୍ଲାରେ ମେଘୁଆ ପାଗ ସହ ହାଲୁକା ବର୍ଷା ସମ୍ଭାବନା ଥିବା ବେଳେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ାର ସମୁଦ୍ର ସଂଲଗ୍ନ ଅଞ୍ଚଳରେ ସ୍ୱଳ୍ପ ବର୍ଷା ନେଇ ଆକଳନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking