38.1 C
Bhubaneswar
Friday, April 26, 2024
Homeଓଡିଶାସ୍କୁଲ୍ ସଂଯୋଗ କାର୍ଯ୍ୟକ୍ରମର ଶୁଭାରମ୍ଭ, ଦୁର୍ଗମ ଅଞ୍ଚଳ ପାଇଁ ଭ୍ରାମ୍ୟମାଣ ବିଦ୍ୟାଳୟ ଭ୍ୟାନ୍ ବ୍ୟବସ୍ଥା

ସ୍କୁଲ୍ ସଂଯୋଗ କାର୍ଯ୍ୟକ୍ରମର ଶୁଭାରମ୍ଭ, ଦୁର୍ଗମ ଅଞ୍ଚଳ ପାଇଁ ଭ୍ରାମ୍ୟମାଣ ବିଦ୍ୟାଳୟ ଭ୍ୟାନ୍ ବ୍ୟବସ୍ଥା

ଭୁବନେଶ୍ୱର : କରୋନା ଯୋଗୁଁ ସ୍କୁଲ ବନ୍ଦ ରହିଛି । ଅନ୍‌ଲାଇନ୍ କ୍ଲାସ୍ ହେଉଛି । ସ୍ମାର୍ଟ ଫୋନ୍ ଓ ଇଣ୍ଟରନେଟ୍ ସଂଯୋଗ ଅଭାବରୁ ଛାତ୍ରଛାତ୍ରୀ ଅନ୍‌ଲାଇନ୍ ଶିକ୍ଷାଲାଭରୁ ବଞ୍ଚିତ ହେଉଛନ୍ତି । ଯାହାକୁ ଦୃଷ୍ଟିରେ ରଖି ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଓ ୟୁନିସେଫ୍ ଏବଂ ଭାରତ ଜ୍ଞାନ ବିଜ୍ଞାନ ସମିତି (ବିଜିଭିଏସ୍‌), ଶିକ୍ଷାସନ୍ଧାନର ମିଳିତ ସହଯୋଗରେ ପ୍ରାଚୀନ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ‘ସ୍କୁଲ ସଂଯୋଗ କାର୍ଯ୍ୟକ୍ରମ’ ଆରମ୍ଭ ହୋଇଛି । ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଭୁବନେଶ୍ୱରଠାରେ ଗତ ବୁଧବାର ‘ସ୍କୁଲ ସଂଯୋଗ କାର୍ଯ୍ୟକ୍ରମ ମୋବାଇଲ୍ ସ୍କୁଲ୍ ଇନ୍ ଏ ଭ୍ୟାନ୍‌’କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ରଞ୍ଜନ ଚୋପ୍ରା, ଏସ୍‌ସିଏସ୍‌ଟିଆରଟିଆଇର ନିର୍ଦ୍ଦେଶକ ଅଖିଳ ବିହାରୀ ଓତା, ୟୁନିସେଫ୍‌ର ଓଡ଼ିଶା ଶାଖାର ମୁଖ୍ୟ ମୋନିକା ନେଲ୍‌ସନ୍‌, ୟୁନିସେଫ୍‌ର ଏଜୁକେସନ୍ ସ୍ପେସାଲିଷ୍ଟ ଲଳିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଦୁର୍ଗମ ଓ ଅପହଞ୍ଚ ପିଭିଟିଜି ଅଞ୍ଚଳରେ ଛାତ୍ରଛାତ୍ରୀମାନଙ୍କୁ ନିରନ୍ତର ଶିକ୍ଷାଦାନ ସହିତ ସେମାନେ ଯେଭଳି ଅଧାରୁ ପାଠ ନଛାଡ଼ିବେ ସେଥିପାଇଁ ଏହି ବିକଳ୍ପ ଶିକ୍ଷା ବ୍ୟବସ୍ଥା କରାଯାଇଛି । କୋଭିଡ୍‌-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ସ୍କୁଲ ବନ୍ଦ ରହୁଥିବାରୁ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ଏହି ବିକଳ୍ପ ବ୍ୟବସ୍ଥା କରାଯାଇଛି ।

‘ସ୍କୁଲ ସଂଯୋଗ କାର୍ଯ୍ୟକ୍ରମ’ରେ ଭ୍ରାମ୍ୟମାଣ ବିଦ୍ୟାଳୟ ଭ୍ୟାନ୍ ବ୍ୟବସ୍ଥା କରାଯାଇଛି । ଏହି ପଦକ୍ଷେପ ଦ୍ୱାରା ପିଭିଟିଜି ଅଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀମାନେ ନିରନ୍ତର ଶିକ୍ଷାଲାଭ କରିପାରିବେ । ପିଲାମାନଙ୍କ ପାଠପଢ଼ାରେ ଏହି ସୁଦୃଶ୍ୟ ଭ୍ୟାନ୍ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ଭ୍ୟାନ୍‌ରେ ଶିଶୁ ଉପଯୋଗୀ ଶିକ୍ଷା ଉପକରଣ ଯଥା: ଅଡ଼ିଓ ଭିଜୁଆଲ ଉପକରଣ, ପ୍ରଥମରୁ ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟପୁସ୍ତକ, ବିଜ୍ଞାନ କିଟ୍‌, ସ୍ପୋଟର୍ସ କିଟ୍ ଓ ସ୍ୱାସ୍ଥ୍ୟବିଜ୍ଞାନ ଶିକ୍ଷା କିଟ୍ ଉପଲବ୍ଧ ହେବ ।

ଏହି ଭ୍ରାମ୍ୟମାଣ ସ୍କୁଲ ଭ୍ୟାନ୍ ଦୁର୍ଗମ ଅଞ୍ଚଳରେ ଆନନ୍ଦରେ ଶିକ୍ଷାଲାଭ କରିବାକୁ ସୁଯୋଗ ଆଣିଦେବ । ଆଉ ମଧ୍ୟ ପ୍ରଶିକ୍ଷିତ ସ୍ୱେଚ୍ଛାସେବୀମାନେ ଖୋଲା ସ୍ଥାନରେ କୋଭିଡ୍ ମାର୍ଗଦର୍ଶିକାର ସଠିକ୍ ଅନୁପାଳନ କରି ଶିକ୍ଷାଦାନ କରିବେ । ପ୍ରତ୍ୟେକ ଶିକ୍ଷାଦାନ ଅଧିବେଶନ ଦୁଇ ଘଣ୍ଟା ଚାଲିବ । ‘ସ୍କୁଲ ସଂଯୋଗ କାର୍ଯ୍ୟକ୍ରମ’ ମୋବାଇଲ୍ ସ୍କୁଲ ଇନ୍ ଭ୍ୟାନ୍ ପିଭିଟିଜି ଅଞ୍ଚଳର ଜନଜାତି ସଂପ୍ରଦାୟର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୪୦ ହଜାର ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିପାରିବ ବୋଲି ଲକ୍ଷ୍ୟ ରଖାଯାଇଛି । ଓଡ଼ିଶାର ୧୦ଟି ଜିଲ୍ଲା କେନ୍ଦୁଝର, ଯାଜପୁର, ମୟୂରଭଞ୍ଜ, ଅନୁଗୁଳ, ଗଜପତି, ରାୟଗଡ଼ା, କଳାହାଣ୍ଡି, ମାଲକାନଗିରି, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର ପ୍ରାୟ ଏକ ହଜାର ଗ୍ରାମର ପିଲାମାନଙ୍କ ପାଖରେ ଏହି ଭ୍ୟାନ୍ ପହଞ୍ଚିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking