26.1 C
Bhubaneswar
Wednesday, May 8, 2024
Homeଓଡିଶାଆଜାଦ୍ ହିନ୍ଦ୍ ବାହିନୀ ପକ୍ଷରୁ ନେତାଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ଓ ଦେଶପ୍ରେମ ଦିବସ ସମାରୋହ ଅନୁଷ୍ଠିତ

ଆଜାଦ୍ ହିନ୍ଦ୍ ବାହିନୀ ପକ୍ଷରୁ ନେତାଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ଓ ଦେଶପ୍ରେମ ଦିବସ ସମାରୋହ ଅନୁଷ୍ଠିତ

 

ଭୁବନେଶ୍ୱର  : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ ଜନ୍ମ ଜୟନ୍ତୀ ଅବସରରେ ନେତାଜୀଙ୍କ ଦ୍ୱାରା ଗଠିତ ‘ଆଜାଦ୍ ହିନ୍ଦ୍ ବାହିନୀ’ ପକ୍ଷରୁ ଆଜି ଭୁବନେଶ୍ୱର ରସୁଲଗଡ଼ ସ୍ଥିତ ନେତାଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଆଜାଦ୍ ବାହିନୀର ସିପାହୀମାନେ ଆଜି ସକାଳୁ ରସୁଲଗଡ଼ ସ୍ଥିତ ନେତାଜୀଙ୍କ ପ୍ରତିମୂର୍ତି ପାଖରେ ପହଂଚି ସେଠାରେ ସଂଗଠନ ପକ୍ଷରୁ ଗାର୍ଡ଼ ଅଫ୍ ଅନର ପ୍ରଦାନ କରାଯାଇଥିଲା । ପରେ ସମସ୍ତେ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ସୂଚନାଯୋଗ୍ୟ ଯେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀକୁ ଆଜାଦ୍ ହିନ୍ଦ୍ ବାହିନୀ ସମେତ ଅନ୍ୟାନ୍ୟ ବହୁ ନେତାଜୀଙ୍କ ଆଦର୍ଶରେ କାର୍ଯ୍ୟ କରୁଥିବା ସଂଗଠନମାନେ “ଦେଶପ୍ରେମ ଦିବସ” ଭାବରେ ଘୋଷଣା କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦିର୍ଘ ଦିନ ଧରି ଦାବୀ ହୋଇ ଆସୁଛି । କେନ୍ଦ୍ର ସରକାର ଏହା ଘୋଷଣା କରିବାରେ କାଳକ୍ଷପଣ ନିତୀ ଅବଳମ୍ବନ କରି ଆସୁଥିବା ବେଳେ ଆଜାଦ୍ ହିନ୍ଦ୍ ବାହିନୀ ପକ୍ଷରୁ ଏହି ଦିବସକୁ ଦେଶପ୍ରେମ ଦିବସ ଭାବରେ ପାଳନ କରାଯିବା ସହ ଜନସାଧାରଣଙ୍କୁ ମଧ୍ୟ ଏହି ଆଧାରରେ ପାଳନ କରିବା ପାଇଁ ଆହ୍ୱାନ କରାଯାଇଛି । ଦିଲ୍ଲୀର ଇଣ୍ଡିଆ ଗେଟ୍ ଠାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନେତାଜୀଙ୍କ ପ୍ରତିମୂର୍ତି ସ୍ଥାପନକୁ ସଂଗଠନ ପକ୍ଷରୁ ସ୍ୱାଗତ କରାଯାଇଥିବା ବେଳେ ନେତାଜୀଙ୍କର ଅର୍ନ୍ତଧ୍ୟାନ ସଂକ୍ରାନ୍ତିୟ ସମସ୍ତ କମିଶନଗୁଡ଼ିକର ରିପୋର୍ଟଗୁଡ଼ିକୁ ଜନଦରବାରରେ ଅବା ପାଲ୍ୟାମେଂଟ୍‌ରେ ଉପସ୍ଥାପନ କରିବା ପାଇଁ ସଂଗଠନ ପକ୍ଷରୁ ଦାବୀ କରାଯାଇଛି । ପ୍ରାଥମିକ ସ୍ତରରୁ ପିଜି ପର୍ଯ୍ୟନ୍ତ ସମସ୍ତ ଶ୍ରେଣୀରେ ନେତାଜୀଙ୍କ ଜୀବନାର୍ଦଶ ସଂକ୍ରାନ୍ତିୟ ଶିକ୍ଷାଦାନର ବ୍ୟବସ୍ଥା ପାଇଁ ମଧ୍ୟ ସଂଗଠନ ପକ୍ଷରୁ ମଧ୍ୟ ଦାବୀ କରାଯାଇଛି । ଆଜାଦ୍ ହିନ୍ଦ୍ ବାହିନୀର ଜାତୀୟ ସଂଯୋଜକ ଜ୍ୟୋତି ରଂଜନ ମହାପାତ୍ର, ଆଜାଦ୍ ହିନ୍ଦ୍ ବାହିନୀର ସିପାହୀ ଅଭିମନ୍ୟୁ କିଷାନୀ, ଲକ୍ଷ୍ମୀ ଦୋରା, ସୁବତୀ ଦଳାଇ, ସୋମନାଥ ଖୀଲ, ବିକ୍ରମ କାଣ୍ଡି ଏବଂ ସୁଶିଲ୍ ଥାନ୍‌ପତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଆଜି ଏହି ଅବସରରେ ଆଜାଦ୍ ହିନ୍ଦ୍ ବାହିନୀ ପକ୍ଷରୁ ଉଦିଷ୍ଟ ୟୁନିଟ୍‌-୬ ସ୍ଥିତ ନେତାଜୀ ଭବନ ପରିସରରେ ଦେଶପ୍ରେମ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଆଜାଦ୍ ହିନ୍ଦ୍ ବାହିନୀରେ ଜାତୀୟ ସଂଯୋଜକ ଜ୍ୟୋତି ରଂଜନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟ, ବରିଷ୍ଠ ଆଇନ୍‌ଜିବୀ ବିଭୁ ପ୍ରସାଦ ତ୍ରିପାଠୀ, ଫରୱାର୍ଡ଼ ବ୍ଲକ୍‌ର ରାଜ୍ୟ ସଭାପତି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ,ଯୁବ ସାମ୍ବାଦିକ ସୁଧାଶୁଂ ଶେଖର ରାଉତ, ଭାଷା ଆନ୍ଦୋଳନର ନେତା ଚକ୍ରଧର ମହାନ୍ତ, ପ୍ରମୁଖ ଅତିଥି ଭାବରେ ଯୋଗଦେଇ ନେତାଜୀଙ୍କ ଫଟୋ ଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ । ଏହି ସମାରୋହରେ ବକ୍ତବ୍ୟ ରଖି ମୁଖ୍ୟବକ୍ତା ବରିଷ୍ଠ ଆଇନ୍‌ଜିବୀ ବିଭୁ ପ୍ରସାଦ ତ୍ରିପାଠୀ ନେତାଜୀଙ୍କ କାର୍ଯ୍ୟଶୈଳି, ଆଦର୍ଶ ଓ ରାଜନୈତିକ ଚେତନା ପ୍ରତିଟି ମୁହୁର୍ତରେ ସମସ୍ୟା ଜର୍ଜରିତ ସାଧାରଣ ମଣିଷକୁ ନୂଆ ଦୀଶା ଓ ପ୍ରେରଣା ପ୍ରଦାନ କରିଥାଏ ବୋଲି ନିଜ ପ୍ରକାଶ କରିଥିଲେ । ଦେଶର ଯୁବ ବର୍ଗ ନେତାଜୀଙ୍କ ପଥର ପଥିକ ହୋଇପାରିଲେ ଦେଶରେ ସାମଗ୍ରୀକ ପରିବର୍ତନ ଅବସମ୍ଭାବି ବୋଲି ସେ ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ବିଶିଷ୍ଟ ପରିବେଶବିତ ପ୍ରଫୁଲ ସାମନ୍ତରାୟ ଦେଶରେ ସ୍ୱାଧିନତାର ୭୫ ବର୍ଷ ପରେ ମଧ୍ୟ ଭୋକ, ଭୟ ଓ ଭ୍ରଷ୍ଟାଚାର ରାଜୁତି କରୁଛି । ଦେଶର ପ୍ରାକୃତିକ ସମ୍ପଦଗୁଡ଼ିକୁ ଶାଗ ମାଛ ଦରରେ ପୁଞ୍ଜିପତିଙ୍କ ହାତରେ ଟେକି ଦେଉଛନ୍ତି ଆମ ଦେଶର ସରକାର ବୋଲି ପ୍ରକାଶ କରିଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି ଭଳି ମଣିଷର ସାଧାରଣ ଆବଶ୍ୟକତାଗୁଡ଼ିକୁ ପୂରଣ କରିବାରେ ଗଣତାନ୍ତ୍ରୀକ ପ୍ରକ୍ରିଆରେ ନିର୍ବାଚିତ ସରକାରମାନେ ବ୍ୟର୍ଥ ହୋଇଛନ୍ତି । ବସ୍ତୁତଃ ଆମ ଦେଶ ଆଉ ଏକ ପରାଧିନତା ଆଡ଼କୁ ମୁହାଁଉଛି ବୋଲି ନିଜ ବକ୍ତବ୍ୟରେ ଅଭିଯୋଗ କରିବା ସହ ଆଜାଦ୍ ହିନ୍ଦ୍ ବାହିନୀର ସୈନିକମାନେ ଦେଶକୁ ଆସନ୍ନ ବିପତିରୁ ରକ୍ଷା କରିବା ପାଇଁ ସଂଗ୍ରାମ ଜାରି ରଖିବାକୁ ଆହ୍ୱାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଫରୱାର୍ଡ଼ ବ୍ଲକ୍‌ର ରାଜ୍ୟ ସଭାପତି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ଯୁବ ସାମ୍ବାଦିକ ସୁଧାଶୁଂ ଶେଖର ରାଉତ, ଭାଷା ଆନ୍ଦୋଳନର ନେତା ଚକ୍ରଧର ମହାନ୍ତ ପ୍ରମୁଖ ବକ୍ତବ୍ୟ ରଖି ଆମ ଦେଶ ଆଜି ଏକ ଘଡ଼ିସନ୍ଧି ମୂହୁର୍ତ ଦେଇ ଗତି କରୁଛି ଏବଂ ଆବଶ୍ୟକତା ରହିଛି ଆଉ ଏକ ସ୍ୱାଧିନତା ସଂଗ୍ରାମ ଲଢ଼ାଯିବାର । ଏହି ଆବଶ୍ୟକତାକୁୁ ଆଜାଦ୍ ହିନ୍ଦ୍ ବାହିନୀର ସୈନିକମାନେ ନେତୃତ୍ୱ ଦେବାକୁ ନିଜ ବକ୍ତବ୍ୟରେ ଅତିଥିମାନେ ଆହ୍ୱାନ କରିଥିଲେ । ସନ୍ଧ୍ୟାରେ ସୁଶ୍ରୀ ଜସ୍ମିନ୍ ପରିଡ଼ା ଓ ସତ୍ୟବ୍ରତ ପଣ୍ଡା ପ୍ରମୁଖଙ୍କ ନେତୃତ୍ୱରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking