30.1 C
Bhubaneswar
Saturday, May 4, 2024
Homeଖେଳନରସିଂହ ଯାଦବ ଡବ୍‌ଲ୍ୟୁଏଫ୍‌ଆଇ ଆଥ୍‌ଲେଟ୍ କମିଶନ୍ ଅଧ୍ୟକ୍ଷ ନିର୍ବାଚିତ

ନରସିଂହ ଯାଦବ ଡବ୍‌ଲ୍ୟୁଏଫ୍‌ଆଇ ଆଥ୍‌ଲେଟ୍ କମିଶନ୍ ଅଧ୍ୟକ୍ଷ ନିର୍ବାଚିତ

ବାରାଣସୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ପୂର୍ବତନ ପହେଲମାନ ନରସିଂହ ପଞ୍ଚମ ଯାଦବ ବୁଧବାର ଭାରତୀୟ କୁସ୍ତି ସଂଘ (ଡବ୍ଲ୍ୟୁଏଫ୍‌ଆଇ) ଆଥ୍‌ଲେଟ୍ କମିଶନ୍‌୍ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ଫଳରେ କୁସ୍ତିର ବିଶ୍ୱ ପରିଚାଳନା ସଂସ୍ଥା ଦ୍ୱାରା ଅନିବାର୍ଯ୍ୟ କରାଯାଇଥିବା ପ୍ରକ୍ରିୟା ପୂରଣ ହୋଇଛି । କମିଶନ୍‌ର ୭ ସ୍ଥାନ ପାଇଁ ମୋଟ ଆଠଜଣ ପ୍ରାର୍ଥୀ ଦୌଡ଼ରେ ସାମିଲ ଥିଲେ ଏବଂ ମତଦାନ ପରେ ସାତଜଣ ସଦସ୍ୟଙ୍କୁ ନିର୍ବାଚିତ କରାଯାଇଛି । ଏହାପରେ ନିର୍ବାଚିତ ସଦସ୍ୟମାନେ କମିଶନ୍‌ର ଅଧ୍ୟକ୍ଷ ପଦ ପାଇଁ ନରସିଂହଙ୍କୁ ନିର୍ବାଚିତ କରିଛନ୍ତି । ୨୦୧୬ ରିଓ ଅଲିମ୍ପିକ୍ ପାଇଁ ଭାରତୀୟ ଟିମ୍‌ରେ ନରସିଂହଙ୍କୁ ଚୟନ କରାଯିବା ପରେ ଆହତ କାରଣରୁ କ୍ୱାଲିଫିକେସନ୍ ଟୁର୍ଣ୍ଣାମେଣ୍ଟ୍ ଖେଳିପାରି ନଥିବା ପୂର୍ବତନ ଅଲିମ୍ପିକ୍ ପଦକ ବିଜେତା ସୁଶୀଲ କୁମାର ତାଙ୍କ ବିପକ୍ଷରେ ଟ୍ରାଏଲ୍ ମ୍ୟାଚ୍ ପାଇଁ ଅନୁରୋଧ କରିବା ପରେ ସେ ଚର୍ଚ୍ଚାକୁ ଆସିଥିଲେ । ସୁଶୀଲ କୁମାର ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ତେବେ ତାଙ୍କ ଅପିଲ୍ ଖାରଜ ହେବାପରେ ନରସିଂହ ହିଁ ରିଓ ଅଲିମ୍ପିକ୍‌ରେ ଭାଗନେବେ ବୋଲି ସ୍ପଷ୍ଟ ହୋଇଥିଲା । ତେବେ ଅଲିମ୍ପିକ୍ ପୂର୍ବରୁ କରାଯାଇଥିବା ଦୁଇଟି ଡୋପ୍ ଟେଷ୍ଟ୍‌ରେ ନରସିଂହ ବିଫଳ ହୋଇଥିଲେ ଏବଂ ସ୍ପୋର୍ଟ୍ସ ଟ୍ରିବ୍ୟୁନାଲ୍ ତାଙ୍କୁ ଚାରିବର୍ଷ ପାଇଁ ବ୍ୟାନ୍ କରିଥିଲା । ତେବେ ଷଡ଼ଯନ୍ତ୍ର କାରଣରୁ ସେ ଡୋପ୍ ଟେଷ୍ଟ୍‌ରେ ପଜିଟିଭ୍ ହୋଇଥିବା କହି ଜାତୀୟ ଡୋପିଂ ନିରୋଧୀ ଏଜେନ୍ସି (ନାଡା) ନରସିଂହଙ୍କୁ କ୍ଲିନ୍‌ଚିଟ୍ ପ୍ରଦାନ କରିଥିଲା । ନରସିଂହଙ୍କ ପ୍ରଥମ ମ୍ୟାଚ୍ ପୂର୍ବରୁ ଟ୍ରିବ୍ୟୁନାଲ୍ ନିଷ୍ପତ୍ତି ଆସିଥିବାରୁ ସେ ରିଓରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ସ୍ୱଦେଶ ଫେରିଥିଲେ । ତାଙ୍କର ବ୍ୟାନ୍ ଅବଧି ୨୦୨୨ ଜୁଲାଇରେ ଶେଷ ହୋଇଥିବା ବେଳେ ଏହି ଘଟଣାକ୍ରମ ଷଡ଼ଯନ୍ତ୍ରର ଅଂଶବିଶେଷ ଥିଲା ବୋଲି ନରସିଂହ କହିଥିଲେ । ଆଥ୍‌ଲେଟ୍ କମିଶନ୍ ପାଇଁ ନିର୍ବାଚନ ଅନ୍ୟ ସଦସ୍ୟମାନେ ହେଲେ ସାହିଲ୍ (ଦିଲ୍ଲୀ), ସ୍ମିତା ଏ ଏସ୍ (କେରଳ), ଭାରତୀୟ ଭାଘେଇ (ଉତ୍ତର ପ୍ରଦେଶ), ଖୁସ୍‌ବୁ ଏସ୍ ପୱାର (ଗୁଜରାଟ), ନିକ୍କି (ହରିଆଣା) ଏବଂ ଶ୍ୱେତା ଦୁବେ (ବେଙ୍ଗଲ) । ଡବ୍ଲ୍ୟୁଏଫ୍‌ଆଇର ନିଲମ୍ବନ୍ ହଟାଇ କୁସ୍ତିର ଅନ୍ତର୍ଜାତୀୟ ସଂସ୍ଥା ୟୁଡବ୍ଲ୍ୟୁଡବ୍ଲ୍ୟୁ କହିଥିଲା ଯେ ସଞ୍ଜୟ ସିଂହଙ୍କ ନେତୃତ୍ୱାଧୀନ ଜାତୀୟ ମହାସଂଘକୁ ପହେଲମାନଙ୍କ ଅଭିଯୋଗର ସମାଧାନ ପାଇଁ ଆଥ୍‌ଲେଟ୍ କମିଶନ୍ ଗଠନ କରିବା ଅନିବାର୍ଯ୍ୟ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking