27.1 C
Bhubaneswar
Wednesday, May 8, 2024
Homeଓଡିଶାବିଷ ପିଇ ପ୍ରେମିକ ମୃତ, ପ୍ରେମିକା ଗୁରୁତର

ବିଷ ପିଇ ପ୍ରେମିକ ମୃତ, ପ୍ରେମିକା ଗୁରୁତର

ଝାରସୁଗୁଡ଼ା : ଏ ଦୁନିଆ ଏକା ସାଙ୍ଗରେ ବଞ୍ଚିବାକୁ ଦେବନି । ଅଲଗା ହୋଇ ଆମେ ବଞ୍ଚିପାରିବାନି । ଚାଲ ଏକା ସାଙ୍ଗରେ ଆରପାରିକୁ ଚାଲିଯିବା । ଏଭଳି କିଛି ଚିନ୍ତାକରି ଝାରସୁଗୁଡ଼ା ଜିଲ୍ଲା ସଦର ଥାନା ମରାକୁଟାଠାରେ ଏକ ପ୍ରେମୀଯୁଗଳ ବିଷପାନ କରିଛନ୍ତି । ଫଳରେ ପ୍ରେମିକ ଜଣକ ପ୍ରାଣ ହରାଇଥିବାବେଳେ ପ୍ରେମିକା  ଗୁରୁତର ଅବସ୍ଥାରେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜୀବନ ସହ ସଂଗ୍ରାମ କରୁଛନ୍ତି । ମୃତ ପ୍ରେମିକ ଜଣକ ହେଲେ ଲଖନପୁର ବ୍ଲକ ଉବୁଡା ଗ୍ରାମର ଗୋବର୍ଦ୍ଧନ  ଓରାମ(୩୦) ଏବଂ ପ୍ରେମିକା ଜଣକ ମରାକୁଟା ଅଞ୍ଚଳର ଜଣେ ଯୁବତୀ ବୋଲି ପୁଲିସ ସୂଚନାଦେଇଛି ।

ସୂଚନା ଅନୁଯାୟୀ, ଝାରସୁଗୁଡ଼ା ସଦର ଥାନା  ମରାକୁଟା ଗ୍ରାମ ସାଲେଟିକ୍ରା ପାଖରେ ଶୁକ୍ରବାର ସଂଧ୍ୟାରେ ଏକ ବୁଦାମୂଳେ ଗୋବର୍ଦ୍ଧନ ଓରାମ(୩୦)ଙ୍କ ଶବ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏନେଇ ପୁଲିସକୁ ଖବର ଦେବା ପରେ ସଦର ପୁଲିସ ଘଟଣାସ୍ଥଳକୁ ପହଞ୍ଚିଥିଲା । ହେଲେ ପୁଲିସ ପହଞ୍ଚୁ ପହଞ୍ଚୁ ସଂଧ୍ୟା ହୋଇଯିବା ସହ ଗୋବର୍ଦ୍ଧନଙ୍କ ପରିବାର ଲୋକେ ପାଖରେ ନ ଥିବାରୁ ପୁଲିସ ଶବ ଉଦ୍ଧାର କରିପାରି ନଥିଲା । ଶନିବାର ପରିବାର ଲୋକଙ୍କ ଉପସ୍ଥିତିରେ ପୁଲିସ ଗୋବର୍ଦ୍ଧନଙ୍କ ଶବ ଉଦ୍ଧାର ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଗୋବର୍ଦ୍ଧନ ଏବଂ ତାଙ୍କ ପ୍ରେମିକା ମଙ୍ଗଳବାର ରାତ୍ରୀରୁ ଘର ଛାଡ଼ି ଫେରାର ହୋଇଯାଇଥିଲେ ।

ହେଲେ ସେମାନେ ଦୂରକୁ ନଯାଇ ମରାକୁଟା ପାଖରେ ଏକ ବୁଦାଳିଆ ନିଛାଟିଆ ସ୍ଥାନରେ ରହି ଯାଇଥିଲେ । କୁଆଡ଼େ ଯିବେ, କ’ଣ କରିବେ ତାହା ସ୍ଥିର କରି ନପାରି ଉଭୟେ ଶୁକ୍ରବାର ବିଷପାନ କରିଥିଲେ । ଦୀର୍ଘ ସମୟ ପରେ ବିଷର ପ୍ରତିକ୍ରିୟା ହେବାରୁ ସଂଧ୍ୟାରେ ପ୍ରେମିକଙ୍କ ମୃତ୍ୟୁ ହୋଇଥିଲା । ଯୁବତୀ ଜଣକ ବିଷର ଜ୍ୱାଳା ସହିନପାରି ଘରକୁ ଫୋନ କରି ଘଟଣା ସମ୍ପର୍କରେ କହିବାରୁ ପରିବାର ଲୋକେ ଉକ୍ତ ସ୍ଥାନରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ଜିଲ୍ଲା ସଦର ଡାକ୍ତରଖାନାକୁ ନେଇ ଭର୍ତ୍ତି କରିଥିଲେ । ଉଭୟଙ୍କ ପରିବାର ଲୋକେ ଏହି ପ୍ରେମ ସମ୍ପର୍କକୁ ସ୍ୱୀକୃତି ନ ଦେବା ଆଶଙ୍କାରେ ପ୍ରେମୀ ଯୁଗଳ ଏଭଳି ଚରମ ନିଷ୍ପତ୍ତି ନେଇଥିବା କୁହାଯାଇଛି ।  ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଯୁବତୀଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking