29.1 C
Bhubaneswar
Sunday, April 28, 2024
Homeଓଡିଶାଜୀବନ ସହ ଜୀବିକାକୁ ଗୁରୁତ୍ୱ : ବଦଳିବ ଦୁଇ ହାଟର ଠିକଣା

ଜୀବନ ସହ ଜୀବିକାକୁ ଗୁରୁତ୍ୱ : ବଦଳିବ ଦୁଇ ହାଟର ଠିକଣା

ଭୁବନେଶ୍ୱର: କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛିି । ଏଥିପାଇଁ ସର୍ବସାଧାରଣ ସ୍ଥାନରେ ଭିଡ଼ କମାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏଥିପାଇଁ ହାଟ ବଜାରରେ ଗହଳି କମାଇବା ପାଇଁ ରାସ୍ତା କଡ଼ରେ ଛାଡ଼ି ଛାଡ଼ି କରି ପରିବା ଓ ମାଛ ମାର୍କେଟ କରିବାକୁ ଯୋଜନା କରାଯାଉଛି । ଏଣୁ ପ୍ରଥମ ପର୍ଯ୍ୟାୟରେ ୟୁନିଟ-୧ ହାଟ ଓ ୟୁନିଟ-୪ ହାଟକୁ ରାସ୍ତା କଡ଼ ଓ ପଡ଼ିଆକୁ ସ୍ଥାନାନ୍ତର କରାଯିବାର ବନ୍ଦୋବସ୍ତ କରାଯାଉଛି । ପୂର୍ବରୁ ବ୍ୟବସାୟୀ ସଂଘ ସହ ଆଲୋଚନା ହୋଇଥିବାବେଳେ ଗୁରୁବାର ଏନେଇ ନିଷ୍ପତ୍ତି ନିଆଯିବ ବୋଲି ବିଏମସିର ଦକ୍ଷିଣ-ପୂର୍ବ ଜୋନାଲ ଡେପୁଟି କମିଶନର ମହେନ୍ଦ୍ର କୁମାର ବଢ଼େଇ ସୂଚନା ଦେଇଛନ୍ତି । ତେବେ ବୁଧବାର ସମସ୍ତ ତିନୋଟି ଜୋନର ଡେପୁଟି କମିଶନର, ଏନ୍‌ଫୋର୍ସମେଣ୍ଟ ଟିମ୍ ଓ ପୁଲିସ୍ ସହାୟତାରେ ହାଟ ଓ ବଜାରରେ ଚଢ଼ଉ କରାଯାଇଥିଲା । ଏହି କ୍ରମରେ ଭିଡ଼ କମାଇବାକୁ ବ୍ୟବସାୟୀ ତଥା ଗ୍ରାହକଙ୍କୁ ସଚେତନ କରାଯାଇଥିବା ଶ୍ରୀ ବଢ଼େଇ କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୟୁନିଟ -୪ ଓ ୟୁନିଟ-୧ ମାର୍କେଟ ଓ ହାଟକୁ ଭିଡ଼ଶୂନ୍ୟ କରିବାକୁ କୁହାଯାଇଛି । ମଙ୍ଗଳବାର ଦକ୍ଷିଣ ପୂର୍ବ ଜୋନାଲ ଡେପୁଟି କମିଶନର ଉଭୟ ମାର୍କେଟ ଯାଇ ବ୍ୟବସାୟୀ ସଙ୍ଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ରାସ୍ତା କଡ଼ରେ କୋଭିଡ୍ କଟକଣା ଭିତରେ ହେବ ବ୍ୟବସାୟ । ପୂର୍ବପରି ୧ ନମ୍ବର ହାଟ ମଦର୍ସ ପବ୍ଲିକ ସ୍କୁଲ ପଡ଼ିଆକୁ ଉଠିଯାଇପାରେ । ଗୋଟିଏ ପଟେ ଖୁଚୁରା ବ୍ୟବସାୟୀ ଓ ଅନ୍ୟପଟେ ହୋଲେସେଲ ବ୍ୟବସାୟୀ ବସିବେ । ସେହିଭଳି ୟୁନିଟ-୪ ମାର୍କେଟ ରେଡକ୍ରସ ଭବନ ପାଖ ରାସ୍ତା କଡ଼କୁ ଉଠିବା ନେଇ ପ୍ରସ୍ତୁତି ଜାରି ରହିଛି । ନିଜ ଆଡୁ ଆବଶ୍ୟକ ସମସ୍ତ ସହଯୋଗ କରିବାକୁ ଉଭୟ ମାର୍କେଟ ସଙ୍ଘ ସହମତି ପ୍ରଦାନ କରିଛନ୍ତି । ବ୍ୟବସାୟ ପ୍ରଭାବିତ ହେବାର ଆଶଙ୍କା ରହିଥିଲେ ମଧ୍ୟ ଜୀବନ ବଞ୍ଚାଇ ଜୀବିକା କରିବାକୁ ପଡ଼ିବ ବୋଲି ୟୁନିଟ୍‌-୧ ହାଟ ସଭାପତି ଗୟାଧର ହୋତା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking