28.1 C
Bhubaneswar
Saturday, April 27, 2024
Homeଓଡିଶାହାତୀ କରିଡରରେ କ୍ରସର ୟୁନିଟ, ବାରମ୍ବାର ବ୍ଲାଷ୍ଟିଙ୍ଗ ଯୋଗୁଁ ଗତିପଥ ବଦଳାଇ ହାତୀ ପଲ ଗାଁ...

ହାତୀ କରିଡରରେ କ୍ରସର ୟୁନିଟ, ବାରମ୍ବାର ବ୍ଲାଷ୍ଟିଙ୍ଗ ଯୋଗୁଁ ଗତିପଥ ବଦଳାଇ ହାତୀ ପଲ ଗାଁ ମୁହାଁ

ତେଲକୋଇ : ହାତୀ କରିଡର ନିକଟରେ ପଥର କ୍ରସର ନିର୍ମାଣ ଯୋଗୁଁ ଗଜରାଜ ଏବେ ଗାଁ ମୁହାଁ । ତେଲକୋଇ ବନାଞ୍ଚଳରେ ହାତୀଙ୍କ ଚଳପ୍ରଚଳ ଅଧିକ ଥିବାବେଳେ ଏଠାରେ ଷ୍ଟୋନ କ୍ରସର ସଂଖ୍ୟା ମଧ୍ୟ ଅଧିକ ରହିଛି । କ୍ରସର ୟୁନିଟ ପାଇଁ ପଥରର ଆବଶ୍ୟକତା ଥିବାବେଳେ ଜଙ୍ଗଲରେ ଥିବା ପାହାଡରେ ରାତି ଦିନ ଅହରହ ବ୍ଲାଷ୍ଟିଙ୍ଗ କରାଯାଉଛି । ଯାଫଳରେ ସାଧାରଣ ଲୋକଙ୍କ ସହିତ ବନ୍ୟଯନ୍ତୁ ମଧ୍ୟ ପ୍ରଭାବିତ ହେଉଥିବା ଅଭିଯୋଗ ହେଉଛି । ଗତିପଥ ବଦଳାଇ ହାତୀ ପଲ ଗାଁ ମୁହାଁ ହୋଇ ବହୁ କ୍ଷୟକ୍ଷତି ଘଟାଉଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ଅଞ୍ଚଳରେ ।
ତେଲକୋଇ ତହସିଲ ଓ ବାଶଂପାଳ ତହସିଲ ଅଞ୍ଚଳରେ ରହିଛି ପାଞ୍ଚଟି କ୍ରସର ୟୁନିଟ । ଯାହାପାଇଁ ଦୈନିକ ହଜାର ହଜାର ଟନର ପଥରର ଆବଶ୍ୟକ ପଡିଥାଏ । ସେଥିପାଇଁ ପାହାଡରେ ବ୍ଲାଷ୍ଟିଙ୍ଗ କରାଯାଉଛି ଏବଂ ସେସବୁ ପଥରକୁ ୧୦ ଚକିଆ ହାଇଓ୍ବା ଗାଡ଼ିରେ କ୍ରସରକୁ ବୁହାଯାଉଛି । ଦୈନିକ ଶହ ଶହ ଟ୍ରିପ ପଥର ଗାଁ ରାସ୍ତାରେ ବୁହା ଯାଉଥିବାରୁ ରାସ୍ତାର ଅବସ୍ଥା ମଧ୍ୟ ଖରାପ ହୋଇପଡୁଛି । ବ୍ଲାଷ୍ଟିଙ୍ଗ ଦ୍ବାରା ବନ୍ୟଯନ୍ତୁ ପ୍ରଭାବିତ ହେବା ସହିତ ପାଖ ଗାଁ ଗୁଡିକରେ ଥିବା ଘର ମଧ୍ୟ ଦୋହଲି ଯାଉଛି । ହାତୀ ପଲ ଗତିପଥ ବଦଳାଇ ଗାଁ ମୁହାଁ ହୋଇ ବ୍ୟାପକ ଫସଲ ନଷ୍ଟ କରିବା ସହ ଘର ଭାଙ୍ଗୁଛନ୍ତି । ବେଳେ ବେଳେ ହାତୀ ଆକ୍ରମଣର ଶିକାର ହେଉଛନ୍ତି ସାଧାରଣ ଲୋକେ ।
ସେହିଭଳି ତେଲକୋଇ ତହସିଲ ସିମା ଓ ବାଶଂପାଳ ତହସିଲ ସିମାନ୍ତ ଅନ୍ତର୍ଗତ କାକୁଡିଅମ୍ବା ଗାଁ ନିକଟ ଲୁକାଚୁପି ପାହାଡରେ ରହିଛି ଏକ ପଥର କ୍ରସର । କ୍ରସର ନିକଟରେ ରହିଛି ତେଲକୋଇ -ପାଲ୍ଲଲହଡା ହାତୀ କରିଡର । ସେଠାରେ ଦିନବେଳା ବ୍ଲାଷ୍ଟିଙ୍ଗ ହେବା ଫଳରେ ଗାଇ ଓ ଛେଳି ଚରାଳିଙ୍କ ଦେହରେ ମଧ୍ୟ ପଥର ବାଜୁଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ରାତ୍ରି ସମୟରେ ବ୍ଲାଷ୍ଟିଙ୍ଗ ଯୋଗୁଁ ହାତୀମାନେ ମଧ୍ୟ ଗତିପଥ ବଦଳାଇ ଗାଁ ମୁହାଁ ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି । କ୍ରସରକୁ ଆସୁଥିବା ଭାରିଯାନ ଯୋଗୁଁ ଗାଁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଛି । ରାସ୍ତାର ପିଚୁ ଉଠିଯାଇ ମେଣ୍ଟାଲ ଦେଖାଯାଉଛି । ଯାତାୟାତରେ ବହୁତ ଅସୁବିଧା ହେଉଛି । ଏହାକୁ ନେଇ ଜିଲ୍ଲାପାଳଙ୍କୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଫଳଶୂନ ହେବାରୁ ଏହାକୁ ବିରୋଧ କରି କାକୁଡିଅମ୍ବା ଗ୍ରାମବାସୀ ଆଜି ରୁଗୁଡିହ -କାକୁଡିଅମ୍ବା ରାସ୍ତାକୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଅବରୋଧ କରିଛନ୍ତି । ସମସ୍ୟାର ସମାଧାନ ନହେବା ଯାଏ ଆନ୍ଦୋଳନରୁ ନ ହଟିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking