31.1 C
Bhubaneswar
Sunday, May 5, 2024
Homeଖେଳକୋହଲି-ପାଟିଦାରଙ୍କ ଅର୍ଦ୍ଧଶତକ: ହାଇଦ୍ରାବାଦ ୩୫ ରନ୍‌ରେ ପରାଜିତ

କୋହଲି-ପାଟିଦାରଙ୍କ ଅର୍ଦ୍ଧଶତକ: ହାଇଦ୍ରାବାଦ ୩୫ ରନ୍‌ରେ ପରାଜିତ

ହାଇଦ୍ରାବାଦ: ବିରାଟ କୋହଲି ଓ ରଜତ ପାଟିଦାରଙ୍କ ଅର୍ଦ୍ଧଶତକ ପରେ ବୋଲର୍‌ଙ୍କ ଚମତ୍କାର ପ୍ରଦର୍ଶନ ବଳରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଚଳିତ ଆଇପିଏଲ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌)କୁ ୩୫ ରନ୍‌ରେ ହରାଇଦେଇଛି । ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଗୁରୁବାର ଖେଳାଯାଇଥିବା ୪୧ତମ ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଆର୍‌ସିବି ୭ ୱିକେଟ୍ ହରାଇ ୨୦୬ ରନ୍ କରିଥିଲା । ଜବାବରେ ଏସ୍‌ଆର୍‌ଏଚ୍ ନିର୍ଦ୍ଧାରିତ ୨୦ ଓଭର୍‌ରେ ୮ ୱିକେଟ୍ ବିନିମୟରେ ୧୭୧ ରନ୍ କରିବାକୁ ସଫଳ ହୋଇଥିଲା । ଏହା ଚଳିତ ସିଜନ୍‌ରେ ଆର୍‌ସିବିର ୬ଟି ପରାଜୟ ପରେ ପ୍ରଥମ ବିଜୟ ହୋଇଥିବା ବେଳେ ଏହି ବିଜୟ ସହ ଟିମ୍ ପ୍ଲେଅଫ୍ ଆଶା ଉଜ୍ଜୀବିତ କରିଛି । ଅନ୍ୟପକ୍ଷରେ ୮ଟି ମ୍ୟାଚ୍ ଖେଳିଥିବା ହାଇଦ୍ରାବାଦ ଚାରିଟି ବିଜୟ ପରେ ପ୍ରଥମ ପରାଜୟ ବରଣ କରିଛି । ତେବେ ଏହି ମ୍ୟାଚ୍‌ର ଫଳାଫଳ ପଏଣ୍ଟ୍ ଟେବଲ୍ ଉପରେ କୌଣସି ପ୍ରଭାବ ପକାଇ ନାହିଁ । ଆର୍‌ସିବି ୯ ମ୍ୟାଚ୍‌ରୁ ଦୁଇଟି ବିଜୟ ସହ ନିମ୍ନରେ ରହିଥିବା ବେଳେ ଏସ୍‌ଆର୍‌ଏଚ୍ ପୂର୍ବପରି ତୃତୀୟ ସ୍ଥାନରେ କାଏମ୍ ରହିଛି ।

୨୦୭ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ହାଇଦ୍ରାବାଦ ୬୯ ରନ୍ ମଧ୍ୟରେ ଶୀର୍ଷ ପାଞ୍ଚଜଣ ବ୍ୟାଟର୍‌ଙ୍କୁ ହରାଇଥିଲା । ପ୍ରଥମ ଓଭର୍‌ରେ କର୍ଣ୍ଣ ଶର୍ମାଙ୍କ ହାତରେ କ୍ୟାଚ୍ କରାଇ ୱିଲ୍ ଜ୍ୟାକ୍ସ ଇମ୍ପାକ୍ଟ ପ୍ଲେୟର୍ ଟ୍ରାଭିସ୍ ହେଡ୍‌(୧)ଙ୍କୁ ପ୍ୟାଭଲିୟନ୍ ଫେରାଇବା ପରେ ୟଶ୍ ଦୟାଲ୍ ଅନ୍ୟତମ ଓପ୍ନର୍ ଅଭିଷେକ ଶର୍ମାଙ୍କୁ ୱିକେଟ୍ ପଛରେ କ୍ୟାଚ୍ କରାଇଥିଲେ । ଅଭିଷେକ ୧୩ ବଲ୍‌ରେ ୩ ଚୌକା ଓ ୨ ଛକା ସହାୟତାରେ ୩୧ ରନ୍ କରିଥିଲେ । ନିଜର ସ୍ପେଲ୍‌ର ପ୍ରଥମ ଓଭର୍‌ରେ ଆଇଦେନ୍ ମାର୍କରମ୍ (୭) ଏବଂ ହେନ୍‌ରିକ୍ କ୍ଲାସେନ୍ (୭)ଙ୍କୁ ଆଉଟ୍ କରି ସ୍ୱପ୍ନିଲ୍ ସିଂହ ହାଇଦ୍ରାବାଦ୍‌କୁ ଡବଲ୍ ଝଟ୍‌କା ଦେଇଥିଲେ । ନୀତୀଶ ରେଡ୍ଡୀ ୧୩ ରନ୍ କରିଥିବା ବେଳେ କର୍ଣ୍ଣ ଶର୍ମାଙ୍କ ବଲ୍‌ରେ ବୋଲ୍ଡ ହୋଇଥିଲେ । ଅବ୍‌ଦୁଲ୍ ସମଦ (୧୦) ଦଶମ ଓଭର୍‌ର ପ୍ରଥମ ବଲ୍‌ରେ କର୍ଣ୍ଣ ଶର୍ମାଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ହାଇଦ୍ରାବାଦ୍ ୮୫ ରନ୍‌ରେ ୬ ୱିକେଟ୍ ହରାଇବା ପରେ ଶାହବାଜ ଅହମଦ୍‌ଙ୍କ ସହ ଯୋଗଦେଇ କ୍ୟାପ୍‌ଟେନ୍ ପ୍ୟାଟ୍ କମିନ୍ସ ଇନିଂସ୍ ସମ୍ଭାଳି ୩୯ ରନ୍‌ର ଭାଗୀଦାରି କରିଥିବା ବେଳେ ସିରାଜ୍‌ଙ୍କ ଦ୍ୱାରା କ୍ୟାଚ୍ କରାଇ କମିନ୍ସଙ୍କୁ ଗ୍ରୀନ୍ ପ୍ୟାଭିଲିୟନ୍ ବାଟ ଦେଖାଇଥିଲେ ।

କମିନ୍ସ ୧୫ ବଲ୍‌ରେ ଗୋଟିଏ ଚୌକା ଓ ତିନି ଛକା ସହାୟତାରେ ୩୧ ରନ୍ କରିଥିଲେ । ଭୁବନେଶ୍ୱର କୁମାର ୧୩ ରନ୍ କରି ଗ୍ରୀନ୍‌ଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ଶାହବାଜ୍ ଅହମଦ ୩୭ ବଲ୍‌ରେ ସର୍ବାଧିକ ୪୦ ରନ୍ କରି ଉନାଦ୍‌କତ୍ (୮)ଙ୍କ ସହ ଅପରାଜିତ ରହିଥିଲେ । ଆର୍‌ସିବି ପକ୍ଷରୁ ଡେବ୍ୟୁଟାଣ୍ଟ୍ ସ୍ୱପ୍ନିଲ୍ ସିଂହ, କର୍ଣ୍ଣ ଶର୍ମା ଏବଂ କାମେରନ୍ ଗ୍ରୀନ୍ ଦୁଇଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ୱିଲ୍ ଜ୍ୟାକ୍ସ ଓ ୟଶ୍ ଦୟାଲ୍‌ଙ୍କୁ ଗୋଟିଏ ଲେଖାଏଁ ସପଳତା ମିଳିଥିଲା । ଟସ୍ ଜିତି ବ୍ୟାଟିଂ ନେଇଥିବା ଆର୍‌ସିବି କର ବା ମର ମ୍ୟାଚ୍‌ରେ ସତର୍କତାର ସହ ଆରମ୍ଭ କରିଥିଲା । ବିରାଟ କୋହଲି ମ୍ୟାଚ୍‌ର ପ୍ରଥମ ବଲ୍‌ରେ ଚୌକା ସହ ଟିମ୍‌ର ଖାତା ଖୋଲିଥିଲେ । ପ୍ରଥମ ୱିକେଟ୍ ପାଇଁ କୋହଲି ଓ କ୍ୟାପ୍‌ଟେନ୍ ଫାପ୍ ଡୁପ୍ଲେସିସ୍‌ଙ୍କ ମଧ୍ୟରେ ୪୮ ରନ୍‌ର ଭାଗୀଦାରି ହୋଇଥିଲା । ତେବେ ଚତୁର୍ଥ ଓଭର୍‌ରେ ଆଇଦେନ୍ ମାର୍କରମ୍‌ଙ୍କ ହାତରେ ଡୁପ୍ଲେସିସ୍‌ଙ୍କୁ କ୍ୟାଚ୍ କରାଇ ଟି. ନଟରାଜନ୍ ଟିମ୍‌କୁ ପ୍ରଥମ ଝଟ୍‌କା ଦେଇଥିଲେ । ଡୁପ୍ଲେସିସ୍ ୧୨ ବଲ୍‌ରେ ୩ ଚୌକା ଓ ଗୋଟିଏ ଛକା ସହାୟତାରେ ୨୫ ରନ୍ କରିଥିଲେ । ଏହାପରେ ୱିଲ୍ ଜ୍ୟାକ୍ସ (୬) ଶସ୍ତାରେ ମୟଙ୍କ ମାର୍କଣ୍ଡେଙ୍କ ବଲ୍‌ରେ ବୋଲ୍ଡ ହୋଇଥିଲେ । ଏହାପରେ କ୍ରିଜ୍‌ରେ କୋହଲିଙ୍କ ସହ ଯୋଗ ଦେଇଥିବା ରଜତ ପାଟିଦାର ଇନିଂସ୍ ଆଗେଇ ନେବା ସହ ଟିମ୍‌ର ସ୍କୋର ୧୦୦ ରନ୍ ପାର୍ କରାଇଥିଲେ ।

ଉଭୟଙ୍କ ମଧ୍ୟରେ ତୃତୀୟ ୱିକେଟ୍ ପାଇଁ ୩୪ ବଲ୍‌ରେ ୬୫ ରନ୍‌ର ଭାଗୀଦାରୀ ହେବାପରେ ୧୯ ବଲ୍‌ରେ ୨ଟି ଚୌକା ଓ ୫ ଛକା ସାହାଯ୍ୟରେ ଅର୍ଦ୍ଧଶତକ ପୂରଣ କରିଥିବା ପାଟିଦାର ଜୟଦେବ ଉନାଦକତ୍‌ଙ୍କ ବଲ୍‌ରେ ଅବ୍‌ଦୁଲ ସମଦଙ୍କୁ କ୍ୟାଚ୍ ଦେଇ ଫେରିଥିଲେ । ଏହା ମଧ୍ୟରେ ପାଟିଦାର ଆର୍‌ସିବି ପାଇଁ ଏକ କୀର୍ତ୍ତିମାନ କରିଥିଲେ । ଏତେ କମ୍ ସଂଖ୍ୟକ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିବାରେ ସେ ୧୧ ବର୍ଷ ପରେ ଆର୍‌ସିବିର ପ୍ରଥମ ଖେଳାଳି ହୋଇଥିଲେ । ପାଟିଦାରଙ୍କ ପରେ ୪୨ ବଲ୍‌ରେ ୪ ଚୌକା ଓ ଗୋଟିଏ ଛକା ସହାୟତାରେ ସିଜନ୍‌ର ତୃତୀୟ ତଥା ଆଇପିଏଲ୍ କ୍ୟାରିୟର୍‌ରେ ୫୩ତମ ଅର୍ଦ୍ଧଶତକ ପୂରଣ କରିଥିବା କୋହଲି ୫୧ ରନ୍ କରି ବିଦାୟ ନେଇଥିଲେ । ଉଦାନକତ୍ ତାଙ୍କୁ ଅବ୍‌ଦୁଲ୍ ସମଦଙ୍କ ହାତରେ କ୍ୟାଚ୍ କରାଇଥିଲେ । କୋହଲିଙ୍କ ଆଉଟ୍ ବେଳକୁ ଆର୍‌ସିବି ୪ ୱିକେଟ୍ ବିନିମୟରେ ୧୪୦ ରନ୍ କରିଥିଲା । ୧୭ତମ ଓଭର୍‌ରେ ମହିପାଲ୍ ଲୋମରର୍ ମାତ୍ର ୭ ରନ୍ କରି ଉନାଦ୍‌କତ୍‌ଙ୍କ ତୃତୀୟ ଶିକାର ହୋଇଥିଲେ । ଦିନେଶ କାର୍ତ୍ତିକ ୧୧ ରନ୍‌ରେ ଆଉଟ୍ ହୋଇଥିବା ବେଳେ ସ୍ୱପ୍ନିଲ୍ ସିଂହ (୧୨)ଙ୍କ ସହ ମିଶି କାମେରନ୍ ଗ୍ରୀନ୍ ଟିମ୍‌ର ସ୍କୋର୍ ୨୦୬ ରନ୍‌ରେ ପହଞ୍ଚାଇଥିଲେ । ସ୍ୱପ୍ନିଲ୍ ଶେଷ ବଲ୍‌ରେ ନଟରାଜନ୍‌ଙ୍କ ଶିକାର ହୋଇଥିଲେ । ଗ୍ରୀନ୍ ୨୦ ବଲ୍‌ରୁ ୫ ଚୌକା ସହାୟତାରେ ୩୭ ରନ୍ କରି ଅପରାଜିତ ରହିଥିଲେ । ସନ୍‌ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଉନାଦକତ୍ ସର୍ବାଧିକ ୩ଟି, ନଟରାଜନ୍ ୨ଟି ଏବଂ କମିନ୍ସ ଓ ମାକଣ୍ଡେ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking