32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଟ୍ୱିଟର ମାନଚିତ୍ରରେ ଜମ୍ମୁ-କଶ୍ମୀର, ଲଦାଖ ସ୍ୱତନ୍ତ୍ର ରାଷ୍ଟ୍ର

ଟ୍ୱିଟର ମାନଚିତ୍ରରେ ଜମ୍ମୁ-କଶ୍ମୀର, ଲଦାଖ ସ୍ୱତନ୍ତ୍ର ରାଷ୍ଟ୍ର

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମ ଟ୍ୱିଟର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ଥମୁନଥିବାବେଳେ ଆଉ ଏକ ଘଟଣାକୁ ନେଇ ବିତର୍କର ସୂତ୍ରପାତ ହୋଇଛି । ଟ୍ୱିଟର ୱେବ୍‌ସାଇଟ୍‌ରେ ସ୍ଥାନିତ କରାଯାଇଥିବା ଭାରତ ମାନଚିତ୍ରରେ ଜମ୍ମୁ-କଶ୍ମୀର ଓ ଲଦାଖକୁ ସ୍ୱତନ୍ତ୍ର ରାଷ୍ଟ୍ରଭାବେ ଚିତ୍ରିତ କରାଯାଇଛି । ଟ୍ୱିଟରରେ ଜମ୍ମୁ-କଶ୍ମୀରକୁ ସ୍ୱାଧୀନ ରାଷ୍ଟ୍ରଭାବେ ଚିହ୍ନଟ କରାଯାଇଥିବାବେଳେ ଲଦାଖ୍‌କୁ ଚୀନ୍‌ର ଅଂଶବିଶେଷ ବୋଲି ଦର୍ଶାଯାଇଛି । ଟ୍ୱିଟର ୱେବ୍‌ସାଇଟ୍‌ର କ୍ୟାରିୟର ପୋର୍ଟାଲରେ ଥିବା ଟ୍ୱିପ୍ ଲାଇଫ୍ ସେକ୍ସନରେ ଏଭଳି ଏକ ବିବାଦୀୟ ମାନଚିତ୍ରକୁ ସ୍ଥାନିତ କରାଯାଇଛି । ଗଣମାଧ୍ୟମରେ ଏକଥା ଜଣାପଡିବାପରେ ଟ୍ୱିଟର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି କେନ୍ଦ୍ର ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

୨୦୨୦ ଅକ୍ଟୋବରରେ ଲଦାଖ୍‌କୁ ଚୀନ୍‌ର ଅଂଶବିଶେଷ ଦର୍ଶାଇଥିବାରୁ ଟ୍ୱିଟର କର୍ତ୍ତୃପକ୍ଷ ସେତେବେଳେ କ୍ଷମାପ୍ରାର୍ଥନା କରି ଏହାକୁ ସଂଶୋଧନ କରିଥିଲେ । ପୁନଶ୍ଚ ନଭେମ୍ବରରେ ଲେହ୍‌କୁ ଲଦାଖ ପରିବର୍ତ୍ତେ ଜମ୍ମୁ-କଶ୍ମୀରର ଏକ ଅଞ୍ଚଳ ବୋଲି ଟ୍ୱିଟରରେ ଉଲ୍ଲେଖ କରାଯାଇଥିଲା । ସରକାରଙ୍କ ପକ୍ଷରୁ ପ୍ରତିବାଦ ହେବାପରେ ପୁଣି ଏହାକୁ ସଂଶୋଧନ କରାଯାଇଥିଲା । ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ନୂଆ ସୂଚନା ଓ ପ୍ରଯୁକ୍ତି ଆଇନକୁ ମାନିବାକୁ ଟ୍ୱିଟର କୁଣ୍ଠାବୋଧ କରୁଥିବାରୁ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଗତ ସପ୍ତାହରେ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ କଂଗ୍ରେସ ସାଂସଦ ଶଶୀ ଥରୁରଙ୍କ ଆକାଉଣ୍ଟକୁ ବ୍ଲକ୍ କରାଯାଇଥିବାରୁ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking