28.1 C
Bhubaneswar
Saturday, April 27, 2024
Homeକରୋନା ଓଡିଶାଯାଜପୁର ଜିଲ୍ଲାରେ କରୋନା ସଂକ୍ରମଣ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ

ଯାଜପୁର ଜିଲ୍ଲାରେ କରୋନା ସଂକ୍ରମଣ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ

 

ଯାଜପୁର: ରାଜ୍ୟ ସରକାର ଲାଗୁ କରିଥିବା ୧୫ଦିନିଆ ଲକ୍ ଡାଉନ୍ ଏବଂ ସପ୍ତାହନ୍ତ ସଟ୍ ଡାଉନ୍ କଟକଣା ସମଗ୍ର ଜିଲ୍ଲାରେ ବଳବତ୍ତର ରହିଥିଲେ ମଧ୍ୟ ଏହି ଅବଧି ମଧ୍ୟରେ କିନ୍ତୁ ଦୈନିକ କରୋନା ସଂକ୍ରମଣ ହାର ହ୍ରାସ ପାଇବା ପରିବର୍ତ୍ତେ ପୂର୍ବାପେକ୍ଷା ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ଘଟଣାରୁ ସ୍ପଷ୍ଟ ବୁଝା ପଡିଯାଉଛି ଯେ ଏସବୁ କଟକଣା ଲୋକଙ୍କ ଉପରେ ଆଦୌ ପ୍ରଭାବ ପକାଇ ପାରିନାହିଁ ! ନୋହିଲେ ଏତେ କଟକଣା ଭିତରେ ବି ଗତ ୫ତାରିଖଠାରୁ ଶନିବାର ସୁଦ୍ଧା ବିଗତ ୧୧ଦିନ ମଧ୍ୟରେ ମୋଟ ୩୪୮୧ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ଦୈନିକ ସଂକ୍ରମଣ ହାରାହାରି ୩୧୬ରୁ ଉର୍ଦ୍ଧ୍ବ ଆସୁ ନ ଥାନ୍ତା ! କିଛି ଲୋକେ ତ ପୁରା ଅମାନିଆ ହୋଇ ରହିଛନ୍ତି ଆଉ ଗ୍ରାମାଞ୍ଚଳରେ ମଧ୍ୟ କଟକଣାର ପ୍ରଭାବ ପ୍ରାୟତଃ ଅନୁଭୂତ ହେଉନାହିଁ । ତେଣୁ ଗ୍ରାମାଞ୍ଚଳରେ ଏବେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଏବଂ ସମସ୍ତ କୋଭିଡ଼ ଲକ୍ଷଣ ଥାଇ ବି ମଧ୍ୟ ଅନେକ ଲୋକ ଭୟରେ ସରକାରୀ ହସ୍ପିଟାଲ୍ ଯାଉନାହାନ୍ତି କିମ୍ୱା ପରୀକ୍ଷା କରାଇବାକୁ ନ ଯାଇ ଗାଁ ଗହଳିରେ ବେପାର ପସରା ମେଲାଇଥିବା କ୍ବାକ୍ ମାନଙ୍କଠାରୁ ଔଷଧ ଖାଇବାକୁ ପସନ୍ଦ କରୁଛନ୍ତି । ମାତ୍ର ସେଥିରୁ କିଛି ଲୋକ ସୁସ୍ଥ ହୋଇ ଯାଉଥିଲେ ମଧ୍ଯ ଅନେକ ଲୋକଙ୍କ ଜୀବନ ଆବଶ୍ୟକ ଚିକିତ୍ସା ଅଭାବରୁ ନିଜ ଘରେ ଦୟନୀୟ ଅବସ୍ଥାରେ ଚାଲି ଯାଉଛି । ଇତିମଧ୍ୟରେ ଜିଲ୍ଲାରେ ଯେତେ ଲୋକ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁଜନିତ ଲକ୍ଷଣ ଉପରେ ସମୀକ୍ଷାରୁ ଏହା ଜଣାପଡ଼ିଛି ! ମୃତ୍ୟୁ ପୂର୍ବରୁ ଯେହେତୁ କୋଭିଡ଼ ଲକ୍ଷଣ ଯୁକ୍ତ ମୃତକଙ୍କ ପରୀକ୍ଷା କରାଯାଇ କୋଭିଡ଼ ଚିହ୍ନଟ ହୋଇ ନ ଥିଲା ସରକାରୀ ଭାବେ ସେମାନଙ୍କ ମୃତ୍ୟୁକୁ କରୋନା ଜନିତ ବୋଲି ବିବେଚନା କରାଯାଉନାହିଁ ! ଏହାକୁ ବିଚାର କଲେ ଜିଲ୍ଲାରେ ସରକାରୀ ହିସାବରେଠାରୁ ଯଥେଷ୍ଟ ଅଧିକ ଲୋକ ଇତିମଧ୍ୟରେ ମୃତ୍ୟୁବରଣ କରି ସାରିଲେଣି ବୋଲି ନିଶ୍ଚିତ ହେବାକୁ ପଡ଼ିବ । ଅନ୍ୟପକ୍ଷରେ ପରିବାର ଲୋକ ଓ ବନ୍ଧୁବାନ୍ଧବ ବିନା କୌଣସି ସନ୍ତର୍ପଣ ଓ କଟକଣା ଅନୁପାଳନ ନ କରି ନିଜ ଘରେ ମୃତ୍ୟୁବରଣ କରିଥିବା ସମସ୍ତ କୋଭିଡ଼ ଲକ୍ଷଣ ଯୁକ୍ତ ମୃତକଙ୍କ ଶବ ସଂସ୍କାର ସାଧାରଣ ଭାବେ କରିବା ଦ୍ଵାରା ଯେ ସେମାନଙ୍କ ମଧ୍ୟରୁ କିଛି ଲୋକ ମୃତକଙ୍କଠାରୁ ସଂକ୍ରମିତ ହୋଇ ଯାଉ ନ ଥିବେ ଏମିତି ଆଶଙ୍କା କରିବା ମଧ୍ୟ ଆଦୌ ଅମୂଳକ ନୁହେଁ । ଏସବୁ କେବଳ ଅସଚତେନତାର କୁପରିଣାମ ବୋଲି ହିଁ କହିବା ଭୁଲ୍ ହେବ ନାହିଁ ! ଗାଁ ଗହଳିରେ ଘର ଘର ବୁଲି ଅସ୍ବାଭାବିକ କାଶ ଓ ଜ୍ବରରେ ପୀଡ଼ିତ ଲୋକମାନଙ୍କୁ ଅଙ୍ଗନୱାଡି, ସ୍ବାସ୍ଥ୍ୟ କର୍ମୀ, ଆଶା କର୍ମୀ ମାନେ ଚିହ୍ନଟ କରି ସେମାନଙ୍କ କୋଭିଡ଼ ପରୀକ୍ଷା କରାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଉଦ୍ୟମ କରାଯିବା ଏବେ ଜରୁରୀ ହୋଇ ପଡିଛି । ସେପଟେ ଯାଜପୁରଠାରେ ଏନସି କୋଭିଡ଼ କେୟାର ସେଣ୍ଟରରେ ରୋଗୀ ମାନଙ୍କୁ ଆବଶ୍ୟକ ଯତ୍ନ ଓ ଚିକିତ୍ସା ସୁବିଧା ମିଳୁ ନ ଥିବା ନେଇ ବାରମ୍ବାର ଅଭିଯୋଗ ଆସୁଥିବାରୁ ତାହାର ସୁଧାର କରାଯିବା ଆବଶ୍ୟକ । ତେଣୁ ଏସବୁ ଦିଗ ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଏବେ ଉଚିତ୍ ହେବ ଏବଂ ପୋଲିସ୍ ଓ ସ୍ଥାନୀୟ ପ୍ରଶାସନ ମଧ୍ୟ ଲକ୍ ଡାଉନ୍ ଓ ସପ୍ତାହନ୍ତ ସଟ୍ ଡାଉନ୍ କଟକଣାକୁ ଉଲଘଂନ କରୁଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ଅନ୍ୟ ଜିଲ୍ଲା ପରି ଯାଜପୁର ଜିଲ୍ଲାର ସଂକ୍ରମଣ ସ୍ଥିତି ଅଣାୟତ୍ତ ହୋଇ ପଡ଼ିବାର ଆଶଙ୍କା ପ୍ରକାଶ ପାଇଛି ।

ରିପୋର୍ଟ ଅଭିମନ୍ୟୁ ମିଶ୍ର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking