31.1 C
Bhubaneswar
Tuesday, April 30, 2024
Homeଓଡିଶାଡରାଉଛି ଖରା; ୩ଦିନ ଜାଳିବ, ୨୦ରୁ ଖସିବ

ଡରାଉଛି ଖରା; ୩ଦିନ ଜାଳିବ, ୨୦ରୁ ଖସିବ

ଭୁବନେଶ୍ୱର: ଡରାଉଛି ଖରା । ଜଳୁଛି ସାରା ଓଡ଼ିଶା । ଅସହ୍ୟ ତାତିରେ କଲବଲ ରାଜ୍ୟବାସୀ । ମଙ୍ଗଳବାର ଦିନ ସାଢ଼େ ୨ସୁଦ୍ଧା ଭୁବନେଶ୍ୱର ସମେତ ୬ ସହରରେ ପାରଦ ୪୦ ଡିଗ୍ରୀ ପାର୍ କରିଥିଲା । ଭୁବନେଶ୍ୱରରେ ସର୍ବାଧିକ ୪୧.୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି । ଏହି ସମୟରେ ତାପମାତ୍ରା ୪ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧିପାଇବ । ଆସନ୍ତା ୨୦ତାରିଖ ଯାଏଁ କିଛି ସ୍ଥାନରେ ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ମଧ୍ୟ ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ମଙ୍ଗଳବାର ରାଜ୍ୟର ୨୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ବା ତା’ଠାରୁ ଅଧିକ ରେକର୍ଡ ହୋଇଛି । ବାରିପଦାରେ ସବୁଠୁ ଅଧିକ ଖରା ହୋଇଛି । ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ କରାଯାଇଛି । ରାଜ୍ୟରେ ଆଗକୁ ମଧ୍ୟ ଏଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ । ସେଥିପାଇଁ ପାଣିପାଗ ବିଭାଗ ଆସନ୍ତା ୫ ଦିନ ପାଇଁ ଗ୍ରୀଷ୍ମ ପ୍ରବାହ ଓ ଉଷ୍ମ-ଆଦ୍ର ସ୍ଥିତି ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ତେବେ ଆଶ୍ୱସ୍ତିର ଖବର ଏହା ଯେ ୨୦ ତାରିଖ ବେଳକୁ ପାଗରେ ସାମନ୍ୟ ପରିବର୍ତ୍ତନ ଆସିପାରେ । ସେହିଦିନ ରାଜ୍ୟର କିଛି ଅଞ୍ଚଳରେ ହାଲ୍‌କା ବର୍ଷା ହୋଇପାରେ । ସେହିପରି ୨୧ ଓ ୨୨ ତାରିଖରେ ମଧ୍ୟ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ବର୍ତ୍ତମାନ ରାଜ୍ୟ ମଧ୍ୟକୁ ଉତ୍ତର-ପଶ୍ଚିମ ତଥା ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେଉଛି । ଏହାର ପ୍ରଭାବରେ ଆଗାମୀ ତିନି ଦିନ ମଧ୍ୟରେ ଦିନର ତାପମାତ୍ରା ଆହୁରି ୨ରୁ ୪ ଡିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଖାସ୍‌କରି ୧୮ ଓ ୧୯ ତାରିଖରେ ଖରା ପିକ୍‌ରେ ରହିବ (ଶିଖର ଛୁଇଁବ) । କିଛି ଜିଲ୍ଲାରେ ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ରେକର୍ଡ କରାଯିବାର ସମ୍ଭାବନା ରହିଛି । ୧୯ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ୨୦ରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ଅଛି । କାରଣ ଗୁରୁଚାପ ବଳୟ ପ୍ରଭାବରେ କିଛି ପରିମାଣରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରିବ । ତେଣୁ କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ୨୧ ଓ ୨୨ରେ ଏକ ନିମ୍ନ ଚାପରେଖା ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା- ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହୁଛି । ୨୦ ତାରିଖରେ ପ୍ରବଳ ଖରା ହେବ; କିନ୍ତୁ ୧୮ ଓ ୧୯ ଅପେକ୍ଷା କମ୍ ରହିବ । ଦିନର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀକୁ ଖସିବ । ଅନୁଗୋଳରେ ସେଦିନ ସର୍ବୋଚ୍ଚ ଦିନ ତାପମାତ୍ରା ୪୪ ଡିଗ୍ରୀ ରହିପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking