27.1 C
Bhubaneswar
Tuesday, May 7, 2024
Homeଅପରାଧଆଇଏଏସ୍ ଅଧିକାରୀଙ୍କୁ ପିଟିଲେ ପଥର ମାଫିଆ: ୪ କର୍ମଚାରୀ ଗୁରୁତର, ୮ ଅଭିଯୁକ୍ତ ଗିରଫ

ଆଇଏଏସ୍ ଅଧିକାରୀଙ୍କୁ ପିଟିଲେ ପଥର ମାଫିଆ: ୪ କର୍ମଚାରୀ ଗୁରୁତର, ୮ ଅଭିଯୁକ୍ତ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ସହରରେ ଲଘୁ ଖଣିଜ ଦ୍ରବ୍ୟ ଚୋରା କାରବାର ନେଇ ବିଭିନ୍ନ ସମୟରେ ଖବର ପ୍ରସାରଣ ଓ ପ୍ରଶାସନ ପକ୍ଷରୁ ଚଢ଼ଉ ପରେ ମଧ୍ୟ ଏହି ଚୋରା କାରବାର କମିବାର ନାଁ ଧରୁନି । ପ୍ରଶାସନର ବେପରୁଆ ମନୋଭାବ ପାଇଁ ଲଘୁ ଖଣିଜ ଦ୍ରବ୍ୟ ଚୋରା କାରବାର ବୃଦ୍ଧି ପାଇବା ସହ ପଥର ମାଫିଆଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । ଏପରିକି ମାଫିଆଙ୍କ ହାବୁଡ଼ରୁ ପ୍ରଶାସନିକ ଅଧିକାରୀଙ୍କ ସମେତ ଆଇଏଏସ ଅଧିକାରୀମାନେ ମଧ୍ୟ ରକ୍ଷା ପାଇପାରୁନାହାନ୍ତି ।

ଏଭଳି ଏକ ଘଟଣା ୨ ଦିନ ଧରି ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ଓଡ଼ାପଡ଼ା ତହସିଲ ଇନ୍ଦିପୁର-ଗୁଣ୍ଡୁରାପଶି ଖଣିରୁ ଚୋରାଚାଲାଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସୋମବାର ବିଳମ୍ବିତ ରାତିରେ ଚଢ଼ଉ କରାଯାଇଥିବାବେଳେ ପଥର ମାଫିଆଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଛନ୍ତି ପ୍ରୋବେସନର ଆଇଏଏସ୍ ତଥା ଉପଜିଲ୍ଲାପାଳଙ୍କ ସମେତ ତହସିଲ କାର୍ଯ୍ୟାଳୟର ଉଚ୍ଚପଦସ୍ଥ ଅଧିକାରୀ ।

ଏ ନେଇ ଉପଜିଲ୍ଲାପାଳଙ୍କ ଏତଲା ଆଧାରରେ ସଦର ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୮ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ବିଜୟ ପ୍ରଧାନ, କୃତିବାସ ସାହୁ, ପ୍ରତାପ କୁମାର ବେହେରା, ରମେଶ ଚନ୍ଦ୍ର ପ୍ରଧାନ, ଜିତେନ୍ଦ୍ର କୁମାର ସାହୁ, ସୁବାସ ଚନ୍ଦ୍ର ସାହୁ, ପ୍ରିୟବ୍ରତ ନାୟକ, ଗୌରାଙ୍ଗ ସାହୁ । ପ୍ରକାଶ ଯେ, ଓଡାପଡା ତହସିଲ ଅନ୍ତର୍ଗତ ଇନ୍ଦିପୁର-ଗୁଣ୍ଡୁରାପଶି ପଥର ଖଣିରେ ସୋମବାର ବିଳମ୍ବିତ ରାତିରେ ବେଆଇନ ପଥର ଖନନ କରି ଚୋରାଚାଲାଣ କରାଯାଉଥିବା ସୂଚନା ପାଇ ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ତଥା ଆଇଏଏସ୍ ପ୍ରୋବେସନର ବିଭୁତି ଭୂଷଣ ନାୟକ, ଓଡାପଡା ତହସିଲ୍‌ଦାର ଏବଂ ତାଙ୍କ ଟିମ ସମେତ ୧୦ ଜଣ କର୍ମଚାରୀ ଅତର୍କିତ ଚଢ଼ଉ କରିଥିଲେ ।

ତେବେ ଧରାପଡ଼ିଯିବା ଭୟରେ ୨ ଜଣ ପଥର ମାଫିଆଙ୍କ ନେତୃତ୍ୱରେ ୧୨ରୁ ୧୪ ଜଣ ଅସାମାଜିକ ବ୍ୟକ୍ତି ଠେଙ୍ଗାବାଡି, ବନ୍ଧୁକ ଓ ମାରଣାସ୍ତ୍ର ଧରି ସେମାନଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ । ଉପଜିଲ୍ଲାପାଳଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଆତଙ୍କ ସୃଷ୍ଟି କରିବା ସହିତ ଗାଡି ଭଙ୍ଗାରୁଜା କରିଥିଲେ । ଏହି ଘଟଣାରେ ୪ ଜଣ କର୍ମଚାରୀ ଗୁରୁତର ହୋଇଛନ୍ତି । ଅନ୍ୟପଟେ ଘଟଣା ସୋମବାର ବିଳମ୍ବିତ ରାତିରେ ଘଟିଥିଲେ ମଧ୍ୟ ମଙ୍ଗଳବାର ସୁଦ୍ଧା ଥାନାରେ ଏତଲା ଦିଆନଯିବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅପରପକ୍ଷେ ଉପଜିଲ୍ଲାପାଳଙ୍କ ଅଭିଯୋଗ କ୍ରମେ ଥାନା ପକ୍ଷରୁ ଏକ ମାମଲା ରୁଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking