38.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶଛାତ୍ରୀଙ୍କ ପାଇଁ ଖୁସି ଖବର; ମିଳିବ ମାସିକ ଋତୁସ୍ରାବ ଛୁଟି

ଛାତ୍ରୀଙ୍କ ପାଇଁ ଖୁସି ଖବର; ମିଳିବ ମାସିକ ଋତୁସ୍ରାବ ଛୁଟି

ଚଣ୍ଡିଗଡ଼: ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ମିଳିବ ମାସିକ ଋତୁସ୍ରାବ ଛୁଟି । ୨୦୨୪-୨୫ ଶିକ୍ଷାବର୍ଷର ଆସନ୍ତା ସେମିଷ୍ଟାରରୁ ଛାତ୍ରୀମାନଙ୍କୁ ଋତୁସ୍ରାବ ଛୁଟି ଦିଆଯିବ । ମାସିକ ଧର୍ମ ବା ଋତୁସ୍ରାବ ଏକ ସାଧାରଣ ପ୍ରକ୍ରିୟା ହୋଇଥିବା ବେଳେ ଏହି ସମୟରେ ମହିଳାମାନେ ଖୁବ୍ ଯନ୍ତ୍ରଣା ଅନୁଭବ କରିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ପଞ୍ଜାବ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହାର ଛାତ୍ରୀମାନଙ୍କୁ ମାସିକ ଛୁଟି ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି । ଏ ସମ୍ପର୍କିତ ପ୍ରସ୍ତାବକୁ ବିଶ୍ୱବିଦ୍ୟାଳୟ କୁଳପତି ଅନୁମୋଦନ କରିଛନ୍ତି । ଚଳିତ ଶିକ୍ଷାବର୍ଷରୁ ଏହି ଋତୁସ୍ରାବ ଛୁଟି ଦିଆଯିବ । ଗୋଟିଏ ସେମିଷ୍ଟାରରେ ଜଣେ ଛାତ୍ରୀ ଅତିବେଶୀରେ ୪ଟି ଛୁଟି ନେଇପାରିବେ । ଏହାର ଅର୍ଥ ଛାତ୍ରୀଙ୍କ ଗୋଟିଏ ବର୍ଷରେ ଅଥବା ଦୁଇଟି ସେମିଷ୍ଟାରରେ ମୋଟ ୮ଟି ଛୁଟି ମିଳିପାରିବ । ଏହି ଛୁଟି ନେବାକୁ ହେଲେ ଛାତ୍ରୀଙ୍କୁ ଡିପାର୍ଟମେଣ୍ଟ ଅଫିସରେ ଏକ ଫର୍ମ ପୂରଣ କରିବାକୁ ପଡିବ ।

ଏହାକୁ ବିଭାଗୀୟ ନିର୍ଦ୍ଦେଶକ ବା ଅଧ୍ୟକ୍ଷ ମଞ୍ଜୁର କରିବା ପରେ ଯାଇ ଛୁଟି ମିଳିବ । ଏନେଇ ନୋଟିସ୍ରେ କୁହାଯାଇଛି, ଗୋଟିଏ ମାସରେ ଜଣେ ଛାତ୍ରୀ କେବଳ ଗୋଟିଏ ଋତୁସ୍ରାବ ଛୁଟି ପାଇଁ ଆବେଦନ କରିପାରିବେ । ଏହାକୁ ଦୁଇ କିମ୍ବା ଅଧିକ ଦିନ ପାଇଁ ବୃଦ୍ଧି କରାଯାଇପାରିବ ନାହିଁ । ସେହି ଛୁଟି ଦିନର ଉପସ୍ଥାନ ପ୍ରତି ମାସ ଶେଷରେ ତାଙ୍କର ମୋଟ ଉପସ୍ଥାନରେ ଯୋଡାଯିବ । ସେହିପରି କୌଣସି ପରୀକ୍ଷା ସମୟରେ ଏହି ସ୍ୱତନ୍ତ୍ର ଋତୁସ୍ରାବ ଛୁଟି ଦିଆଯାଇ ପାରିବ ନାହିଁ । କହିରଖୁଛୁ କି, ଏହା ପୂର୍ବରୁ କେରଳର କୋଚିନ ୟୁନିଭରସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିରେ ଛାତ୍ରୀମାନଙ୍କୁ ଏହି ଋତୁସ୍ରାବ ଛୁଟି ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ପିରିୟଡସ୍ ବା ଋତୁସ୍ରାବ ସମୟରେ ଛାତ୍ରୀ/ମହିଳାମାନଙ୍କୁ ଛୁଟି ମିଳିବା ଉଚିତ୍ କି ନୁହେଁ, ଏହି ପ୍ରସଙ୍ଗରେ ଦୀର୍ଘ ଦିନରୁ ତର୍କ ବିତର୍କ ଚାଲିଆସୁଛି । କେହି ଏହା ପକ୍ଷରେ ମତ ଦେଉଥିବା ବେଳେ ଆଉ କେହି ବିପକ୍ଷରେ କହୁଛନ୍ତି । ନିକଟରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କହିଥିଲେ ଯେ, ମାସିକ ଋତୁସ୍ରାବ କୌଣସି ପ୍ରକାରେ ବାଧା ନୁହେଁ, ତେଣୁ ଏଥିପାଇଁ ଛୁଟିର ଆବଶ୍ୟକତା ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking