27.1 C
Bhubaneswar
Wednesday, May 8, 2024
Homeକରୋନାକରୋନାର କରାଳ : ବେଦୀକୁ ଯିବା ପୂର୍ବରୁ ଚାଲିଗଲା କନ୍ୟାର ଜୀବନ

କରୋନାର କରାଳ : ବେଦୀକୁ ଯିବା ପୂର୍ବରୁ ଚାଲିଗଲା କନ୍ୟାର ଜୀବନ

ଲକ୍ଷ୍ନୌ : କରୋନା ମହାମାରୀ ପ୍ରକୋପରୁ ନିସ୍ତାର ନାହିଁ । ଏହି ମହାମାରୀରେ କେତେବେଳେ କାହାର ଜୀବନ ଯାଉଛି ଭାବିଲେ ଦେହ ଥରି ଉଠୁଛି । ରାଜନେତାଠୁ ସାମ୍ବାଦିକ ଏବଂ ବାପଠୁ ପୁଅ ସମସ୍ତଙ୍କ ଜୀବନ ନେଉଛି କରୋନା । ବିବାହ ପୂର୍ବରୁ ବରର ଜୀବନ ଯାଉଛି ତ ଆଉ କେଉଁଠି ବେଦୀରେ ବସିବା ପୂର୍ବରୁ ପ୍ରାଣ ହରାଉଛି କନିଆଁ । ଏମିତି ଏକ ହୃଦୟ ବିଦାରକ ଘଟଣା ଉତ୍ତପ୍ରଦେଶର ଜୌନପୁରରେ ଘଟିଛି । ବିବାହ ଦିନ କରୋନାରେ ପ୍ରାଣ ହରାଇଛନ୍ତି କନିଆଁ । ଶୁକ୍ରବାର ବାହାଘର ଥିବାବେଳେ ବେଦୀକୁ ଯିବା ପୂର୍ବରୁ କନିଆଁଙ୍କ ଜୀବନ ନେଇଛି କରୋନା । ସୂଚନା ଅନୁଯାୟୀ, ଯୁବତୀ ଜଣଙ୍କ କିଛିଦିନ ପୂର୍ବରୁ ପଞ୍ଚାୟତ ନିର୍ବାଚନ ଡ୍ୟୁଟିରେ ଯାଇଥିଲେ । ଡ୍ୟୁଟିରେ ଥିବାବେଳେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା ।

ଜୌନପୁରର ମୋହଲ୍ଲା ଗୁଡ଼ହାଇ ନିବାସୀ ସନ୍ତୋଷ ମୋଦନୱାଲଙ୍କ ଝିଅ ଜ୍ୟୋତିଙ୍କ ବିବାହ ଶୁକ୍ରବାର ହେବାର ଥିଲା । ଜ୍ୟୋତି ପେଷାରେ ଜଣେ ପ୍ରାଥମିକ ସ୍କୁଲ୍ ଶିକ୍ଷୟିତ୍ରୀ । ମିରଟ୍ ଜିଲ୍ଲାରେ ସେ ଚାକିରୀ କରିଥିବାବେଳେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ତାଙ୍କର ଡ୍ୟୁଟି ପଡ଼ିଥିଲା । ଡ୍ୟୁଟି ସମୟରେ ସେ ଅସୁସ୍ଥ ହୋଇପଡ଼ିଥିଲେ । ଫେରିବା ପରେ ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ଆହୁରୀ ଖରାପ ହୋଇପଡ଼ିଥିଲା । ମିରଟ୍‌ରେ କରୋନା ଟେଷ୍ଟ କରାଇଥିଲେ ଏବଂ ରିପୋର୍ଟ ପଜିଟିଭ୍ ଆସିଥିଲା । ପରେ ତାଙ୍କୁ ୨୮ ଅପ୍ରେଲ୍‌ରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ପରିବାର ଲୋକଙ୍କ ଏ ନେଇ ଖବର ମିଳିବା ପରେ ବିବାହ ପ୍ରସ୍ତୁତି ଛାଡ଼ି ସେମାନେ ମିରଟ୍ ଯାଇଥିଲେ । ସେଠାରେ ଶୁକ୍ରବାର ଜ୍ୟୋତିଙ୍କ ମୃତ୍ୟୁ ହୋଇଯାଇଥିଲା । ସଂକ୍ରମିତ ଥିବାରୁ ତାଙ୍କ ମୃତଦେହ ପରିବାର ଲୋକଙ୍କୁ ମିଳିପାରି ନଥିଲା । ଦଉଇ ଭଉଣୀଙ୍କ ମଧ୍ୟରେ ଜ୍ୟୋତି ବଡ଼ ଥିଲେ । ତାଙ୍କର ଜଣେ ବଡ଼ ଭାଇ ମଧ୍ୟ ଅଛନ୍ତି । ପରିବାର ପ୍ରତିପୋଷଣ ଦାୟିତ୍ୱ ଜ୍ୟୋତିଙ୍କ ଉପରେ ରହିଥିଲା । ଜ୍ୟୋତିଙ୍କ ବିବାହ ରିମ୍ବା ବାସିନ୍ଦା ଜଣେ ଅଧ୍ୟାପକଙ୍କ ସହିତ ଠିକ୍ ହୋଇଥିଲା ।

ବିବାହର ୭୨ଘଣ୍ଟା ପରେ ବରର ମୃତ୍ୟୁ

କରୋନାକୁ ନେଇ ଏବେ ଉତ୍ତପ୍ରଦେଶରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଥିଲାବେଳେ ଦିନକୁ ଦିନ ଦୁଃଖଦ ଘଟଣା ସାମ୍ନାକୁ ଆସୁଛି । ହସ୍ପିଟାଲ୍ ସମସ୍ୟାଠୁ ଆରମ୍ଭ କରି ଶବଦାହ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ବହୁ ଅସହାୟ ସ୍ଥିତି ଦେଖିବାକୁ ମିଳୁଛି । ଏଭଳି ସ୍ତରରେ ବିବାହର ମାତ୍ର ୭୨ଘଣ୍ଟାପରେ ଜଣେ ନବବିବାହିତ ଯୁବକଙ୍କ କରୋନାରେ ମୃତ୍ୟୁ ହେବା ଘଟଣା ଅନେକଙ୍କୁ ଆହୁରୀ ମର୍ମାହତ କରିଛି । ଉତ୍ତପ୍ରଦେଶ ବିଜନୋରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ବିଜନୋର ସହରରେ ରହୁଥିବା ଅଜୁର୍ନଙ୍କର ଗତ ୨୫ ତାରିଖରେ ନିକଟସ୍ଥ ଚାନ୍ଦପୁରଞ୍ଚଅଞ୍ଚଳର ବବିଲିଙ୍କ ସହ ବିବାହ ହୋଇଥିଲା ।

ଧୂମ୍‌ଧାମରେ ବିବାହ ଶେଷ ହେବା ପରେ ଅର୍ଜୁନ ନିଜ ଜୀବନ ସାଥୀଙ୍କୁ ନେଇ ଘରକୁ ଆସିଥିଲେ । ଘରେ ନବବଧୂଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ସେଠାକାର ପରମ୍ପରା ଅନୁଯାୟୀ ବିବାହର ପରଦିନ ବାସର ରାତିରେ ରହିଥିବାବେଳେ ସେହିଦିନ ହିଁ ଅର୍ଜୁନଙ୍କର ହଠାତ୍ ଜ୍ୱର ଆସିଥିଲା । ସେ ଅଧିକ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା । ରିପୋର୍ଟ ପଜିଟିଭ୍ ଆସିଥିଲା । ତୁରନ୍ତ କୋଭିଡ୍‌-୧୯ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କକର ୨୯ତାରିଖରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ହସ୍ପିଟାଲ୍‌ରେ ଅକ୍ସିଜେନ୍ କମ୍ ଥିବାରୁ ଜୀବନ ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ଅର୍ଜୁନ ହାରିଯାଇଥିଲେ ବୋଲି ତାଙ୍କ ପରିବାର ବର୍ଗ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking