28.1 C
Bhubaneswar
Saturday, April 27, 2024
Homeଓଡିଶାବ୍ରହ୍ମପୁର କାରାଗାରରେ ବଢ଼ୁଛି କଏଦୀଙ୍କ ସଂଖ୍ୟା, ଚିନ୍ତାରେ କର୍ତ୍ତୃପକ୍ଷ

ବ୍ରହ୍ମପୁର କାରାଗାରରେ ବଢ଼ୁଛି କଏଦୀଙ୍କ ସଂଖ୍ୟା, ଚିନ୍ତାରେ କର୍ତ୍ତୃପକ୍ଷ

ଗଞ୍ଜାମ :  ବ୍ରହ୍ମପୁର ମଣ୍ଡଳ କାରାଗାରରେ ଦିନକୁ ଦିନ କଏଦୀଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଛି । ଯାହା ଫଳରେ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଅନେକ ସମୟରେ ଅନ୍ତେବାସୀଙ୍କ ବର୍ଦ୍ଧିତ ସଂଖ୍ୟାକୁ ନେଇ କର୍ତ୍ତୃପକ୍ଷ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ମଣ୍ଡଳ କାରାଗାରରେ ଅନ୍ତେବାସୀଙ୍କ କ୍ଷମତା ୭୪୩ ଥିବା ବେଳେ ବର୍ତ୍ତମାନ ୮୯୪ ଜଣ କଏଦୀ ଅଛନ୍ତି ।  କାରାଗାରର କ୍ଷମତାଠାରୁ ୧୫୧ ଜଣ କଏଦୀ ଅଧିକା ଅଛନ୍ତି । ଅନ୍ୟ ପକ୍ଷରେ ଏହି କରୋନା କାଳରେ କାରାଗାରରେ କ୍ଷମତାଠାରୁ ଅଧିକ କଏଦୀ ରହୁଥିବାରୁ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେଉଛି । ଚଳିତ ବର୍ଷ କରୋନା ଦ୍ୱିତୀୟ ଲହରରେ ଜେଲ ମଧ୍ୟରେ ମୋଟ ୫୩ ଜଣ କଏଦୀ କରୋନାରେ ଆକ୍ରାନ୍ତ ହୋଇଥିଲେ । ସେମାନେ ଜେଲ ପରିସରରେ ଥିବା ଡିସିସିସିରେ ଚିକିତ୍ସା ହୋଇ ବର୍ତ୍ତମାନ ସୁସ୍ଥ ହୋଇଛନ୍ତି । ସେଥି ମଧ୍ୟରୁ ୫୩ ଜଣ ପୁରୁଷ କଏଦୀ ଥିବା ବେଳେ ୫ ମହିଳା କଏଦୀ କରୋନାର ଶିକାର ହୋଇଥିବା ସୂଚନା ମିଳିଛି । ଯାହା ଫଳରେ ଅନ୍ତେବାସୀଙ୍କ ସୁରକ୍ଷାକୁ ନେଇ ଜେଲ୍ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଛନ୍ତି ।

ଅନ୍ୟ ପକ୍ଷରେ ଦ୍ୱିତୀୟ ଲହରରେ କୌରସି କର୍ମଚାରୀ କରୋନାର ଶିକାର ହୋଇ ନଥିବାର ଜଣାପଡ଼ିଛି । ବ୍ରହ୍ମପୁର ମଣ୍ଡଳ କାରାଗାର ହେଉଛି ଓଡ଼ିଶାର ସମ୍ବେଦନଶୀଳ ଜେଲ ମଧ୍ୟରୁ ଅନ୍ୟତମ । ଏଠାରେ ବହୁ ଦୁର୍ଦ୍ଦାନ୍ତ ଅପରାଧୀ ମଧ୍ୟରୁ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡା, ଗ୍ୟାଙ୍ଗଷ୍ଟର୍ ସୟଦ୍ ଉମାନ୍ ଅଲ୍ଲୀ ଓରଫ ଟିଟୋଙ୍କ ସମତେ ବିଭିନ୍ନ ହତ୍ୟା ମାମଲାରେ ଜଡ଼ିତ ଥିବା ଅନେକ ପେସାଦାର ଅପରାଧୀ ରହିଛନ୍ତି । କାରାଗାରରେ କର୍ମଚାରୀଙ୍କ ଅଭାବ ଥିବାରୁ ଏମାନଙ୍କ ସୁରକ୍ଷା ନିମନ୍ତେ ଜେଲ୍ କର୍ତ୍ତୃପକ୍ଷଙ୍କ ପାଇଁ ଏକ ଚାଲେଞ୍ଜ ହୋଇଛି । ଏଠାରେ ଅନ୍ତେବାସୀ ବୃଦ୍ଧିର ମୁଖ୍ୟତଃ ଦୁଇଟି କାରଣ ରହିଛି । ଗତ କିଛିଦିନ ତଳେ ପୁଲିସ ତରଫରୁ ପୁରୁଣା ୱାରେଣ୍ଟି ଧରପଗଡ଼ ଜୋରଦାର କରାଯାଇଥିଲା । ଫଳରେ ବହୁ ପୁରୁଣା ମାମଲାର ଅପରାଧୀ ଗିରଫ ହୋଇ ଜେଲରେ ଅଛନ୍ତି । ଅନ୍ୟଟି ହେଲା କରୋନା ପାଇଁ ଏବେ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବାରୁ ବହୁ ମାମଲାର ବିଚାର ହୋଇପାରିନାହିଁ ।

ଫଳରେ ଅନ୍ତେବାସୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଅନୁମାନ କରାଯାଉଛି । କାରାଗାରରେ କ୍ଷମତାଠାରୁ ଅଧିକ ଅନ୍ତେବାସୀ ଥିବାରୁ ରାଜ୍ୟ ସରକାର ଗତବର୍ଷ ଭଳି ଚଳିତ ବର୍ଷ ପାରୋଲ୍ ବ୍ୟବସ୍ଥା କରିଛନ୍ତି । ଏଥି ପାଇଁ ସଜା କାଟୁଥିବା ଅନ୍ତେବାସୀଙ୍କୁ କିଛି ନିର୍ଦ୍ଦିଷ୍ଟ ଦିନ ପାଇଁ ଛୁଟି ଦିଆଯାଉଛି । ବ୍ରହ୍ମପୁରର ମଣ୍ଡଳ କାରାଗାରରୁ ୩୬ ଜଣଙ୍କୁ ପାରୋଲ୍‌ରେ ଛାଡ଼ିବା ନିମନ୍ତେ ଚିହ୍ନଟ କରାଯାଇଛି । ସେଥିରୁ ମୋଟ ୩୫ ଜଣ କଏଦୀଙ୍କୁ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । କିନ୍ତୁ ଆଉ ଜଣେ ମାତ୍ର କଏଦୀଙ୍କ ପରିବାର ଲୋକ ନ ଆସିବାରୁ ତାଙ୍କୁ ପାରୋଲ୍ ଛାଡ଼ିବା ବ୍ୟବସ୍ଥା ହୋଇ ପାରୁନଥିବା କାରାଗାର ଅଧୀକ୍ଷକ ଗରିବ ସାହୁ ସୂଚନା ଦେଇଛନ୍ତି । ଏମାନଙ୍କ ଛୁଟି ସରିବା ପରେ ସେମାନେ ପୁଣିଥରେ ଜେଲକୁ ଫେରିବା ବ୍ୟବସ୍ଥା ରହିଛି । ଆଗାମୀ ଦିନରେ ଆଉ କିଛି କଏଦୀଙ୍କୁ ପାରୋଲ୍‌ରେ ଛାଡ଼ିବା ନିମନ୍ତେ ଚିହ୍ନଟ କରି ତାଙ୍କର ନାମ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି । କରୋନା ପାଇଁ ଜେଲରେ ଭିଡ଼ କମାଇବା ନିମନ୍ତେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking