ନୂଆଦିଲ୍ଲୀ: ଇଲେକ୍ଟ୍ରୋ ଭୋଟିଂ ମେସିନ୍ (ଇଭିଏମ୍) ଦ୍ୱାରା ହେଉଥିବା ଭୋଟିଂ ପ୍ରକ୍ରିୟାରେ ସ୍ୱଚ୍ଛତାକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଛି । ବିଶେଷକରି ବିପକ୍ଷ ଦଳଗୁଡ଼ିକଙ୍କ ପକ୍ଷରୁ ବାରମ୍ବାର ଇଭିଏମ୍ ଟାମ୍ପରିଂ କରାଯାଇଥିବା ନେଇ ଅଭିଯୋଗ ମଧ୍ୟ ହୋଇଆସୁଛି । ତେବେ ଏସବୁ ମଧ୍ୟରେ ଇଭିଏମ୍ ପ୍ରକ୍ରିୟାରେ ଗ୍ରହଣ କରାଯାଉଥିବା ଭୋଟ୍ ସହ ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପାଟ୍) ସିଷ୍ଟମ ଦ୍ୱାରା ଗ୍ରହଣ କରାଯାଉଥିବା ଭୋଟିଂ ପେପର୍ ସ୍ଲିପ୍କୁ ୧୦୦% ପର୍ଯ୍ୟନ୍ତ ମିଳାଇବା ପ୍ରକ୍ରିୟାର ଆବଶ୍ୟକତା ଥିବା ଏବଂ ଏନେଇ ନିର୍ଦ୍ଦେଶ ଦେବାକୁ ଦାଖଲ କରାଯାଇଥିବା ଏକାଧିକ ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି ଶୁଣାଣି କରିଛନ୍ତି । ଫଳାଫଳ ଘୋଷଣା ପୂର୍ବରୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଇଭିଏମ୍ ଭୋଟ୍ ସହ ଭିଭିପାଟ୍ ସ୍ଲିପ୍କୁ ମିଳାଇବା ଏବଂ ତତ୍ଅନୁସାରେ ଫଳାଫଳ ଘୋଷଣା କରିବା ପାଇଁ କରାଯାଇଥିବା ଏସବୁ ଆବେଦନ ଉପରେ ଶୁଣାଣି କରିବାକୁ ଯାଇ ସୁପ୍ରିମକୋର୍ଟ ଆଜି ଏକ ବଡ ବିବୃତି ଦେଇଛନ୍ତି ।
ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍ ଦୀପଙ୍କର ଦତ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିଛନ୍ତି । ଖଣ୍ଡପୀଠ ନିଜ ବିବୃତିରେ କହିଛନ୍ତି “ଆମେ ଏବେ ୬୦ ବର୍ଷ ବୟସରେ ପହଞ୍ଚିବାକୁ ଯାଉଛୁ । ବାଲାଟ୍ ପେପର୍ ଥିବା ବେଳେ କ’ଣ ସବୁ ଘଟୁଥିଲା ଆମେ ସମସ୍ତେ ଜାଣିଛେ । ଆପଣ ସେସବୁ ଭୁଲି ଯାଇଥିବେ କିନ୍ତୁ ଆମେ ଆଦୌ ଭୁଲି ନାହୁଁ ।” ସୁତରାଂ ବର୍ତ୍ତମାନ ଯେଉଁ ସମୟରେ ଆମେ ପହଞ୍ôଚଛେ ଏବଂ ଯେଉଁ ବ୍ୟବସ୍ଥା ଆମ ପାଖରେ ଉପଲବ୍ଧ ରହିଛି ସେହିସବୁର ବ୍ୟବହାର କରାଯିବା ଉଚିତ୍ । ଭୋଟିଂ ପ୍ରକ୍ରିୟା ଅନ୍ତର୍ଗତ ବର୍ତ୍ତମାନ ସମୟରେ ଇଭିଏମ୍ ଏକ ସଫଳ ବ୍ୟବସ୍ଥା ଭାବେ ଉପନୀତ ହୋଇଛି । ସୁତରାଂ ବର୍ତ୍ତମାନ ସମୟରେ ପୁଣିଥରେ ପୁରୁଣା ବ୍ୟବସ୍ଥାକୁ ଆପଣାଇବା ଉଚିତ୍ ନୁହେଁ । ସମୟକ୍ରମେ ପରିବର୍ତ୍ତିତ ବ୍ୟବସ୍ଥାକୁ ନିମ୍ନଗାମୀ କରିବାର ପ୍ରୟାସ କରାନଯିବା ଉଚିତ୍ ।
ଆବେଦନକାରୀ ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର) ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଡଭୋକେଟ୍ ପ୍ରଶାନ୍ତ ଭୂଷଣ, ଖଣ୍ଡପୀଠଙ୍କ ସମ୍ମୁଖରେ ଯୁକ୍ତି ବାଢ଼ିଥିଲେ ଯେ, ଅଧିକାଂଶ ୟୁରୋପୀୟ ଦେଶ ଇଭିଏମ୍ ବ୍ୟବସ୍ଥା ଛାଡ଼ି ପେପର ବାଲାଟ୍ ଭୋଟିଂ ବ୍ୟବସ୍ଥାକୁ ଆପଣାଇଛନ୍ତି । ଯେତେବେଳେ ଭୂଷଣ ଜର୍ମାନୀର ଉଦାହରଣ ଦେଇଥିଲେ ଏବଂ ଜର୍ମାନୀର ଜନସଂଖ୍ୟା ୬ କୋଟିରୁ ୭ କୋଟି ମଧ୍ୟରେ ହେବ ବୋଲି କହିଥିଲେ ସେତେବେଳେ ଖଣ୍ଡପୀଠର ଅନ୍ୟତମ ବିଚାରପତି ଜଷ୍ଟିସ୍ ଦୀପଙ୍କର ଦତ୍ତା କହିଥିଲେ, ଭାରତରେ ମୋଟ୍ ୯୭ କୋଟି ପଞ୍ଜିକୃତ ଭୋଟର ଅଛନ୍ତି । ସେମାନଙ୍କ ମଧ୍ୟରୁ ୫୦ରୁ ୬୦ କୋଟି ଭୋଟର ନିୟମିତ ଭାବେ ଭୋଟ୍ଦାନ ପ୍ରକ୍ରିୟାରେ ସାମିଲ ହେଉଛନ୍ତି । ଏପରି ସ୍ଥିତିରେ ଭିଭିପାଟ୍ ପ୍ରକ୍ରିୟା ଅନ୍ତର୍ଗତ ସେମାନଙ୍କ ଭୋଟିଂ ପେପର ସ୍ଲିପ୍କୁ ଗୋଟି ଗୋଟି କରି ଗଣିବା ନିଶ୍ଚିତ ଭାବେ କଷ୍ଟକର ବ୍ୟାପାର ।
ଖଣ୍ଡପୀଠଙ୍କ କହିବାନୁସାରେ ଯେଉଁ ସ୍ଥାନରେ ମାନବ ହସ୍ତକ୍ଷେପ ରହୁଛି ସେଠାରେ ସମସ୍ୟା ସୃଷ୍ଟି ହେଉଛି । ଏହା ମଧ୍ୟରେ ପକ୍ଷପାତିତା ବି ହେଉଥିବାର ଦେଖିବାକୁ ମିଳୁଛି । ଯଦି ମାନବୀୟ ହସ୍ତକ୍ଷେପକୁ ରୋକାଯାଇପାରିବ ତେବେ ପ୍ରଯୁକ୍ତିବିଦ୍ୟା ଅନ୍ତର୍ଗତ ନିର୍ମିତ ମେସିନ୍ଗୁଡ଼ିକ ସାଧାରଣତଃ ୧୦୦% ସଠିକ୍ ଫଳାଫଳ ଦେଇଥାଏ । ତେବେ ସମସ୍ୟା ସେତେବେଳେ ଆସେ ଯେତେବେଳେ ମେସିନ୍ରେ ମନୁଷ୍ୟକୃତ ହସ୍ତକ୍ଷେପ ବଢ଼େ । ଇଭିଏମ୍ ମେସିନ୍ରେ ମଧ୍ୟ ମାନବୀୟ ହସ୍ତକ୍ଷେପକୁ ରୋକାଯାଇପାରିଲେ ସବୁକିଛି ଠିକ୍ ହୋଇପାରିବ । ଖଣ୍ଡପୀଠ କହିଛନ୍ତି, ବିନା ଅଧିକାରରେ ବେଆଇନ ଭାବେ ମେସିନ କିମ୍ବା ସଫ୍ଟୱେୟାରରେ ପରିବର୍ତ୍ତନ କଲେ ସମସ୍ୟା ଆସେ । ଏହାକୁ ରୋକିବା ପାଇଁ ଯଦି ଆପଣଙ୍କ ପାଖରେ କିଛି ପ୍ରସ୍ତାବ ରହିଛି, ତା’ହେଲେ ସେସବୁ ଆମକୁ ଦେଇ ପାରିବେ । ଏହା ଉପରେ ସୁପ୍ରିମକୋର୍ଟ ତର୍ଜମା କରିବେ ।
ଏହି କ୍ରମେ ଖଣ୍ଡପୀଠ ନିର୍ବାଚନ ଆୟୋଗଙ୍କୁ ମଧ୍ୟ ଇଭିଏମ୍ ଭୋଟିଂ ବ୍ୟବସ୍ଥା ସମ୍ପର୍କରେ ଏବଂ ଏଥିରେ ବେଆଇନ୍ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ଅଧିକାରୀଙ୍କ ବିରୋଧରେ କ’ଣ ଦଣ୍ଡ ବିଧାନ କରାଯାଉଛି ସେସମ୍ପର୍କରେ ପଚାରି ବୁଝିଥିଲେ । ନିର୍ବାଚନ ଆୟୋଗଙ୍କ ଉତ୍ତରରେ ଖଣ୍ଡପୀଠ କହିଥିଲେ ଏହି ଘଟଣାରେ ଅଭିଯୁକ୍ତଙ୍କ (ଇଭିଏମ୍ ଟାମ୍ପରିଂରେ ସମ୍ପୃକ୍ତ ନିର୍ବାଚନ ପଦାଧିକାରୀ)ଙ୍କ ବିରୋଧରେ ଅଧିକ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ । ଉଚିତ୍ ଦଣ୍ଡ ବିଧାନ ଦ୍ୱାରା ଏପ୍ରକାର ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଭୟ ସଞ୍ଚାର କରାଯାଇପାରିବ ବୋଲି ଖଣ୍ଡପୀଠ କହିଥିଲେ ।