28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗସାଉଦି ଆରବରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ : ଦେଢ଼ମାସ ପରେ ଗାଁ’କୁ ଫେରିଲା ମୃତଦେହ

ସାଉଦି ଆରବରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ : ଦେଢ଼ମାସ ପରେ ଗାଁ’କୁ ଫେରିଲା ମୃତଦେହ

ବାଣପୁର : ପରିବାର ପ୍ରତିପୋଷଣ ପାଇଁ ରୋଜଗାର ଆଶାରେ ସୁଦୂର ସାଉଦିଆରବ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କର ସେଠାରେ ମୃତ୍ୟୁ ଘଟିଛି । କରୋନା ମହାମାରୀ ଯୋଗୁଁ କମ୍ପାନୀ କର୍ତ୍ତୃପକ୍ଷ ମୃତଦେହ ଗ୍ରାମକୁ ପଠାଇବା ପାଇଁ ଟାଳଟୁଳ କରୁଥିବାବେଳେ ଭାରତୀୟ ଦୂତାବାସର ଅଧିକାରୀ ଏବଂ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କ ସହାୟତାରେ ମୃତ୍ୟୁର ଦେଢ଼ମାସ ପରେ ମୃତଦେହକୁ ଗ୍ରାମକୁ ଫେରାଇ ଅଣାଯାଇପାରିଛି । ମୃତଦେହ ପହଞ୍ଚିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ, ବାଣପୁର ଥାନା ଅନ୍ତର୍ଗତ କୁମାଣ୍ଡଳ ପାଟଣା ପଞ୍ଚାୟତର ହରିକୁଣ୍ଡ ବରଡ଼ିହ ଗ୍ରାମର ଦାଶରଥି ଜେନାଙ୍କ ପୁଅ ବାବୁଲା ପ୍ରାୟ ନଅ ବର୍ଷ ହେବ ସାଉଦିଆରବର ରିଆଦ ସହରର ଏସ୍ ଅଲ ହାଜରି କମ୍ପାନୀରେ ସହାୟକ ଭାବେ କାର୍ଯ୍ୟରତ ଥିଲେ । ଗତ ମେ’ ମାସ ୨୪ ତାରିଖରେ ବାବୁଲା ହଠାତ୍ ଛାତିରେ ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲେ । ଚିକିତ୍ସା ପାଇଁ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତ କରିଥିଲେ । ମାତ୍ର ୨୫ତାରିଖରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ବାବୁଲାଙ୍କ ମୃତ୍ୟୁ ଖବର ପାଇବା ପରେ ପରିବାରରେ ଭାଲେଣି ପଡ଼ିଯାଇଥିଲା । ସ୍ୱାମୀଙ୍କ ମୃତଦେହ ଗ୍ରାମକୁ ପଠାଇ ଦେବାପାଇଁ ବାବୁଲାଙ୍କ ପତ୍ନୀ କାମିନୀ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ । ମାତ୍ର ସାରା ବିଶ୍ୱରେ କରୋନା ମହାମାରୀ ପ୍ରଭାବରୁ ଆନ୍ତର୍ଜାତିକ ବିମାନ ଚଳାଚଳ ବାତିଲ କରାଯାଇଥିବାରୁ ମୃତଦେହ ଗ୍ରାମକୁ ପଠାଇବା ପାଇଁ କମ୍ପାନୀ କର୍ତ୍ତୃପକ୍ଷ କୌଣସି ସହଯୋଗ କରିନଥିଲେ ।
ଫଳରେ ସ୍ୱାମୀଙ୍କ ମୃତଦେହ ଗ୍ରାମକୁ ଫେରାଇ ଆଣିବା ପାଇଁ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ କାମିନୀ । ଭାରତୀୟ ଜୀବନ ବୀମା ନିଗମର ପୁରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ସ୍ଥାନୀୟ ଚମ୍ପାଦେଈପୁର ଗ୍ରାମର ବାବୁଲି କୁମାର ସାହୁ ବୈଦେଶିକ ମନ୍ତ୍ରାଳୟ, ରିଆଦରେ ଅବସ୍ଥାପିତ ଭାରତୀୟ ଦୂତାବାସର ଅଧିକାରୀ ଦେଶବନ୍ଧୁ ଭାତି ଏବଂ କମ୍ପାନୀର ଲୋକ ସମ୍ପର୍କ ଅଧିକାରୀ ବାଲକ୍ରିଷ୍ଣନ୍ ନାୟରଙ୍କ ସହ ଯୋଗାଯୋଗ କରି ମୃତଦେହ ଭାରତ ଫେରାଇ ଆଣିବା ପାଇଁ ଉଦ୍ୟମ ଚଳାଇଥିଲେ । ଶେଷରେ ରିଆଦ୍‌ରୁ ଏମିରେଟ୍ସ ଇକେ୨୮୭୦ କାର୍ଗୋ ବିମାନ ଯୋଗେ ବୁଧବାର ରାତିରେ ବାବୁଲାଙ୍କ ମୃତଦେହ କଲିକତା ଦମ୍‌ଦମ୍ ବିମାନ ବନ୍ଦରରେ ପହଂଚିଥିଲା । ପରିବାର ପକ୍ଷରୁ ଏକ ଆମ୍ବୁଲାନ୍ସ ଯୋଗେ ସେଠାରୁ ମୃତଦେହ ଗ୍ରାମକୁ ଅଣାଯାଇ ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି । ସ୍ୱାମୀଙ୍କ ବକେୟା ଦରମା, ବୋନ୍‌ସ ଓ ବୀମା ଅର୍ଥ ଫେରି ପାଇବା ପାଇଁ କାମିନୀ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking