33.1 C
Bhubaneswar
Sunday, May 5, 2024
Homeଓଡିଶା‘ଦମନ’ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର

‘ଦମନ’ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର

ପୁରୀ: ଏକଦା ପୁରୀରେ ଶ୍ରୀକୃଷ୍ଣ, ଲକ୍ଷ୍ମୀ ଓ ଜନତା ସିନେମା ହଲ୍‌ରେ ସିନେପ୍ରେମୀ ଗହଳି ଲାଗୁଥିଲା । ଏବେ ସବୁ ବନ୍ଦ ପଡ଼ିଛି । ପୁରୀ ବାସିନ୍ଦା ଫିଲ୍ମ ଦେଖିବାକୁ ଭୁବନେଶ୍ୱର ଯାଉଛନ୍ତି । ପୁରୀରେ ହଲ୍‌ ଖୋଲିବାକୁ ମୁଁ ଜିଲ୍ଲାପାଳଙ୍କ ସହ ଆଲୋଚନା କରୁଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆଗ୍ରହ ଦେଖାଇଲେ ପୁରୀରେ ହଲ୍‌ଟିଏ ଖୋଲିପାରନ୍ତା । ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ‘ଚଳଚ୍ଚିତ୍ର ଜଗତ’ର ୪୭ତମ ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କୁ ଏଭଳି ଅନୁରୋଧ କରିଛନ୍ତି ।

ଓଡ଼ିଶାର ଏକମାତ୍ର ପୁରାତନ ଚଳଚ୍ଚିତ୍ର ପତ୍ରିକା ‘ଚଳଚ୍ଚିତ୍ର ଜଗତ’ ପୁରୀ ଟାଉନ ହଲ୍‌ରେ ରବିବାର ଏହାର ବାର୍ଷିକୋତ୍ସବ ପାଳନ କରିଥିଲା । ଶ୍ରୀ ଷଡ଼ଙ୍ଗୀ ଏଥିରେ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଆଇଏଏସ୍‌ ରଞ୍ଜନ ଦାସଙ୍କ ସମେତ ଓଡ଼ିଶାର ମୁଖ୍ୟଡାକପାଳ ଶୁଭେନ୍ଦୁ ସ୍ୱାଇଁ, ନାଲ୍‌କୋର ବାଣିଜ୍ୟ ନିର୍ଦ୍ଦେଶକ ସଦାଶିବ ସାମନ୍ତରାୟ, ପୁରୀର ପୂର୍ବତନ ଜିଲ୍ଲାପାଳ ପଦ୍ମନାଭ ସାମଲ ପ୍ରମୁଖ ମଞ୍ଚାସୀନ ଥିଲେ । ଓଲିଉଡ୍‌ ଜଗତର ସ୍ୱନାମଧନ୍ୟ କଳାକାରଙ୍କ ସମେତ ଶତାଧିକ ସିନେପ୍ରେମୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ତଥା ଓଡ଼ିଆ ସିନେମାର ସମୃଦ୍ଧି ନିମନ୍ତେ ପ୍ରୟାସ କରିଥିବା ବ୍ୟକ୍ତିତ୍ୱଙ୍କୁ କାର୍ଯ୍ୟକ୍ରମରେ ସମ୍ମାନିତ କରାଯିବା ସହ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଇଥିଲା । ୧୬ ଜଣଙ୍କୁ ସ୍ୱତନ୍ତ୍ର ସମ୍ମାନ ମିଳିଥିଲା । ୨୦୨୨ ମସିହାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଓ ବିଭିନ୍ନ ଚାନେଲରେ ପ୍ରସାରିତ ଧାରାବାହିକଗୁଡ଼ିକ ମଧ୍ୟରୁ ୩୦ଟି ବିଭାଗରୁ କୃତୀ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା ।

ଦମନ’ ଶ୍ରେଷ୍ଠ ଚଳଚ୍ଚିତ୍ର(ପପୁଲାର) ଓ ଶେଷ ରାତି ଶ୍ରେଷ୍ଠ ଚଳଚ୍ଚିତ୍ର (କ୍ରିଟିକ୍‌) ସମ୍ମାନ ପାଇଛି । ଆକାଶ ଦାସନାୟକ ‘ମହାବାହୁ’ ଫିଲ୍ମ ପାଇଁ ଶ୍ରେଷ୍ଠ ନାୟକ ଓ ରିୟା ଦେ ‘ଶେଷ ରାତି’ ଫିଲ୍ମ ପାଇଁ ଶ୍ରେଷ୍ଠ ନାୟିକା ସମ୍ମାନ ପାଇଛନ୍ତି । ଚଳଚ୍ଚିତ୍ର ‘ମାୟା ଦର୍ପଣ’ ପାଇଁ ଶ୍ରେଷ୍ଠ କାହାଣୀକାର ଭାବେ ରଞ୍ଜନ କୁମାର ଦାସ, ସାୱନ ସୁମନ ନାୟକ (ଗୁଡୁ) ଶ୍ରେଷ୍ଠ ହାସ୍ୟ ଅଭିନେତା, ଲିପାକ୍ସି ନାୟକଙ୍କୁ ଶିଶୁ ପ୍ରତିଭା ସମ୍ମାନ ମିଳିଛି । ‘ପ୍ରମେୟ’ ସାମ୍ବାଦିକ ମନୋରଞ୍ଜନ ମହାନ୍ତି ବସନ୍ତ ପଟ୍ଟନାୟକ ସ୍ମାରକୀ ‘ଶ୍ରେଷ୍ଠ ଚଳଚ୍ଚିତ୍ର ସାମ୍ବାଦିକ’ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ‘ହାୟେ ତୋ ବିନ୍ଦିୟା…’ ଶ୍ରେଷ୍ଠ ନନ୍‌ ଫିଲ୍ମ ଗୀତ ସମ୍ମାନ ପାଇଛି ।
ଚଳଚ୍ଚିତ୍ର ଜଗତର ଉପଦେଷ୍ଟା ପ୍ରଫେସର ଡାକ୍ତର ଶକ୍ତିପ୍ରସାଦ ଦାସ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ସ୍ଥିତପ୍ରଜ୍ଞ ରାଉତ ଅତିଥିଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ । ଦିବଂଗତ ଚଳଚ୍ଚିତ୍ର ବ୍ୟକ୍ତିତ୍ୱଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ବିଜୟ ରାଉତରାୟ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଆଦିକନ୍ଦ ରାଉତ । ବିଜୟ ମଲ୍ଲ ମଞ୍ଚ ପରିଚାଳନା କରିଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking