33.1 C
Bhubaneswar
Sunday, May 5, 2024
Homeଓଡିଶାବାସୁଦେବପୁର-ବାହାନଗାରେ ଲ୍ୟାଣ୍ଡଫଲ୍‌ !

ବାସୁଦେବପୁର-ବାହାନଗାରେ ଲ୍ୟାଣ୍ଡଫଲ୍‌ !

ଭୁବନେଶ୍ୱର : ଭୟଙ୍କର ରୂପ ଧାରଣ କରି ଉପକୂଳ ଆଡ଼କୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ୟାଶ’ । ଏବେ ଘଣ୍ଟାପ୍ରତି ତା’ର ବେଗ ରହିଛି ୧୫ କିମି । ବଙ୍ଗୋପ ସାଗରର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ପାରାଦୀପଠାରୁ ଏହା ୧୮୦ କି.ମି ଦୂରରେ ରହିଛି ଏହି ବାତ୍ୟା । ପାରାଦୀପରେ ଥିବା ଡପ୍‌ଲର ର‌୍ୟାଡାରରେ ଏହାର ସ୍ଥିତି ଓ ଗତି ପ୍ରତି ତୀକ୍ଷ୍ଣ ନଜର ରଖାଯାଇଛି । ବାତ୍ୟାର ଗତି ସ୍ଥିର ରହିଲେ ଏହା ଆସନ୍ତାକାଲି ପୂର୍ବାହ୍ନରେ ଭଦ୍ରମ ଜିଲ୍ଲାର ବାସୁଦେବପୁର ଓ ବାହାନଗା ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଏସ୍‌ଆରସି ପ୍ରଦୀପ ଜେନା କହିଛନ୍ତି । ବଡ଼କଥା ହେଲା ଇତିମଧ୍ୟରେ ବାତ୍ୟାର ଆଖି ସୃଷ୍ଟି ହୋଇସାରିଛି ଏବଂ ଏହାର ବ୍ୟାସାର୍ଦ୍ଧ ୩୫ ରୁ ୪୦ କିମି ମଧ୍ୟରେ ରହିବ ବୋଲି ଆକଳନ କରାଯାଇଛି । ଲ୍ୟାଣ୍ଡଫଲ ସମୟରେ ବାତ୍ୟାର ବେଗ ୧୪୦ରୁ ୧୫୦କିମି ମଧ୍ୟରେ ରହିବ ।

ବେଳେବେଳେ ଝଟକା ପବନ ହେବା ସହ ପବନର ବେଗ ୧୮୦ କିମି ପର୍ଯ୍ୟନ୍ତ ବଢ଼ିଯାଇ ପାରେ । ତେଣୁ ଆଜି ରାତି ୯ଟାରୁ ପବନର ବେଗ ଓ ବର୍ଷା ବଢିଯାଇଛି । ବୁଧବାର ଭୋର ୪ଟାରୁ ୫ଟା ମଧ୍ୟରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ । ବାତ୍ୟା ଲ୍ୟାଣ୍ଡଫଲ୍‌ର ପୂର୍ବ ୬ଘଣ୍ଟା ଓ ପର ୬ଘଣ୍ଟା ବହୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏହାର ପ୍ରଭାବ ବୁଧବାର ଦିନ ତମାମ ରହିପାରେ । ସନ୍ଧ୍ୟା ସୁଦ୍ଧା ବାତ୍ୟା ଓଡ଼ିଶା ସୀମା ଅତିକ୍ରମ କରିବା ଆଶା କରାଯାଉଛି । ଲ୍ୟାଣ୍ଡଫଲ୍ ସ୍ଥାନର ଡାହାଣକୁ ୪ ମିଟର, ବାମକୁ ୨/୩ ମିଟର ଜୁଆର ଉଠିବ । ଏହାର ପ୍ରଭାବରେ ମଙ୍ଗଳବାର ବର୍ଷା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିଛି । ବୁଧବାର ଉତ୍ତର ଉପକୂଳ ତଥା ତତ୍ ସଂଲଗ୍ନ ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବ ବୋଲି ଏସ୍‌ଆର୍‌ସି ଶ୍ରୀ ଜେନା କହିଛନ୍ତି । ଅନ୍ୟପଟେ ବାତ୍ୟା ୟଶ୍ ନେଇ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ବାତ୍ୟା ୟଶ୍‌ ଅତି ଭୀଷଣ ବାତ୍ୟାରେ ପରିଣତ ହେବା ସହ ଉତ୍ତର ଓଡ଼ିଶା ଉପକୂଳ ଛୁଇଁବ । ଭଦ୍ରକ ଓ କେନ୍ଦ୍ରାପଡ଼ା ମଝିରେ ଥିବା ଧାମରା ଅଞ୍ଚଳରେ ଏହା ସ୍ଥଳଭାଗ ଅତିକ୍ରମ କରିବ ।

ଯାହାଫଳରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ସବୁଠାରୁ ବେଶି ପ୍ରଭାବିତ ହେବ । ଧାମରା ଓ ଚାନ୍ଦବାଲିରେ ବାତ୍ୟା ସବୁଠାରୁ ବେଶି କ୍ଷତି ଘଟାଇବ । ବାଲେଶ୍ୱର ଓ ଭଦ୍ରକରେ ସମୁଦ୍ରରେ ୪ ମିଟର ଯାଏଁ ଜୁଆର ଆସିବ ଏବଂ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ୨ ମିଟର ଜୁଆର ଆସିବ । ମଙ୍ଗଳବାର ମଧ୍ୟରାତ୍ରରୁ ୬୦ରୁ ୮୦ କିମି ବେଗରେ ପବନ ବହିବ । ପ୍ରଳୟଙ୍କାରୀ ବାତ୍ୟା ଫନୀ ଠାରୁ ପବନର ବେଗ ପାଖାପାଖି ୫୦ କିମି କମ୍ ରହିବ ବୋଲି ଶ୍ରୀ ମହାପାତ୍ର ପୂର୍ବାନୁମାନ କରିଛନ୍ତି । ବାତ୍ୟା ଭଦ୍ରକରେ ସ୍ଥଳଭାଗ ଛୁଇଁବା ପରେ କେନ୍ଦୁଝର, ଆନନ୍ଦପୁର, ଠାକୁରମୁଣ୍ଡା, ହାଟଡିହି ଅଞ୍ଚଳ ଦେଇ ସୀମା ଅତିକ୍ରମ କରିବ ।

ବାତ୍ୟା ଯୋଗୁଁ ଜଗତସିଂହପୁର ଶିଆଳୀ ବେଳାଭୂମିଠୁ ନେଇ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ତାଳଚୁଆ, ବାଲେଶ୍ୱରର ତାଳସାରି ଉପକୂଳରେ ପ୍ରବଳ ବର୍ଷା ଜାରି ରହିଛି । ବର୍ଷା ଆହୁରି ବଢ଼ିବ ବୋଲି ପାଣିପାଗ କେନ୍ଦ୍ର କହୁଛି । କେନ୍ଦ୍ରାପଡ଼ାଠୁ ନେଇ ଜଗତ୍ସିଂହପୁର, ବାଲେଶ୍ୱର ଓ ଭଦ୍ରକ ଏଇ ଚାରି ଜିଲ୍ଲାରେ ତାଣ୍ଡବ କରିବ ଅତି ଭୀଷଣ ବାତ୍ୟା ୟଶ୍ । ଏହାର ପୂର୍ବାନୁମାନ ସଦୃଶ ଲ୍ୟାଣ୍ଡଫଲ୍ ପୂର୍ବରୁ କେନ୍ଦ୍ରାପଡ଼ା, ଜଗତସିଂପୁର, ଭଦ୍ରକ ଏବଂ ବାଲେଶ୍ୱରରେ ୟଶ୍ ତା’ର କୋପ ଦେଖାଇଲାଣି । ପବନ ସହ ବର୍ଷା ଜାରି ରହିଥିବାବେଳେ ରାସ୍ତାରେ ଗଛ ଭାଙ୍ଗିବା, ଉଚ୍ଚ ଉଚ୍ଚ ଲହଡ଼ି ସହ ଜୁଆର ସ୍ଥଳଭାଗ ମୁହାଁଇଥିବା ନଜରକୁ ଆସିଛି । ସମୁଦ୍ର ଅଶାନ୍ତ ହେବା ପରେ ଫୁଲି ଉଠୁଛି ବୈତରଣୀ ନଦୀର ଜଳସ୍ତର । ଫଳରେ କେନ୍ଦ୍ରାପଡା ବରାଡ଼ିଆ ପଞ୍ଚାୟତର ନଦୀକୂଳର ୫୦ଟି ପରିବାର ଏବେ ଜଳବନ୍ଦୀ ହୋଇଛନ୍ତି ।

କେବଳ କେନ୍ଦ୍ରାପଡ଼ା ନୁହେଁ, ଉତ୍ତର ଏବଂ ପୂର୍ବ ଉପକୂଳ ଜିଲ୍ଲା ଗୁଡ଼ିକରେ ବର୍ତ୍ତମାନ ଏଭଳି ସ୍ଥିତି ଦେଖାଦେଇଥିବାବେଳେ ସ୍ଥାନାନ୍ତର ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ବାତ୍ୟା ପୂର୍ବରୁ ରାଜନଗରର ତାଳଚୁଆର ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ତାଳଚୁଆ ସାମୁଦ୍ରିକ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏହି ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ରହିଥିବାବେଳେ ଅଞ୍ଚଳରୁ ପ୍ରାୟ ୪୫୦ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି । ରାଜନଗର ଅମରାବତୀ ଗ୍ରାମର ଜଣେ ୯୧ ବର୍ଷିୟା ବୃଦ୍ଧାଙ୍କୁ ଭାର ସାହାଯ୍ୟରେ କାନ୍ଧରେ ବୋହି ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଇଥିବା ନଜରକୁ ଆସିଛି । ସେହିପରି ଭେକ୍ଟା ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭେକ୍ଟା ଗାଁର ଜଣେ ବୃଦ୍ଧା ବାତ୍ୟା ଆଶ୍ରୟସ୍ଥଳୀକୁ ବାଉଁଶ ଝୁଲାରେ ବୋହି ନେଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking