32.1 C
Bhubaneswar
Saturday, May 18, 2024
Homeଓଡିଶାଆଜି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ : ଆକାଶରେ ଦିଶିବ ସୁପରମୁନ୍‌, ପଠାଣି ସାମନ୍ତ ପ୍ଲାନେଟାରିଅମ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା

ଆଜି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ : ଆକାଶରେ ଦିଶିବ ସୁପରମୁନ୍‌, ପଠାଣି ସାମନ୍ତ ପ୍ଲାନେଟାରିଅମ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର : ଆଜି ପୂର୍ଣ୍ଣଚନ୍ଦ୍ରଟି ୨୦୨୧ ମସିହାର ଶେଷ “ସୁପରମୁନ୍‌’ ଭାବରେ ଦେଖାଯିବ । ପଠାଣି ସାମନ୍ତ ପ୍ଲାନେଟାରିଅମ୍‌, ଭୁବନେଶ୍ୱର ତରଫରୁ ଲୋକମାନଙ୍କୁ ସଚେତନ କରିବା ସହ ଅନ୍‌ଲାଇନ୍‌ରେ ଲାଇଭ୍ ଦେଖିବାର ବ୍ୟବସ୍ଥା କରାଯାଇଛି । “ସୁପରମୁନ୍‌’, “ଚନ୍ଦ୍ରଗ୍ରହଣ’ ଆଦି ଏକ ସାଧାରଣ ମହାଜାଗତିକ ଘଟଣା ଓ ଏହାର କୌଣସି ପ୍ରଭାବ ପୃଥିବୀ ତଥା ଆମ ଉପରେ ପଡ଼େନାହିଁ । ଏହି ସୁନ୍ଦର ଦୃଶ୍ୟଗୁଡ଼ିକୁ ଉପଭୋଗ କରିବା ସହ ଏହାପଛରେ ରହିଥିବା କାରଣ ଗୁଡ଼ିକ ଜାଣିହେବ । ଏନେଇ ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି । “ସୁପରମୁନ୍‌’ ଶବ୍ଦଟି ପ୍ରଥମେ ଆମେରିକାର ଜ୍ୟୋତିଷ ରିଚାର୍ଡ ନଲ ୧୯୭୯ ମସିହାରେ ପ୍ରଚଳନ କରିଥିଲେ । ଧୀରେ ଧୀରେ ‘ସୁପରମୁନ୍‌’ ଶବ୍ଦଟି ଖୁବ୍ ଲୋକପ୍ରିୟ ହୋଇ ଏବେ ବହୁଳ ଭାବରେ ବ୍ୟବହାର ହେଉଛି । ଜ୍ୟୋତିଷ ରିଚାର୍ଡ ନଲ୍‌ଙ୍କ ପରିଭାଷାରେ ଯଦି ଚନ୍ଦ୍ର ଆମଠାରୁ ସାଧାରଣ ଦୂରତାର ୧୦% ବା ତା’ଠାରୁ କମ୍ ଦୂରତାରେ ଥିବା ସମୟରେ ଏକ ପୂର୍ଣ୍ଣମୀ ପଡ଼ିଥାଏ ତେବେ ତାହାକୁ ଆମେ ସୁପରମୁନ୍ କହିଥାଉ ।

ଅର୍ଥାତ୍ ଯଦି ଚନ୍ଦ୍ର ଆମଠାରୁ ୩.୬୦ ଲକ୍ଷ କିଲୋମିଟର ବା ତା’ଠାରୁ ନିକଟରେ ଥିବା ସମୟରେ ଏକ ପୂର୍ଣ୍ଣମୀ ପଡ଼ିଥାଏ ତା’ହେଲେ ସେହି ଚନ୍ଦ୍ରକୁ ‘ସୁପରମୁନ୍‌’ କୁହାଯାଏ କାରଣ ସେ ସମୟରେ ତାହା ଆମକୁ ବଡ଼ ଓ ଉଜ୍ଜ୍ୱଳ ଦେଖାଯାଏ । ପ୍ରାୟ ପ୍ରତ୍ୟେକ ବର୍ଷ ଏହିଭଳି ଘଟଣା ଘଟିଥାଏ । ୨୦୨୧ରେ ପ୍ରଥମ ସୁପରମୁନ୍ ଗତ ଏପ୍ରିଲ୍ ୨୬ ତାରିଖରେ ଦେଖାଯାଇଥିଲା ଓ ଏ ବର୍ଷର ଶେଷ ‘ସୁପରମୁନ୍‌’ ମେ’ ୨୬ରେ ଦେଖାଯିବ । ଏପ୍ରିଲ୍ ୨୬ ତାରିଖ ପୂର୍ଣ୍ଣମୀରେ ଚନ୍ଦ୍ର ଆମଠାରୁ ୩ ଲକ୍ଷ ୫୭ ହଜାର ୬୧୫ କି.ମି. ଦୂରରେ ଥିଲା ଏବେ ମେ’ ୨୬ରେ ପୂର୍ଣ୍ଣମୀରେ ଚନ୍ଦ୍ର ପ୍ରାୟ ୧୫୦ କି.ମି. ନିକଟ ଅର୍ଥାତ୍ ଆମଠାରୁ ୩ ଲକ୍ଷ ୫୭ ହଜାର ୪୬୨ କି.ମି. ଦୂରରେ ଦେଖାଯିବ । ସେଦିନ ଚନ୍ଦ୍ରଟି ଆମକୁ ସାଧାରଣ ଦିନର ପୂର୍ଣ୍ଣ ଚନ୍ଦ୍ରଠାରୁ ପ୍ରାୟ ୭% ବଡ଼ ସହ ୧୫% ଉଜ୍ଜ୍ୱଳ ଦେଖାଯିବ ।

ସଂଯୋଗ ବଶତଃ ସେ ମେ’ ୨୬ ତାରିଖରେ ଏକ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ସମୟରେ ଚନ୍ଦ୍ର ପୃଥିବୀର ଉପଛାୟାରେ ଅପରାହ୍ଣ ୨.୧୭ ମିନିଟ୍‌ରେ ପ୍ରବେଶ କରିବ ଓ ସନ୍ଧ୍ୟା ୭.୧୯ ସମୟରେ ଉପଛାୟାରୁ ସମ୍ପୂର୍ଣ୍ଣ ବାହାରିଯିବ । ସେହିପରି ଚନ୍ଦ୍ର ପୃଥିବୀର ଛାୟାରେ ଅପରାହ୍ଣ ୩.୧୪ ମିନିଟ୍‌ରେ ପ୍ରବେଶ କରିବ ଓ ସନ୍ଧ୍ୟା ୬.୨୨ରେ ଛାୟାରୁ ସମ୍ପୂର୍ଣ୍ଣ ବାହାରିଯିବ । ଚନ୍ଦ୍ରଟି ଛାୟା ମଧ୍ୟରେ ଥିବା ସମୟରେ ହିଁ ଗ୍ରହଣକୁ ଖାଲି ଆଖିରେ ଦେଖୁହୁଏ । କିନ୍ତୁ ସେ ସମୟରେ ଭାରତ ତଥା ଓଡ଼ିଶାରେ ଦିନ ହୋଇଥିବ ଓ ଚନ୍ଦ୍ର ଦିଗ୍‌ବଳୟ ତଳେ ଥିବାରୁ ଏଠାରେ ଗ୍ରହଣ ଦେଖିହେବ ନାହିଁ । ସୂର୍ଯ୍ୟ ଚାରିପଟେ ପୃଥିବୀ ବୁଲୁଥିବାବେଳେ ଚନ୍ଦ୍ର ପୃଥିବୀ ଚାରିପଟେ ଏକ ନିର୍ଦ୍ଦିଷ୍ଟ କକ୍ଷ ପଥରେ ଘୂରୁଛି ।

ଯେତେବେଳେ ଏହି ତିନୋଟି ପିଣ୍ଡ ଏକ ସରଳ ରେଖାରେ ରୁହନ୍ତି ଓ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼େ ସେତେବେଳେ ଚନ୍ଦ୍ର ଗ୍ରହଣ ହୋଇଥାଏ । ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ର ରକ୍ତ ବର୍ଣ୍ଣ ବା ଲାଲ୍ ରଙ୍ଗ ଧାରଣ କରେ । ଏହି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖିବାର ପ୍ରକୃଷ୍ଟ ସମୟ ହେଉଛି ୪.୪୧ ମିନିଟ୍‌ରୁ ୪.୫୫ ମିନିଟ୍ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking