27.1 C
Bhubaneswar
Wednesday, May 8, 2024
Homeଓଡିଶାଜାଲ, ଡଙ୍ଗା କିଣାରେ ୧୭ କୋଟି ଟଙ୍କାର ଦୁର୍ନୀତି

ଜାଲ, ଡଙ୍ଗା କିଣାରେ ୧୭ କୋଟି ଟଙ୍କାର ଦୁର୍ନୀତି

ବ୍ରହ୍ମପୁର:  ରାଜ୍ୟ ସରକାର ମତ୍ସ୍ୟଜୀବୀଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରି ସେମାନଙ୍କ ଆର୍ଥିକ ବିକାଶ ପାଇଁ ଯୋଜନା କରିଛନ୍ତି । ଗଞ୍ଜାମ ଜିଲ୍ଳା ବାରମ୍ବାର ସାମୁଦ୍ରିକ ଝଡ଼ ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ଫଳରେ କ୍ଷତିଗ୍ରସ୍ତ ହେଉଥିବା ହଜାର ହଜାର ମତ୍ସ୍ୟଜୀବୀଙ୍କୁ ସହାୟତା ମଧ୍ୟ ସରକାର ଯୋଗାଇ ଦେଉଛନ୍ତି । କିନ୍ତୁ କେତେକ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କ ଯୋଗୁଁ ସମ୍ପୃକ୍ତ ସହାୟତା ମତ୍ସ୍ୟଜୀବୀଙ୍କୁ ମିଳିବା ପରିବର୍ତ୍ତେ ଅନ୍ୟମାନଙ୍କ ହାତରେ ପଡ଼ିଛି । ଏ ନେଇ ଅଭିଯୋଗ କରାଯିବା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ ହୋଇଛି । କିନ୍ତୁ ଫଳାଫଳ ଶୂନ ଆସିଛି । ସୂଚନା ଅନୁଯାୟୀ,  ଗତ ୨୦୧୩ ମସିହାରେ ହୋଇଥିବା “ଫାଇଲିନ୍‌’ ବାତ୍ୟା ବେଳେ ଗଞ୍ଜାମ ସମେତ ଖୋର୍ଦ୍ଧା ଜିଲ୍ଲାର ବହୁ ସଂଖ୍ୟକ ମତ୍ସ୍ୟଜୀବୀଙ୍କ ମାଛ ଧରା ଜାଲ, ଡଙ୍ଗା ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା ।

ଫଳରେ ସେମାନେ ନିଜର ଜୀବିକା ହରାଇଥିଲେ । ତେଣୁ ସେମାନଙ୍କ ଜୀବିକା ଫେରାଇବାକୁ ରାଜ୍ୟ ସରକାର “ଆର.କେ.ବି.ୱାଇ’ ଯୋଜନାରେ ଜାଲ, ଡଙ୍ଗା କିଣିବା ପାଇଁ ବ୍ୟାଙ୍କ ଋଣ ଯୋଗେ ୧୭ କୋଟି ଟଙ୍କା ପ୍ରଦାନ କରିଥିଲେ । ଏହି ଅର୍ଥ ଯୋଗେ ଏକ ସଂସ୍ଥା ଜାଲ, ଡଙ୍ଗା କିଣି ମତ୍ସ୍ୟଜୀବୀଙ୍କୁ ପ୍ରଦାନ ପାଇଁ ନିର୍ଦ୍ଦେଶ ଥିଲା । କିନ୍ତୁ ସେଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ମତ୍ସ୍ୟଜୀବୀ ସଂଘ ଅଭିଯୋଗ କରିଛି । ଦୀର୍ଘ ସମୟ ପର୍ଯ୍ୟନ୍ତ ସରକାର ଅଭିଯୋଗକୁ ଗୁରୁତ୍ୱ ଦେଇନଥିଲେ । ତେବେ ଗତ ୨୦୨୦ ଡିସେମ୍ବର ୧୬ ତାରିଖରେ ବାଲୁଗାଁ ସ୍ଥିତ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଏକ ଉଚ୍ଚସ୍ତରୀୟ ତଦନ୍ତ ହୋଇଥିଲା ।

ସେଥିରେ ମତ୍ସ୍ୟଜୀବୀ ସଂଘର ନେତା ବି. ସୀମାଦ୍ରିଙ୍କ ଉପସ୍ଥିତ ଥିଲେ । ପରବର୍ତ୍ତୀ ସମୟରେ ତଦନ୍ତର ଫଳାଫଳ ମତ୍ସ୍ୟଜୀବୀଙ୍କୁ ଜଣାଇ ଦିଆଯିବ ବୋଲି କୁହାଯାଇଥିଲା । ଦୁର୍ଭାଗ୍ୟର ବିଷୟ ତଦନ୍ତର ୧୦ ମାସ ପରେ ବି ଏଯାବତ୍ ଏ ନେଇ ମତ୍ସ୍ୟଜୀବୀ ସଂଘକୁ କୌଣସି ରିପୋର୍ଟ ମିଳିନାହିଁ ବୋଲି ସଂଘର ନେତା ବି. ସୀମାଦ୍ରି କହିଛନ୍ତି । ଅନୁରୂପ ଭାବେ ଛତ୍ରପୁର ସ୍ଥିତ ବିଭାଗୀୟ ମତ୍ସ୍ୟ ଅଧିକାରୀ(ସାମୁଦ୍ରିକ) ସୁବ୍ରତ ପଟ୍ଟନାୟକ ମଧ୍ୟ କୌଣସି ତଦନ୍ତର ରିପୋର୍ଟ ପାଇନାହାନ୍ତି ବୋଲି କହିଛନ୍ତି ।

ତେବେ ଏଠାରେ ପ୍ରଶ୍ନ ଉଠେ ଯେ ସରକାର ଦେଇଥିବା କୋଟି କୋଟି ଟଙ୍କାର ଋଣ ମତ୍ସ୍ୟଜୀବୀମାନେ ପାଇନଥିବା ସତ୍ତ୍ୱେ ସେମାନଙ୍କୁ ବ୍ୟାଙ୍କ ଋଣ ପୈଠ କରିବାକୁ କୁହାଯାଇଛି । ଗରିବ ମତ୍ସ୍ୟଜୀବୀମାନେ ଋଣ ପରିଶୋଧ କରିବେ କେମିତି ବୋଲି ପ୍ରଶ୍ନ ଉଠିଛି । ଏଭଳି ସ୍ଥିତିରେ ଜିଲ୍ଳା ମତ୍ସ୍ୟଜୀବୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ସୃଷ୍ଟି ହୋଇଛି । ପ୍ରକାଶ ଯୋଗ୍ୟ ଯେ କୋଭିଡ୍ ଯୋଗୁଁ ମତ୍ସ୍ୟଜୀବୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି । ଦୀର୍ଘ ସମୟ ଧରି ଆର୍ଥିକ ସମସ୍ୟାରୁ ମୁକ୍ତି ପାଇନାହାନ୍ତି । ସ୍ୱାଭାବିକ ସମୟରେ ବି ବର୍ଷର ମେ’ ମାସରୁ ନଭେମ୍ବର ମାସ ଯାଏଁ ଗଞ୍ଜାମ ଜିଲ୍ଲା ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯାଇ ମାଛ ମାରିବା ମନା କରିଛି ପ୍ରଶାସନ । କାରଣ ସେହି ସମୟରେ ଅଲିଭ ରିଡ୍‌ଲେ କଇଁଛମାନେ ଗଞ୍ଜାମ ସମୁଦ୍ର ଉପକୂଳକୁ ଆସିଥାନ୍ତି ।

ଏହା ବ୍ୟତୀତ ବର୍ଷର ଅନ୍ୟ ସମୟରେ ମତ୍ସ୍ୟ ପ୍ରଜନନ ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ମାଛ ମାରିବା ମନା କରାଯାଏ । ଏହି ଦୁର୍ନୀତିରେ କିଛି  ଅଧିକାରୀଙ୍କ ସମ୍ପୃକ୍ତି ଥିବା ଯୋଗୁଁ ତଦନ୍ତ ରିପୋର୍ଟ ପ୍ରକାଶ ପାଉନି ଓ ମତ୍ସ୍ୟଜୀବୀଙ୍କୁ ନ୍ୟାୟ ମିଳୁନି ବୋଲି ମତ୍ସ୍ୟଜୀବୀମାନେ ଅଭିଯୋଗ କରିଛନ୍ତି । ଗତ ୨୦୧୯ ଫେବୃଆରୀ ମାସରେ ଆର୍ଯ୍ୟପଲ୍ଲୀର ମତ୍ସ୍ୟଜୀବୀମାନେ ଏହି ଦୁର୍ନୀତିର ତଦନ୍ତ କରି ସେମାନଙ୍କୁ ନ୍ୟାୟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ତା’ ପୂର୍ବରୁ ୨୦୧୭ ମସିହାରେ ଛତ୍ରପୁର ସ୍ଥିତ ବିଭାଗୀୟ କାର୍ଯ୍ୟାଳୟରେ ଏ ନେଇ ତଦନ୍ତ କରାଯିବାକୁ ତାରିଖ ଧାର୍ଯ୍ୟ ହୋଇଥିଲା ।

କିନ୍ତୁ ଶେଷ ମୁହୂର୍ତ୍ତରେ ତାହା ହୋଇନଥିଲା । ଏହା ବ୍ୟତୀତ ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟର ପୂର୍ବତନ କୃଷିମନ୍ତ୍ରୀ ସ୍ୱର୍ଗତ ପ୍ରଦୀପ ମହାରଥିଙ୍କୁ ମଧ୍ୟ ମତ୍ସ୍ୟଜୀବୀମାନେ ନେତା ବି. ସୀମାଦ୍ରିଙ୍କ ନେତୃତ୍ୱରେ ଭେଟି ସମସ୍ୟା ସମ୍ପର୍କରେ ଜଣାଇଥିଲେ । ଶ୍ରୀ ମହାରଥି ତଦନ୍ତ ହେବା ସାଙ୍ଗକୁ କାର୍ଯ୍ୟାନୁଷ୍ଠାନ କରାଯାଇ ମତ୍ସ୍ୟଜୀବୀଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏଯାବତ୍ ତାହା ହୋଇପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking