32.1 C
Bhubaneswar
Saturday, May 4, 2024
Homeକରୋନାଆମେରିକା ପାଲଟିଲା କରୋନା ନାଭିକେନ୍ଦ୍ର

ଆମେରିକା ପାଲଟିଲା କରୋନା ନାଭିକେନ୍ଦ୍ର

ରୋମ : ସମଗ୍ର ୟୁରୋପରେ କରୋନା ମହାମାରୀର ଆତଙ୍କ ସୃଷ୍ଟି ହୋଇଥିବାବେଳେ ଶନିବାର ଏଠାରେ ମୃତକଙ୍କ ସଂଖ୍ୟା ବୃଦ୍ଧିପାଇଛି। ତଥାପି ଏହି ମହାମାରୀ ଏପର୍ଯ୍ୟନ୍ତ ତାହାର କରାଳ ରୂପର ଶୀର୍ଷରେ ପହଞ୍ଚିନାହିଁ ଏବଂ ସେଥିପାଇଁ ଆଉ କିଛିଦିନ ଲାଗିପାରେ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ଆମେରିକା କରୋନା ଭୂତାଣୁ କୋଭିଡ୍‌-୧୯ର ନାଭିକେନ୍ଦ୍ରରେ ପରିଣତ ହୋଇସାରିଛି। ଏଠାରେ କୋଭିଡ୍‌-୧୯ ସଂକ୍ରମିତ ରୋଗୀ ସଂଖ୍ୟା ୧,୧୨,୫୬୦କୁ ଅତିକ୍ରମ କରିଛି, ଯାହା ବିଶ୍ୱରେ ସର୍ବାଧିକ। ବୟସ ନିର୍ବିଶେଷରେ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ଜଣାଯାଇଛି। ଶନିବାର ସଂଧ୍ୟା ସୁଦ୍ଧା ଆମେରିକାରେ ୧୮୭୮ ଜଣଙ୍କର କୋଭିଡ୍‌-୧୯ ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଶୁକ୍ରବାର ଜରୁରୀ କ୍ଷମତା ପ୍ରୟୋଗ କରିବା ସହିତ ଘରୋଇ କମ୍ପାନୀ ଜେନେରାଲ ମୋଟର୍ସକୁ ଚିକିତ୍ସା ଉପକରଣ ନିର୍ମାଣ କରିବାକୁ ଆଦେଶ ଦେଇଛନ୍ତି। ଏହାଦ୍ୱାରା ଅଧିକ ସଂଖ୍ୟାରେ ଭେଣ୍ଟିଲେଟର ଉତ୍ପାଦନ କରାଯାଇ ଆମେରିକୀୟଙ୍କ ଜୀବନ ରକ୍ଷା କରାଯାଇପାରିବ ବୋଲି ଟ୍ରମ୍ପ କହିଛନ୍ତି। ଇତିମଧ୍ୟରେ ଏକ ଚିନ୍ତନଶୀଳ ଗୋଷ୍ଠୀ ସତର୍କ କରାଇଦେଇ କହିଛି ଯେ କରୋନା ସଂକ୍ରମଣ ଯୋଗୁଁ ନିମ୍ନ ଆୟକାରୀ ରାଷ୍ଟ୍ରଗୁଡିକରେ ଲକ୍ଷଲକ୍ଷ ସଂଖ୍ୟାରେ ଲୋକ ପ୍ରାଣ ହରାଇବା ଆଶଙ୍କା ଦେଖାଦେଇଛି। କରୋନା ମହାମାରୀର ଆତଙ୍କ ଏଭଳି ବୃଦ୍ଧିପାଇଛି ଯେ ବିଶ୍ୱର ବିକଶିତ ରାଷ୍ଟ୍ରଗୁଡିକର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ତାହା ଆଗରେ ନଗଣ୍ୟ ହୋଇପଡିଛି।
ଏଭଳି ସ୍ଥିତିରେ ସମୁଦାୟ ବିଶ୍ୱ ଅର୍ଥନୀତି ମାନ୍ଦା ଅବସ୍ଥାରେ ପ୍ରବେଶ କରିସାରିଛି ବୋଲି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (ଆଇଏମଏଫ) ନିଶ୍ଚିତ କରାଇଛି। ଏଭଳି ପରିସ୍ଥିତିରେ ଆମେରିକା ପ୍ରଶାସନ ଯୁଦ୍ଧ ସମୟରେ ବିଭିନ୍ନ ସାମଗ୍ରୀ ସଂଗ୍ରହ କରିବାର କ୍ଷମତାକୁ ଉପଯୋଗ କରିବା ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ସୀମାନ୍ତକୁ ସିଲ୍‍ କରାଯିବା ସହିତ ସମସ୍ତଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯିବା ପରେ ୟୁରୋପୀୟ ୟୁନିୟନ ଅର୍ଥନୀତି ଭୁଶୁଡିବା ଅବସ୍ଥାରେ ପହଞ୍ଚିଛି। ଇତିମଧ୍ୟରେ ଆଇଏମଏଫ ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଏଭା କହିଛନ୍ତି ଯେ ବିକାଶଶୀଳ ରାଷ୍ଟ୍ରଗୁଡିକ ନିମନ୍ତେ ବ୍ୟାପକ ଖର୍ଚ୍ଚ କରିବାର ଆବଶ୍ୟକତା ଦେଖାଦେଇଛି। ତେବେ ଏକଥା ସ୍ପଷ୍ଟ ଯେ ସମୁଦାୟ ବିଶ୍ୱରେ ମାନ୍ଦା ଅବସ୍ଥା ସୃଷ୍ଟି ହୋଇସାରିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking