28.1 C
Bhubaneswar
Saturday, April 27, 2024
Homeଓଡିଶାକରୋନା ମହାମାରୀ ମହାଦୁର୍ନୀତିର ନିରପେକ୍ଷ ତଦନ୍ତ ଦାବିରେ କଂଗ୍ରେସ  ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର

କରୋନା ମହାମାରୀ ମହାଦୁର୍ନୀତିର ନିରପେକ୍ଷ ତଦନ୍ତ ଦାବିରେ କଂଗ୍ରେସ  ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ଭୁବନେଶ୍ୱର  – କରୋନା ମହାମାରୀ ମହାଦୁର୍ନୀତିର ନିରପେକ୍ଷ ତଦନ୍ତ ଦାବିରେ ଆଜି ରାଜଭବନ ଠାରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଓ କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀ ମାନ୍ୟବର ରାଜ୍ୟପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସଂପ୍ରତି ଭୟାବହ କରୋନା ମହାମାରୀ ସମୟରେ ରାଜ୍ୟ ସରକାରଙ୍କର ଔଷଧ ନିଗମରେ ହୋଇଥିବା  ଶହ ଶହ କୋଟି ଟଙ୍କାର ମହାଦୁର୍ନୀତି ଅତ୍ୟନ୍ତ କ୍ଷୋଭ ଓ ଦୁଃଖର ବିଷୟ । ଔଷଧ ନିଗମ ମାସ୍କ କିଣାରେ କୋଟି କୋଟି ଟଙ୍କା ବ୍ୟୟ କରିଛନ୍ତି । ଏହି ମାସ୍କ କିଣିବା ପାଇଁ କେନ୍ଦ୍ର ସରକାର ମାର୍ଚ୍ଚ ୨୧ ଏବଂ ମାର୍ଚ୍ଚ ୨୪ ତାରିଖରେ ଦୁଇଟି ନିର୍ଦ୍ଦେଶନାମା ଜାରି କରିଥିଲେ । ଏହି ନିର୍ଦ୍ଦେଶନାମା ଅନୁଯାୟୀ ମାସ୍କର ପାଇକାରୀ ମୂଲ୍ୟ ସର୍ବୋଚ୍ଚ ୧୦ ଟଙ୍କା ଏବଂ ୧୬ ଟଙ୍କା ରଖା ଯାଇଥିଲା । ଏହା ପାଇକାରୀ ଏବଂ ସର୍ବୋଚ୍ଚ ମୂଲ୍ୟ ହୋଇଥିଲା ବେଳେ ଓଡିଶା ଔଷଧ ନିଗମ ତାମିଲନାଡୁର ଏକ କମ୍ପାନୀ (ବିଷ୍ଣୁ ଡିସ୍‌ପୋଜେବ୍‌ଲ ପ୍ରାଃ.ଲିଃ) ଠାରୁ ୧୬ ଟଙ୍କାରେ ୩୦ ଲକ୍ଷ ମାସ୍କ କିଣିଛନ୍ତି । ଏଥିରେ ବ୍ୟାପକ ଦୁର୍ନୀତିର ସ୍ପଷ୍ଟ ପ୍ରମାଣ ମିଳେ । ଏହି ମାସ୍କ କିଣିବା ପାଇଁ ଇପୋର୍ଟାଲ ମାଧ୍ୟମରେ ମାର୍ଚ୍ଚ ୩ ତାରିଖରେ ୩୦ ଲକ୍ଷ ମାସ୍କ କିଣିବା ପାଇଁ ଅର୍ଡର କରି ହଠାତ୍ ମାର୍ଚ୍ଚ ୧୮ ତାରିଖରେ ସେଥିରୁ ସରକାର ଓହରି ଗଲେ । କିନ୍ତୁ ସେହି ୩୦ ଲକ୍ଷ ମାସ୍କ କିଣିବା ପାଇଁ ବିଷ୍ଣୁ ଡିସ୍‌ପୋଜେବ୍‌ଲ ପ୍ରାଃ.ଲିଃ କୁ ୧୬ ଟଙ୍କାରେ ଅର୍ଡର ଦେଲେ । ଏହି ସମାନ ଧରଣର ୩ ଲେୟାର ମାସ୍କକୁ ଦିଲ୍ଲୀ, ପଣ୍ଡିଚେରୀ, ଆଣ୍ଡାମାନ ନିକୋବର, ଗୁଜୁରାଟ, ତେଲେଙ୍ଗାନା ପ୍ରଭୃତି ରାଜ୍ୟ / କେନ୍ଦ୍ର ଶାସିତ ଅଂଚଳଗୁଡିକ ଯଥାକ୍ରମେ ଟ. ୮.୪୭, ଟ. ୭.୮୮, ଟ. ୭.୫୦, ଟ. ୨.୪୦ ଓ ଟ. ୧.୩୪ ପଇସାରେ କିଣିଛନ୍ତି । ଅନ୍ୟ ରାଜ୍ୟମାନେ ଏତେ କମ୍ ଟଙ୍କାରେ ମାସ୍କ କିଣୁଥିବା ବେଳେ ରାଜ୍ୟ ସରକାର କେଉଁ ପରିପ୍ରେକ୍ଷୀରେ ସମାନ ଧରଣରର ମାକ୍ସକୁ ୧୬ ଟଙ୍କାରେ କିଣିଛନ୍ତି ତାହା ତଦନ୍ତ ସାପେକ୍ଷ । କାରଣ ଏହି ମାସ୍କ କିଣିବା ଦୁଇ ଦିନ ପୂର୍ବରୁ ଔଷଧ ନିଗମ ଆଉ ଏକ କମ୍ପାନୀ ଠାରୁ ଟ. ୯.୯୦ ପଇସାରେ ମାସ୍କ କିଣିଥିଲେ ।
ସେହିଭଳି ଟେଷ୍ଟି କିଟ୍ କିଣିବା କ୍ଷେତ୍ରରେ ଗୋଟିଏ କମ୍ପାନୀ ଠାରୁ ୧୩୨୧ ଟଙ୍କାରେ ଆଉ ଗୋଟିଏ କମ୍ପାନୀ ଠାରୁ ୧୧୨୫ ଟଙ୍କାରେ ଏବଂ ଅନ୍ୟ ଏକ କମ୍ପାନୀ ପାଖରୁ ୯୮୦ ଟଙ୍କାରେ ଏହି ଟେଷ୍ଟିଂ କିଟ୍ କିଣା ହୋଇଛି । ସମାନ ଟେଷ୍ଟିଂ କିଟ୍ ଭିନ୍ନ ଭିନ୍ନ ଦରରେ କାହିଁକି କିଣା ଯାଇଛି ।
ରିଅଲ୍ ଟାଇମ୍ ପିସିଆର୍ ମେସିନ୍ ୧୨.୯୪ ଲକ୍ଷ ଟଙ୍କାରେ କିଣିଛନ୍ତି । ବାସ୍ତବରେ ଏହା ୪-୫ ଲକ୍ଷ ଟଙ୍କାରୁ ଅଧିକ ହେବନାହିଁ ଏବଂ ଏଥିରେ ବ୍ୟବହୃତ ହେଉଥିବା ସ୍କ୍ରିନିଂ କିଟ ୧୩୪୦ ଟଙ୍କାରେ କିଣାଯାଇଛି । ଯାହାକ ୫ ଶହରୁ ୭ ଶହ ଟଙ୍କାରେ ଉପଲବ୍ଧ ।
ପିପିଇ କିଣିବା କ୍ଷେତ୍ରରେ ଔଷଧ ନିଗମ ନିମ୍ନମାନର ପିପିଇକୁ ଅଧିକ ଦାମ୍ ଦେଇ କିଣିବାର ଅଭିଯୋଗ ଆସିଛି । ଯେଉଁ ପିପିଇଗୁଡିକ ଡାକ୍ତର, ନର୍ସ ଓ ପାରାମେଡିକାଲ୍ ଷ୍ଟାଫ୍‌ମାନେ ବ୍ୟବହାର କରିଥାନ୍ତି । ସରକାର କରୋନା ଯୋଦ୍ଧାମାନଙ୍କ ପ୍ରତି କୁମ୍ଭୀର କାନ୍ଦଣା କାନ୍ଦୁଥିବା ବେଳେ ନିମ୍ନମାନର ପିପିଇ ଫ୍ରଂଟ ଲାଇନ୍ ହେଲ୍‌ଥ ୱାର୍କରମାନଙ୍କୁ ଦେଇ ସେମାନଙ୍କ ଜୀବନକୁ ବିପଦ ମୁହଁକୁ ସରକାର ଠେଲି ଦେଇନାହାନ୍ତି କି? ରାଜ୍ୟ ଭିତରେ ଥିବା ଏମ୍‌ଏସ୍‌ଏମ୍‌ଇ ସଂସ୍ଥାଗୁଡିକ ଠାରୁ ୨୦% ଜିନିଷ କିଣିବା ବାଧ୍ୟତାମୂଳକ ଥିବାବେଳେ କାହିଁକି ଓଡିଶାର ସଂସ୍ଥାମାନଙ୍କ ଠାରୁ ଔଷଧ, ସାନିଟାଇଜର, ମାସ୍କ ଆଦି ଜିନିଷପତ୍ର କିଣାଯାଇନାହିଁ । ଏହି ଦୁର୍ନୀତିରେ ରାଜ୍ୟର ଉଚ୍ଚ ଅଫିସ୍‌, ବିଶିଷ୍ଟ ଅଧିକାରୀ ଓ ଦାୟିତ୍ୱରେ ଥିବା ମନ୍ତ୍ରୀମଣ୍ଡଳ ପରିସରଭୁକ୍ତ । ତେଣୁ ଏହାର ନିରପେକ୍ଷ ତଦନ୍ତ କରି ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ପଟ୍ଟନାୟକ ରାଜ୍ୟପାଳଙ୍କୁ ସ୍ମାରକପତ୍ର ମାଧ୍ୟମରେ ନିବେଦନ କରିଛନ୍ତି ।
ଏହି ଅବସରରେ ପ୍ରଦେଶ କଂଗ୍ରେସ କମିଟି ନିର୍ଦ୍ଦେଶକ୍ରମେ ସମସ୍ତ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମଧ୍ୟ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସଂପୃକ୍ତ ଜିଲ୍ଲାପାଳଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ଏହି ପ୍ରରୀପେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ କ୍ୟାପଟେନ ମନ୍ମଥ ରାଉତରାୟ, ପ୍ରଦୀପ ସାହୁ, ପ୍ରଦୀପ ସ୍ୱାଇଁ, ଅଶୋକ ମଙ୍ଗରାଜ, କଳିଙ୍ଗ ସାହୁ, ନୌସର ଅଲ୍ଲୀ,  ବେଣୁ ଭୋଇ, ଶିଶିର ପରିଡ଼ା, ଜୟନ୍ତ ଭୋଇ, ପଦ ରାୟ, ସ୍ୱାଗତିକା ପଟ୍ଟନାୟକ, ଉଲ୍ଲାସମଣୀ ମଲ୍ଲିକ, ସୁଶାନ୍ତ ସେଠୀ, ରଣିଆ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ସେହିପରି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ  ଏକ ଦାବି ପତ୍ର କାର୍ଯ୍ୟକାରୀ ସଭାନେତ୍ର ଶ୍ରୀମତୀ ରଶ୍ମି ମହାପାତ୍ର ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଅତିରିକ୍ତ ଜିଲ୍ଲାପାଳଙ୍କୁ ମାନନୀୟ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରିଥିଲେ ଏହି ପ୍ରତିନିଧି ମଣ୍ଡଳୀରେ ଚିନ୍ମୟ ସୁନ୍ଦର ଦାସ, ଦେଓ ପ୍ରସାଦ,  ନାସିର ଅହମ୍ମଦ ଓ ନିରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking