34.1 C
Bhubaneswar
Friday, March 29, 2024
Homeଓଡିଶାମାସ୍କ ଫାସରେ ଫସିଛନ୍ତି ସରକାର, ଘେରିଛନ୍ତି ବିରୋଧୀ

ମାସ୍କ ଫାସରେ ଫସିଛନ୍ତି ସରକାର, ଘେରିଛନ୍ତି ବିରୋଧୀ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ବିଭିନ୍ନ ସାମଗ୍ରୀ କିଣିବାରେ ହୋଇଥିବା ଦୁର୍ନୀତି ବା ଅନିୟମିତତାକୁ ନେଇ ଏବେ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ବିରୋଧୀ ଏମିତିି ସାଂଘାତିକ ଓ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ମାସ୍କ ଓ ଅନ୍ୟାନ୍ୟ ସାମଗ୍ରୀ କିଣା ନେଇ ଆଣିଛନ୍ତି । କିନ୍ତୁ ରାଜ୍ୟ ସରକାର ଏସବୁକୁ ସଫା ଫାଙ୍କି ଦେଇଛନ୍ତି । କୌଣସି ପ୍ରକାର ଦୁର୍ନୀତି ହୋଇନାହିଁ । କେନ୍ଦ୍ର ଦ୍ୱାରା ଧାର୍ଯ୍ୟ ଦର ଅନୁସାରେ କିଣାଯାଇଛି ବୋଲି କୁହାଯାଇଛି । ଫଳରେ ବିରୋଧୀ ଏହି ଘଟଣାରେ ନିରପେକ୍ଷ ତଦନ୍ତ ପାଇଁ ଆହ୍ୱାନ ଦେଇଥିବା ବେଳେ ଏହାକୁ କିନ୍ତୁ ସରକାର ଗ୍ରହଣ କରୁନାହାନ୍ତି । ବିରୋଧୀଙ୍କର ଯାହା ଅଭିଯୋଗ ଅଛି, ସେମାନେ କୋର୍ଟଙ୍କୁ ଯାଆନ୍ତୁ ବୋଲି ଏକପ୍ରକାର ପରୋକ୍ଷ ଇଙ୍ଗିତ ଦିଆଯାଇଛି । ବାସ୍ତବରେ ବିରୋଧୀଙ୍କ କଥା ଠିକ୍ କି ସରକାର ଯାହା କହୁଛନ୍ତି ଠିକ୍ ତାହା ଜାଣିବା ପାଇଁ ତଦନ୍ତ ହିଁ ଏକମାତ୍ର ମାଧ୍ୟମ । ତଦନ୍ତ ପାଇଁ ରାଜ୍ୟ ସରକାର କିମ୍ବା କୋର୍ଟ ନିର୍ଦ୍ଦେଶ ଦେଇପାରିବେ । ରାଜ୍ୟ ସରକାର ଫାଙ୍କି ଦେଇ ମନା କରିଦେଇଥିବାରୁ ଏବେ ଭରଷା ହେଉଛି କୋର୍ଟ । ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଏବେ ଭରଷା କୋର୍ଟ ।
ବିଶ୍ୱରେ କରୋନା ମହାମାରୀ ଦେଖାଦେବା ପରେ ଏହାର ମୁକାବିଲା ପାଇଁ ଆବଶ୍ୟକ ପଡୁଥିବା ସାମଗ୍ରୀ ହଠାତ୍ କୌଣସି ରାଜ୍ୟରେ ଉପଲବ୍ଧ ନଥିଲା । ବିଭିନ୍ନ ରାଜ୍ୟ ସରକାର ତରବରିଆ ଭାବେ ସାମଗ୍ରୀ କିଣିବାକୁ ବାଧ୍ୟ ହୋଇଥିଲେ । ଏଥିରେ ମାସ୍କ, ସାନିଟାଇଜେସନ, ଟେଷ୍ଟ ମେସିନ ଓ ଅନ୍ୟାନ୍ୟ ସାମଗ୍ରୀ ଅନ୍ତର୍ଭୁକ୍ତ ରହିଛି । ଏଥିରେ ମାସ୍କ ବିଷୟକୁ ପଦାକୁ ଅଣାଯାଇଛି । ଅନ୍ୟ ଦୁର୍ନିତୀ କଥାକୁ ଏଡାଇ ଚାଲିଛନ୍ତି । କଂଗ୍ରେସ ଅଭିଯୋଗ କରିଛି, ବଜାରରେ ଯେତେବେଳେ କମ୍ ଦରରେ ମାସ୍କ ମିଳୁଥିଲା ଓ ଅନ୍ୟ ରାଜ୍ୟମାନେ କମ୍ ଦରରେ କିଣୁଥିଲେ ସେ ସମୟରେ ଓଡିଶା ସରକାର କାହିଁକି ଚଢା ଦରରେ କିଣିଲେ । ପ୍ରଥମେ ଦଶ ଟଙ୍କା ଓ ପରେ ୧୬ ଟଙ୍କାରେ ମାସ୍କ କିଣାଯାଇଛି । ସରକାରଙ୍କ କହିବା କଥା କେନ୍ଦ୍ର ସରକାର ଏହି ଦର ନିର୍ଦ୍ଧାରଣ କରିଥିବାରୁ ତାକୁ ଭିତ୍ତି କରି ମାସ୍କ କିଣାଯାଇଛି । ଏଠି ବିରୋଧୀ ପ୍ରଶ୍ନ ଉଠାଇଛନ୍ତି ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ଦର ଧାର୍ଯ୍ୟ କରିଥିଲେ । ରାଜ୍ୟ ସରକରା ଏପ୍ରିଲ ମାସରେ ଯେତେବେଳେ ମାସ୍କ କିଣିଲେ ସେତେବେଳକୁ ବଜାରରେ ଅନେକ କମ୍ପାନୀ ମାସ୍କ ଓ ଅନ୍ୟାନ୍ୟ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ପ୍ରସ୍ତୁତ କରିସାରିଥିଲେ । ବର୍ତମାନ ଇଂଟରନେଟ ଯୁଗରେ ସରକାର ଗୋଟିଏ ଘଣ୍ଟାରେ ବିଭିନ୍ନ କମ୍ପାନୀରୁ ସେମାନଙ୍କ ଦର ଓ ସାମଗ୍ରୀର ମାନ ବିଷୟରେ ଖବର ସଂଗ୍ରହ କରିପାରିଥାନ୍ତେ ଓ ତାକୁ ଭିତ୍ତି କରି ସାମଗ୍ରୀ କିଣିପାରିଥାନ୍ତେ । କିନ୍ତୁ ତାହା ନକରି ସରକାର ୧୬ ଟଙ୍କାରେ କାହିଁକି କିଣିଲେ ବୋଲି ପ୍ରଶ୍ନ ଉଠାଯାଇଛି ।
ବାରମ୍ବାର ଏହି ପ୍ରଶ୍ନ ଉଠିବା ପରେ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟୀକରଣ ଦିଆଯାଇଛି । ଦଳର ମୁଖପାତ୍ର ସାଂସଦ ସମ୍ବିତ ପାତ୍ର ଗଣମାଧ୍ୟମକୁ କହିଛନ୍ତି, କୌଣସି ଦୁର୍ନୀତି ଏହି କ୍ଷେତ୍ରରେ ହୋଇନାହିଁ । ସଂପୂର୍ଣ୍ଣ ସ୍ୱଚ୍ଛତାର ସହ ସାମଗ୍ରୀ କିଣାଯାଇଛି । ଓଡିଶା ୧୬ ଟଙ୍କାରେ କିଣିଥିବା ବେଳେ ଗୁଜୁରାଟ ୨୦ ଟଙ୍କାରେ , କର୍ଣ୍ଣାଟକ ୧୮ ଟଙ୍କା, ତାମିଲନାଡୁ ୧୫.୮୬ ପଇସାରେ କିଣିଛନ୍ତି । ସେତେବେଲେ ମାସ୍କର ବହୁଳ ଆବଶ୍ୟକତା ଥିବାରୁ ବଜାରରେ ସାମଗ୍ରୀର ଅଭାବ ଥିଲା । ତେଣୁ ଅଧିକ ଦରରେ କିଣାଯାଇଥିଲା । ଯଦି ଜରୁରୀ ଆବଶ୍ୟକତା ପାଇଁ ତୁରନ୍ତ ମାସ୍କ କିଣାଯାଇନଥାନ୍ତା, ତେବେ କରୋନା ଯେପରି ମାଡୁଥିଲା ସେଥିରେ ବହୁ ଜୀବନହାନି ଘଟିଥାନ୍ତା ବୋଲି ଶ୍ରୀ ପାତ୍ର କହିଛନ୍ତି । କେନ୍ଦ୍ର ସରକାର ଯେଉଁ ଦର ଧାର୍ଯ୍ୟ କରିଛନ୍ତି ତା ଠାରୁ ଅଧିକ ଟଙ୍କା ଦେଇ ସରକାର କିଣିନାହାନ୍ତି ।
ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିବାକୁ ଯାଇ ଉଭୟ କଂଗ୍ରେସ ଓ ବିଜେପି ପାଲଟା ଆକ୍ରମଣ କରିଛନ୍ତି । କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ, କହିଛନ୍ତି ସରକାର ପୁରା ତଥ୍ୟ ଲୁଚାଉଛନ୍ତି । ବିଭ୍ରାନ୍ତ କରିବା ପାଇଁ କହୁଛନ୍ତି । କେନ୍ଦ୍ର ନାଁରେ ପାରି ହେବାକୁ ଚାହୁଁଛନ୍ତି । କେନ୍ଦ୍ର ସରକାର ଯେଉଁ ଦର ଧାର୍ଯ୍ୟ କରିଛନ୍ତି ତାହା ସାଧାରଣ ଖାଉଟିଙ୍କ ପାଇଁ । ତାହା ହୋଲସେଲ ସାମଗ୍ରୀ ପାଇଁ ନୁହେଁ । ସେହି ତିନି ଲେୟାର ମାସ୍କକୁ ଦିଲ୍ଲୀ ୮ ଟଙ୍କା ୪୭ ପଇସାରେ, ପଣ୍ଡିଚେରୀ ୭ ଟଙ୍କା ୮୮ ପଇସାରେ, ଆଣ୍ଡାମାନ ନିକୋବର ୭ ଟଙ୍କା ୫୦ ପଇସାରେ, ତେଲେଙ୍ଗାନା ୨ ଟଙ୍କା ୪୦ ପଇସାରେ କିପରି କିଣିପାରିଲେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ସରକାର ନିଜ ଦୋଷ ଘୋଡାଇବାକୁ ଏଭଳି ବିଭ୍ରାନ୍ତି ସୃଷ୍ଟି କରି କେନ୍ଦ୍ର ନାଁରେ ପାର୍ ହେବାକୁ ବସିଛନ୍ତି । ଯଦି ସରକାର ସ୍ୱଚ୍ଛ ତେବେ ନିରପେକ୍ଷ ତଦନ୍ତ ନିର୍ଦ୍ଦେଶ ଦେଉନାହାନ୍ତି କାହିଁକି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।
ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ବିଜେଡି କଥାକୁ ଗ୍ରହଣ କରିନାହାନ୍ତି । ସେ ସମାଲୋଚନା କରି କହିଛନ୍ତି, ସାମଗ୍ରୀ ବିକୁଥିବା କମ୍ପାନୀର ଓକିଲାତି ବିଜେଡି ନକରୁ । ଖୋଲା ଟେଣ୍ଡର କଥା କହୁଛନ୍ତି । କିନ୍ତୁ ସ୍ପିଡ ପୋଷ୍ଟରେ ମଗାଇ କିଣିଥିଲେ । କେନ୍ଦ୍ର ନାଁରେ ଯେଉଁ କଥା କହୁଛନ୍ତି ତାହା ସଂପୂର୍ଣ୍ଣ ଭୁଲ । କେନ୍ଦ୍ର ସରକାରଙ୍କ ଖାଉଟି ବ୍ୟାପାର ମନ୍ତ୍ରାଳୟ ମାର୍ଚ୍ଚ ୨୧ରେ ୧୦ ଟଙ୍କା ଓ ୨୪ ତାରିଖରେ ୧୬ ଟଙ୍କା ଯେଉଁ ଦର ଧାର୍ଯ୍ୟ କରିଥିଲେ ତାହା ସାଧାରଣ ଖାଉଟିଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ଖାଉଟିଙ୍କ ଠାରୁ ଏହି ଦରରୁ କେହି ଅଧିକ ନେଇପାରିବେ ନାହିଁ ବୋଲି କୁହାଯାଇଥିଲା । ହୋଲସେଲ ଦର ନେଇ ଏଥିରେ କିଛି ଉଲ୍ଲେଖ ନଥିଲା କିମ୍ବା କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ କୌଣସି ଆଡଭାଇଜରି ଜାରି ହୋଇନଥିଲା । ସରକାର ଯଦି ସ୍ୱଚ୍ଛ ବୋଲି କହୁଛନ୍ତି ତେବେ ନିରପେକ୍ଷ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ କହିଛନ୍ତି ।
ଅନ୍ୟପଟେ ସରକାର ଶୁଣୁନଥିୁବାରୁ ଆଜି କଂଗ୍ରସ ରାଜ୍ୟପାଳଙ୍କୁ ଭେଟିଛି । ଲୋକାୟୁକ୍ତଙ୍କ ନିକଟରେ ମଧ୍ୟ ଫେରାଦ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking