28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶବଜେଟ୍ ୨୦୨୨-୨୩ : ଆଶା ଓ ଅପେକ୍ଷାରେ ଦେଶବାସୀ

ବଜେଟ୍ ୨୦୨୨-୨୩ : ଆଶା ଓ ଅପେକ୍ଷାରେ ଦେଶବାସୀ

ନୂଆଦିଲ୍ଲୀ:  କରୋନା ମହାମାରୀ, ମୁଦ୍ରାସ୍ପୀତି ଓ ନିଯୁକ୍ତି । ସମ୍ପ୍ରତି ଦେଶବାସୀଙ୍କ ସମ୍ମୁଖରେ ଏହି ତିନୋଟି ପ୍ରମୁଖ ସମସ୍ୟା ଭାବେ ମୁଣ୍ଡ ଟେକିଛି । ଦେଶବାସୀ ମହାମାରୀର ପ୍ରସାର, କଟକଣା, ଆର୍ଥିକ କ୍ଷତି ତଥା ଆବଶ୍ୟକୀୟ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧିକୁ ନେଇ ସନ୍ତୁଳି ହେଉଛନ୍ତି । ରୋଜଗାର କମିଛି। କିଛି କ୍ଷେତ୍ରରେ ରୋଜଗାରଶୂନ୍ୟ ରହିଛନ୍ତି ସାଧାରଣ ଜନତା । ଏପରିସ୍ଥିତିରେ ଆବଶ୍ୟକୀୟ ସମସ୍ତ ସାମଗ୍ରୀର ଦରବୃଦ୍ଧି ବାଧୁଛି । ଫଳରେ ସାଧାରଣ ଜନତା ସମେତ କର୍ମଜୀବିମାନେ ଅପେକ୍ଷା କରିଛନ୍ତି ସାଧାରଣ ବଜେଟ୍‌କୁ । ସୂଚନାଯୋଗ୍ୟ ଦେଶର ସାଧାରଣ ବଜେଟ୍ ଆଗାମୀ ଫେବୃଆରୀ ୧ରେ ସଂସଦରେ ଉପସ୍ଥାପନ କରିବେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ। ଏ ନେଇ ଦେଶବାସୀ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି ।

ସୀତାରମଣଙ୍କ ଲାଲ୍ ପେଡ଼ିରୁ କି ପ୍ରକାର ଲୋକକଲ୍ୟାଣମୂଳକ ନୂଆ ଯୋଜନା ବଜେଟ୍‌ରେ ଘୋଷଣା କରିବେ । ଅର୍ଥବ୍ୟବସ୍ଥାରେ ସୁଧାରର ଗତିକୁ ଜାରି ରଖିବା ପାଇଁ ଆଗାମୀ ବଜେଟ୍‌ରେ ଅର୍ଥମନ୍ତ୍ରୀଙ୍କୁ ପ୍ରୋତ୍ସାହନକୁ ଜାରି ରଖିବା ସହିତ ନୂଆ ପ୍ରୋତ୍ସାହନ ଘୋଷଣା କରିବା ଜରୁରୀ ହୋଇପଡ଼ିବ । ଆଗାମୀ ମାସରେ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଓ କରୋନାର ନୂତନ ଭାରିଆଣ୍ଟ୍ ଓମିକ୍ରନ୍ ପ୍ରମୁଖ ସମସ୍ୟା ହୋଇ ରହିବ । ତେବେ ସାଧାରଣ ଦେଶବାସୀ ସମେତ ବିଶେଷଜ୍ଞଙ୍କୁ ଆଗାମୀ ବଜେଟ୍‌ରେ ରହିବ କିଛି ଅପେକ୍ଷା ।

ଦରବୃଦ୍ଧି ଉପରେ ନିୟନ୍ତ୍ରଣ
ଦେଶର ପ୍ରମୁଖ ସମସ୍ୟା ଦରବୃଦ୍ଧି । କେବଳ ଭାରତ ନୁହେଁ ସାରା ବିଶ୍ୱ ଦରବୃଦ୍ଧି ଯୋଗୁଁ ସନ୍ତୁଳି ହେଉଛି । ଧନୀମାନଙ୍କ ନିକଟରେ ଅର୍ଥ ଠୁଳ ହେବା ସହିତ ଗରିବ ଓ ନିମ୍ନ ମଧ୍ୟବିତ୍ତଙ୍କ କ୍ଷେତ୍ରରେ ଜୀବନଧାରଣ ପ୍ରମୁଖ ସମସ୍ୟା ଭାବେ ମୁଣ୍ଡ ଟେକିଛି । ଅସମାନତା ବଢ଼ିଛି । ଫଳରେ ଦରବୃଦ୍ଧି ସାଧାରଣ ଜନତାଙ୍କ ପାଇଁ ଅସହ୍ୟ ହୋଇପଡ଼ିଛି । ଦରବୃଦ୍ଧି ଉପରେ ଅଙ୍କୁଶ ଲାଗୁକରିବା ଚାହାନ୍ତି ସାଧାରଣ ଜନତା।

ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ବଢ଼ୁ
କର୍ମଜୀବିମାନେ ଅପେକ୍ଷାରେ ଅଛନ୍ତି କି ଆଗାମୀ ବଜେଟ୍‌ରେ ଆୟକର କ୍ଷେତ୍ରରେ ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ବଢ଼ୁ । ଏହା ଅଦ୍ୟାବଧି ଖୁବ୍ କମ୍ ରହିଛି । ଲୋକଙ୍କ ଘରୋଇ ବଜେଟ୍ ଅଧିକ ପ୍ରଭାବିତ ହେଉଛି । ଦରମା ଉପରେ ନିର୍ଭରଶୀଳ ବ୍ୟକ୍ତି ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ୫୦ ହଜାରରୁ ୭୫ ହଜାର ଟଙ୍କା ବୃଦ୍ଧି କରାଯିବାକୁ ଅପେକ୍ଷା କରିଛନ୍ତି ।

କମ୍ ହେଉ ହେଲ୍‌ଥକାର୍ଡ ଉପରେ ଟ୍ୟାକ୍ସ
କୋଭିଡ୍ ମହାମାରୀ ଯୋଗୁଁ ହେଲ୍‌ଥକାର୍ଡରୁ ଗୁରୁତ୍ୱ ବୃଦ୍ଧି ପାଇଛି । ସଭିଏଁ ମହଙ୍ଗା ଚିକିତ୍ସା ଖର୍ଚ୍ଚରୁ ମୁକ୍ତି ପାଇବା ପାଇଁ ସ୍ୱାସ୍ଥ୍ୟବୀମା କରିବାକୁ ଆଗଭର ହେଉଛନ୍ତି । ସମ୍ପ୍ରତି ସ୍ୱାସ୍ଥ୍ୟବୀମା କ୍ଷେତ୍ରରେ ୧୮% ଜିଏସ୍‌ଟି ରହିଛି ଯାହାକୁ ୫%କୁ ହ୍ରାସ କରିବା ସହିତ ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ଏହାକୁ ଶୂନ କରିବାକୁ ଦାବି ରହିଛି ।

ବାହନ କ୍ରୟରେ କମ୍ ରହୁ ଟ୍ୟାକ୍ସ
ଦୁଇଚକିଆ ବାହନ ହେଉ ଅବା ବାଣିଜ୍ୟିକ ବାହନ । କଞ୍ଚାମାଲ୍ ତଥା ପରିବହନ ଖର୍ଚ୍ଚର ଆଳରେ କମ୍ପାନିମାନେ ଉତ୍ପାଦ ଦରରେ ବୃଦ୍ଧି କରିଛନ୍ତି । ବୈଦ୍ୟୁତିକ ବାହନ ଚାହୁଁଥିବା ବ୍ୟକ୍ତିମାନେ ମଧ୍ୟ ଉଚ୍ଚା ଟ୍ୟାକ୍ସ ଯୋଗୁଁ ଉତ୍ସାହିତ ହେଉନାହାନ୍ତି । ବାହନ କ୍ଷେତ୍ରରେ ସରକାର ଟ୍ୟାକ୍ସ ହ୍ରାସକୁ ଅପେକ୍ଷା କରିଛି ଉଦ୍ୟୋଗ ।

ଲୋକଙ୍କ ହାତକୁ ଆସୁ ଅଧିକ ପଇସା
ସରକାର ବିତ୍ତୀୟ ନିଅଣ୍ଟକୁ ଅଣଦେଖା କରି ଲୋକଙ୍କ ହାତକୁ କିପରି ଅଧିକ ପଇସା ଆସିବ ସେ ଦିଗରେ ଯତ୍ନବାନ ହୁଅନ୍ତୁ । ସମ୍ପ୍ରତି ଅର୍ଥ ବ୍ୟବସ୍ଥା ସୁଧାର ଦିଗରେ ରହିଛି । ଲୋକଙ୍କ ହାତକୁ ଅଧିକ ପଇସା ଆସିଲେ ହିଁ ସେମାନେ ଖର୍ଚ୍ଚ କରିବାକୁ ଆଗଭର ହେବେ । ଫଳରେ ବଜାର ଚଳଚଞ୍ଚଳ ରହିବ । ଅର୍ଥନୀତିକୁ ବଳ ମିଳିବ ।

ରିହାତି ଅପେକ୍ଷାରେ ବିମାନସେବା କମ୍ପାନି
କରୋନା କାଳରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି ବିମାନସେବା କମ୍ପାନି । ଅତିକମ୍‌ରେ ଆଗାମୀ ଦୁଇବର୍ଷ ପାଇଁ ଟ୍ୟାକ୍ସ ବ୍ରେକ୍ କିମ୍ବା ନ୍ୟୂନତମ ବୈକଳ୍ପିକ କର ବ୍ୟବସ୍ଥାର ଅପେକ୍ଷାରେ ବିମାନସେବା ପ୍ରଦାନକାରୀ କମ୍ପାନୀ । ବିମାନବନ୍ଦରରେ ୨୧% କର ଲାଗୁ ସହିତ କୌଣସି ପ୍ରକାରର ଇନ୍‌ପୁଟ୍ ଟ୍ୟାକ୍ସ କ୍ରେଡିଟ୍‌ର ପ୍ରାବଧାନ ନାହିଁ । ନ୍ୟୂନତମ ବୈକଳ୍ପିକ କର ଲାଗୁ ନହେବା କ୍ଷେତ୍ରରେ କର ହ୍ରାସର ଅପେକ୍ଷାରେ ଅଛନ୍ତି ବିମାନସେବା କମ୍ପାନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking