30.1 C
Bhubaneswar
Friday, April 26, 2024
Homeଓଡିଶାମହାନଦୀ’- ମୁଖ୍ୟମନ୍ତ୍ରୀଙ୍କ ପାଇଁ କେବଳ ନିର୍ବାଚନୀ ପ୍ରସଙ୍ଗ : ପ୍ରଦୀପ ପୁରୋହିତ

ମହାନଦୀ’- ମୁଖ୍ୟମନ୍ତ୍ରୀଙ୍କ ପାଇଁ କେବଳ ନିର୍ବାଚନୀ ପ୍ରସଙ୍ଗ : ପ୍ରଦୀପ ପୁରୋହିତ

 ମହାନଦୀର ଦେଓଗାଁ, ଗୋଧନେଶ୍ୱର, କପାସିରା, ଖଇରାଟାଲ, ସୁବଳ୍ୟା, ମଣିଭଦ୍ରା ଏବଂ ସୁଖସୁଡାଠରେ ବ୍ୟାରେଜ ନିର୍ମାଣ କରାଯିବାର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କଣ ହେଲା ?
 ଲଖନପୁର ବ୍ଲକର ପନିପରିବା ଚାଷୀଙ୍କ ପାଇଁ ମଣ୍ଡି ଓ ଶିତଳଭଣ୍ଡାର କେବେ ନିର୍ମାଣ ହେବ ?
 ବ୍ରଜରାଜନଗର ନିର୍ବାଚନମଣ୍ଡଳୀବାସୀଙ୍କୁ ଚଳିତ ବର୍ଷର ମରୁଡି ସହାୟତା କେବେ ମିଳିବ ?
 ଆସନ୍ତା କାଲି ସୁଖାସୁଡା ଗ୍ରାମରୁ ବିଜେପି କାର୍ଯ୍ୟକର୍ତାମାନେ ମହାନଦୀ, ଜଳସେଚନ ଏବଂ ଚାଷ ସଂପର୍କରେ ମୁଖ୍ୟମନ୍ତ୍ରୀ ଏବଂ ଶାସକ ବିଜେଡିକୁ ଜବାବ୍ ମାଗିବେ
ଭୁବନେଶ୍ୱର : ଗତ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ସୁଖସୁଡା ଗ୍ରାମକୁ ଯାଇ “ମହାନଦୀ ମୋ ମାଁ ଏବଂ ଆବଶ୍ୟକ ପଡିଲେ ନିଜ ଜୀବନ ଉତ୍ସର୍ଗ କରିବି” ବୋଲି ବଡ ପାଟିରେ ଘୋଷଣା କରିଥିଲେ । କିନ୍ତୁ ଓଡ଼ିଶାର ଲାଇଫ ଲାଇନ କୁହାଯାଉଥିବା ମହାନଦୀ ଏବେ ଶୁଖା ପଡ଼ିଛି । ମହାନଦୀର ସୁରକ୍ଷା ଓ ବର୍ଷାଜଳ ସଂରକ୍ଷଣ ଲାଗି ୭ଟି ବ୍ୟାରେଜର କରିବାର ମିଛ ପ୍ରତିଶ୍ରୁତି ଦେଇଥିବା ରାଜ୍ୟ ସରକାର ବର୍ତମାନ ଯାଏଁ ବ୍ୟାରେଜ ନିର୍ମାଣ ଲାଗି ଜାଗା ଚିହ୍ନଟ କରିବାରେ ବିଫଳ ହୋଇଛନ୍ତି । ୫ ବର୍ଷ ପୂର୍ବେ ଏକଦା ମହାନଦୀକୁ ନେଇ ନିର୍ବାଚନ ପ୍ରସଙ୍ଗ କରିଥିବା ମୁଖ୍ୟମନ୍ତ୍ରୀ ଏବଂ ଏହି ପ୍ରସଙ୍ଗରେ ରାଜରାସ୍ତାରେ ଛିଡା ହୋଇ, ହାତରେ ମାଠିଆ ଧରି ମାନବଶୃଙ୍ଖଳ ଜରିଆରେ ଡ୍ରାମାବାଜି କରୁଥିବା ଶାସକ ବିଜେଡିର ନେତୃବୃନ୍ଦ ଆଜି ମହାନଦୀ ପ୍ରସଙ୍ଗରେ ମୈାନ ସାଜିଛନ୍ତି ବୋଲି ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ କହିଛନ୍ତି ।
ନିର୍ବାଚନ ସରିବା ସହିତ ଶାସକ ବିଜେଡିର ଡ୍ରାମାବାଜି ମଧ୍ୟ ସରିଗଲା । ମହାନଦୀ ପ୍ରସଙ୍ଗରେ ବିଜେଡିର ମନ୍ତ୍ରୀ, ବିଧାୟକ ତଥା ସ୍ଥାନୀୟ ନେତୃବୃନ୍ଦଙ୍କ କୈାଣସି ପ୍ରତିକ୍ରିୟା ନାହିଁ, ବରଂ ଅସମ୍ବେଦନଶୀଳ ହୋଇପଡିଛନ୍ତି । ଅଣମୈାସୁମୀ ସମୟରେ ମହାନଦୀ ଶୁଷ୍କ ଥିବା କାରଣରୁ ବ୍ରଜରାଜନଗର ନିର୍ବାଚନ ମଣ୍ଡଳବାସୀଙ୍କ ଅବସ୍ଥା ଅବର୍ଣ୍ଣନୀୟ । ଚାଷୀକୁଳ ପାଣି ନପାଇବାରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ଏବଂ ମରୁଡି ସ୍ଥିତି ସୃଷ୍ଟି ହୋଇଛି । ଶୁଷ୍କ ପଡିଥିବା ମହାନଦୀ ଅବବାହିକା ଅଂଚଳବାସୀଙ୍କ ପାଇଁ ଶାସକ ବିଜେଡିର କୈାଣସି ଚିନ୍ତା ନାହିଁ, କିନ୍ତୁ ନିର୍ବାଚନରେ ଭୋଟ ହାତେଇବା ପାଇଁ ମାଳ ମାଳ ମନ୍ତ୍ରୀ, ବିଧାୟକ ଓ ନେତାଗଣ ଆଜି ଡେରା ପକାଇଛନ୍ତି । ବ୍ରଜରାଜନଗର ନିର୍ବାଚନମଣ୍ଡଳୀବାସୀଙ୍କୁ ଚଳିତ ବର୍ଷର ମରୁଡି ସହାୟତା କେବେ ମିଳିବ ? ଲଖନପୁର ବ୍ଲକର ପନିପରିବା ଚାଷୀଙ୍କ ପାଇଁ ମଣ୍ଡି ଓ ଶିତଳଭଣ୍ଡାର କେବେ ନିର୍ମାଣ ହେବ ? ବୁଡି ଅଂଚଳ ଏବଂ ଡିପ ବୋରେଓ୍‌ôଲର ସହାୟତାରେ ଚାଷ କରିଥିବା ଧାନ କେଉଁଠି ବିକ୍ରି କରିବେ ? ଅଭାବୀ ବିକ୍ରିର ଶିକାର ଏହି ଅଂଚଳର ଚାଷୀମାନେ ହୋଇ କମ୍ ମୂଲ୍ୟରେ ପଡୋଶୀ ଛତିଶଗଡକୁ ଧାନ ବିିକ୍ରି କରୁଛନ୍ତି । ପ୍ରକୃତ ମୂଲ୍ୟ ଦେଇ ଚାଷୀର କଷ୍ଟ ଉପାର୍ଜିତ ଧାନକୁ କିଣିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ସମୟ ନଥିବାବେଳେ ରାଜ୍ୟ କୃଷିମନ୍ତ୍ରୀ ଦଳୀୟ ପ୍ରଚାରରେ ନିର୍ବାଚନମଣ୍ଡଳୀର ବିଭିନ୍ନ ଅଂଚଳରେ ଡେରା ପକାଇବା ଅତ୍ୟନ୍ତ ଲଜ୍ଜାଜନକ । ଦଳୀୟ ସ୍ୱାର୍ଥ ପରିବର୍ତେ ଜନତାଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ରାଜ୍ୟ କୃଷିମନ୍ତ୍ରୀ ପ୍ରଥମେ ଚାଷୀଙ୍କ ପାଖରେ ପଡି ରହିଥିବା ଧାନକୁ କିଣିବାର ପ୍ରୟାସ କରନ୍ତୁ, ନହେଲେ ଅଂଚଳବାସୀ ଏହାର ଉଚିତ୍ ଜବାବ୍ ଦେବେ ବୋଲି ଶ୍ରୀ ପୁରୋହିତ କହିଛନ୍ତି ।
ମହାନଦୀର ଛତିଶଗଡ ପଟେ ପର୍ଯ୍ୟାପ୍ତ ପରିମାଣ ପାଣି ଥିବାବେଳେ ଓଡିଶା ପଟ ଶୁଷ୍କ ପଡିଛି । ମହାନଦୀର ଦେଓଗାଁ, ଗୋଧନେଶ୍ୱର, କପାସିରା, ଖଇରାଟାଲ, ସୁବଳ୍ୟା, ମଣିଭଦ୍ରା ଏବଂ ସୁଖସୁଡାଠରେ ବ୍ୟାରେଜ ନିର୍ମାଣ କରାଯିବ ବୋଲି ୨୦୧୮ ମସିହା ସମୟରେ ସୁଖସୋଡା ଗ୍ରାମ ଗସ୍ତ ଅବସରରେ ଘୋଷଣା କରିଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି କଣ ହେଲା ? ପାର୍ବତିଗିରି ମେଗାଲିପ୍ଟରୁ ମହୁଲପାଲି, ରେଙ୍କୁଲି, କୁଡାବଗା ଅଂଚଳର କ୍ଷେତକୁ ପାଣି କେବେ ଆସିବ ? ପ୍ରତିଶୃତି ଦେଇଥିବା ମହାନଦୀ ଓଡ଼ିଶାର ଜୀବନ ରେଖା ନୁହେଁ ବରଂ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଭୋଟରେଖା । ଆସନ୍ତା କାଲି ସେହି ସୁଖାସୁଡା ଗ୍ରାମରୁ ବିଜେପି କାର୍ଯ୍ୟକର୍ତାମାନେ ମହାନଦୀ, ଜଳସେଚନ ଏବଂ ଚାଷ ସଂପର୍କରେ ମୁଖ୍ୟମନ୍ତ୍ରୀ ଏବଂ ଶାସକ ବିଜେଡିକୁ ଜବାବ୍ ମାଗିବେ ବୋଲି ଶ୍ରୀ ପୁରୋହିତ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking