32.1 C
Bhubaneswar
Friday, April 26, 2024
Homeଓଡିଶାଶୁକ୍ରବାର ଠାରୁ ବଲାଙ୍ଗୀର ଲୋକ ମହୋତ୍ସବ

ଶୁକ୍ରବାର ଠାରୁ ବଲାଙ୍ଗୀର ଲୋକ ମହୋତ୍ସବ

-ଯୋଗଦେବେ ୫୦ ଟି ଜାତୀୟ ଓ ରାଜ୍ୟସ୍ତରୀୟ ସାଂସ୍କୃତିକ ଦଳ
-ଶୋଭାଯାତ୍ରାରେ ଯୋଗଦେବେ ସମସ୍ତ୧୪ ବ୍ଲକରୁ ସାଂସ୍କୃତିକ ଦଳ
-ରାମଧୂନରେ ଗୁଞ୍ଜରିତ ହେବ ପ୍ରତିଟି ସନ୍ଧ୍ୟା

ବଲାଙ୍ଗୀର,(ଦେବାଶିଷ ମିଶ୍ର)- ଶୁକ୍ରବାର ଠାରୁ ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆ ଠାରେ କଳା ଓ ସଂସ୍କୃତିର ମହାପର୍ବ ବିଂଶତମ ବଲାଙ୍ଗୀର ଲୋକ ମହୋତ୍ସବ ଆରମ୍ଭ ହେବ । ୩ ରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଲୋକଉତ୍ସବର ପ୍ରଥମ ଦିନ ଶୁକ୍ରବାର ସକାଳେ ମଂଚ ପୂଜନ ସହିତ ପତାକା ଉତ୍ତୋଳନ ଓ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହେବ । ସକାଳ ୯ଟାରେ ମଂଚ ପୂଜା ଅନୁଷ୍ଠିତ ହେବାନେଇ ସ୍ଥିରିକୃତ ହୋଇଥିବା ବେଳେ ସକାଳ ୧୦ଟାରେ ରଙ୍ଗାରଙ୍ଗ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରିବ ବୋଲି ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଥିବା ଏକ ସାଂବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ପରୀକ୍ଷିତ ସେଠୀ ସୂଚନା ଦେଇଛନ୍ତି ।
ସେହିଦିନ ଅପରାହ୍ନ ୨ ଟାରେ କୋଶଳ କଳା ମଣ୍ଡଳ ପଡିଆର ପୁରୁଣା ମଂଚରେ ଏକ ବହୁଭାଷୀ କବିତା ଆସର ଅନୁଷ୍ଠିତ ହେବାକୁ ଥିବା ବେଳେ ସଂଧ୍ୟା ୬ଟାରେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓଙ୍କ ଦ୍ୱାରା ପ୍ରଦର୍ଶନୀ ଓ ପଲ୍ଲିଶ୍ରୀ ମେଳା ଉଦ୍‌ଘାଟିତ ହେବ । ପରେପରେ ସାଂସ୍କୃତିକ ସଭା ଓ ୬.୩୦ରେ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତେବେ ଚଳିତ ବର୍ଷ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯାଉଥିବାରୁ ବାପୁଙ୍କ ସ୍ମରଣେ ପ୍ରତ୍ୟହ ସାଂଧ୍ୟ୍ୟ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ରାମଧୁନ ପରିବେଷଣ କରାଯିବ । ୪ ତାରିଖ ସକାଳ ୧୦ ଟା ସମୟରେ ପୁରୁଣା ମଂଚରେ ଜିଲ୍ଲାସ୍ତରୀୟ ଲୋକବାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିବା ବେଳେ ସେହି ସମୟରେ ଗାନ୍ଧି ଭବନ ଠାରେ ସଂପାନ ସମିତି ଦ୍ୱାରା “ଡାଲଖାଇ , ଢାପ , ଘୁଡକା : ଆମର ପହେଚାନ କେନଟା ? ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ଏଥିରେ ବିଶିଷ୍ଟ ସାହିତ୍ୟିକ ଓ ସାଂସ୍କୃତିକ ଗବେଷକମାନେ ଯୋଗଦେବେ । ୫ ତାରିଖ ସକାଳ ୧୦ ଟାରେ ପୁରୁଣା ମଂଚରେ ଜିଲ୍ଲାସ୍ତରୀୟ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବ । ସେହିପରି ୬ ତାରିଖ ସକାଳ ୧୦ ଟା ସମୟରେ ଜିଲ୍ଲାସ୍ତରୀୟ ଲୋକନାଟକ ପ୍ରତିଯୋଗିତା ପୁରୁଣା ମଂଚରେ ଅନୁଷ୍ଠିତ ହେବ । ପ୍ରତ୍ୟହ ସଂଧ୍ୟାରେ ରାମଧୁନ ସହ ଲୋକ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷିତ ହେବ । ପ୍ରତିଦିନ ଅନୁଷ୍ଠିତ ହେବାକୁ ଥିବା ସାଂସ୍କୃତିକ ସଭାରେ ଓଡିଶା ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ , ନିଗମମାନଙ୍କର ଅଧ୍ୟକ୍ଷ , ବିଧାୟକ ତଥା ପ୍ରତିଷ୍ଠିତ ବ୍ୟକ୍ତିମାନେ ଅତିଥି ଭାବେ ଯୋଗ ଦେବା ପାଇଁ ସଦୟ ସ୍ୱୀକୃତି ପ୍ରଦାନ କରିଛନ୍ତି । ଚଳିତ ବର୍ଷ ବିଶେଷ ଆକର୍ଷଣ ଭାବେ ଆସାମର ସାଂସ୍କୃତିକ ଦଳ ବିହୁ ଯୋଗ ଦେଉଥିବା ବେଳେ ପୂର୍ବାଂଚଳ ଓ ଉତ୍ତରାଂଚଳ ସାଂସ୍କୃତିକ କେନ୍ଦ୍ର ଦ୍ୱାରା ପଂଜାବର ଗିଧ୍ଧା , ଝାରଖଣ୍ଡର ପାଇକା , ପଶ୍ଚିମବଙ୍ଗର ଝୁମର , କାଶ୍ମୀର ର ଲୋକନୃତ୍ୟ ଓ ଭାରତନାଟ୍ୟମ ଭଳି ସାଂସ୍କୃତିକ ଦଳ ଯୋଗ ଦେଉଛନ୍ତି । ରାଜ୍ୟର ୧୦ ଟି ଜିଲ୍ଲା ରୁ ସଂସ୍କୃତି ପରିଷଦ ତରଫରୁ ୧୦ ଟି ସାଂସ୍କୃତିକ ଦଳ ଯୋଗଦେବେ । ପ୍ରଥମ ଥର ପାଇଁ ଜିଲ୍ଲାର ୧୪ ଟି ବ୍ଳକରୁ ଲୋକନୃତ୍ୟରେ ପ୍ରଥମ ହୋଇଥିବା ଦଳମାନଙ୍କୁ ମୁଖ୍ୟମଂଚରେ ସେମାନଙ୍କ ନୃତ୍ୟ ପରିବେଷଣ ପାଇଁ ସୁଯୋଗ ଦିଆଯିବ । ଏହା ସହିତ ସହରର ତଥା ଉପଖଣ୍ଡର ଓ ବିଭିନ୍ନ ସ୍କୁଲର ସାଂସ୍କୃତିକ ଦଳ ମଧ୍ୟ ଲୋକଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଚଳିତ ବର୍ଷ ଲୋକଉତ୍ସବ ପାଳନ ପାଇଁ ୨୪ ଲକ୍ଷ ୭୪ ହଜାର ୧୨୦ ଟଙ୍କା ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି ବୋଲି ସାଂବାଦିକ ସମ୍ମିଳନୀରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥି ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଂବାଦିକ ସମ୍ମିଳନୀରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଲୋକ ଉତ୍ସବ ପ୍ରଚାର ପ୍ରସାର କମିଟିର ଅଧ୍ୟକ୍ଷ ଜୟଦେବ ପାଣିଗ୍ରାହୀ , ସହ ଅଧ୍ୟକ୍ଷ ଚିତ୍ତରଞ୍ଜନ ମିଶ୍ର , ସାଂସ୍କୃତିକ କମିଟିର ସହ ଅଧ୍ୟକ୍ଷ କୁନା ବାଗ , ଅର୍ଭ୍ୟଥନା କମିଟିର ସହ ଅଧ୍ୟକ୍ଷ ସତ୍ୟ ସୁନ୍ଦର ଭଞ୍ଜ , ଓରମାସର ବିମଳେନ୍ଦୁ ପାଳ , ପଡିଆ ପରିଚାଳନା କମିଟିର ସହ ଅଧ୍ୟକ୍ଷ ସୋମନାଥ ମିଶ୍ର , ସ୍ମରଣିକା କମିଟିର ସହ ଅଧ୍ୟକ୍ଷ ଆନନ୍ଦ ସାହୁ ଓ ମଂଚ କମିଟିର ସହ ଅଧ୍ୟକ୍ଷ ଜ୍ୟୋତିରଂଜନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking