35.1 C
Bhubaneswar
Wednesday, May 8, 2024
Homeବ୍ରେକୀଙ୍ଗଅନୁଭବଙ୍କ ଉପରେ ଦଳ ଖପ୍ପା

ଅନୁଭବଙ୍କ ଉପରେ ଦଳ ଖପ୍ପା

ଭୁବନେଶ୍ୱର: ପାରିବାରିକ ହିଂସା ଘଟଣାକୁ ନେଇ ବିଜେଡି ସାଂସଦ ଅନୁଭବ ମହାନ୍ତି ଏବେ ଫସିଛନ୍ତି । ପତ୍ନି ବର୍ଷାଙ୍କ ଅଭିଯୋଗ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ବାରମ୍ବାର ଅନୁଭବଙ୍କ ବିରୋଧରେ ବିଭିନ୍ନ ନିର୍ଯାତନା ଓ ହିଂସାର ଅଭିଯୋଗ ବର୍ଷା ଆଣିବା ପରେ ଦଳୀୟ ମହଲରେ ବି ଅନୁଭବଙ୍କ ପ୍ରତି ଅସନ୍ତୋଷ ସୃଷ୍ଟି ହୋଇଛି । ଯାହା ସୂଚନା ରହିଛି, ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣା ନେଇ ଅନୁଭବଙ୍କ ଉପରେ ଖୁସି ନାହାନ୍ତି । ଅନୁଭବଙ୍କ ପ୍ରତି ନବୀନ କଡା ଆଭିମୁଖ୍ୟ ଗ୍ରହଣ କରୁଥିବାର ସୂଚନା ମିଳୁଛି । ଏପରିକି ଦଳୀୟ ନେତାମାନେ କହୁଛନ୍ତି, ଅନୁଭବଙ୍କ ନାଁ କିଏ ଧରିଲେ ଦଳର ସୁପ୍ରିମୋ ବିରକ୍ତି ଭାବ ପ୍ରକାଶ କରୁଛନ୍ତି । ଅନୁଭବଙ୍କ ଉପରେ ନବୀନ ସଂପୂର୍ଣ୍ଣ ଖପା ହୋଇଛନ୍ତି ବୋଲି କୁହାଯାଉଛି । ଯାହା ଫଳରେ କି ପୁରୀଘାଟ ଥାନାରେ ବର୍ଷାଙ୍କ ଅଭିଯାଗକୁ ଭିତ୍ତି କରି ମାମଲା ରୁଜୁ ହେବା ସହ ଆଜି ରାଜ୍ୟ ମହିଳା କମିଶନ ଅନୁଭବ, ତାଙ୍କ ବାପା ଓ ମାଙ୍କୁ ନୋଟିସ ଜାରି କରିଛନ୍ତି । ଏପରିକି ଦଳର ରାଜ୍ୟ ପରିଷଦ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା ବେଳେ ଅନୁଭବଙ୍କୁ ଦେଖିବାକୁ ମିଳିନଥିଲା ।
             କୁହାଯାଉଛି, ଦଳର ସୁପ୍ରିମୋଙ୍କ କ୍ଷୋଭ ନଥିଲେ ଅନୁଭବଙ୍କ ବିରୋଧରେ ଏସବୁ କାର୍ଯ୍ୟାନୁଷ୍ଠାନ ହୋଇନଥାନ୍ତା । ଦଳୀୟ ଅସନ୍ତୋଷକୁ ଅଧିକ ସ୍ପଷ୍ଟ କରିଛନ୍ତି ବିଜେଡିର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ । ଉପରୁ ସୂଚନା ଆସିନଥିଲେ ବୋଧହୁଏ ଦେବାଶିଷ ସମାଲୋଚନା ମୂଳକ ମନ୍ତବ୍ୟ ଅନୁଭବଙ୍କ ବିରାଧରେ ଦେଇନଥାନ୍ତେ । ମହିଳାମାନଙ୍କୁ ନବୀନ ସବୁଠୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ସେମାନଙ୍କ ଲାଗି ବିଧାନସଭା ଓ ଲୋକସଭାରେ ୩୩ ପ୍ରତିଶତ ସଂରକ୍ଷଣ ପାଇଁ କେନ୍ଦ୍ର ନିକଟରେ ଦୃଢ ଦାବି ଉପସ୍ଥାପନ କରିଛନ୍ତି । ରାଜ୍ୟରେ ପଂଚାୟତ ଓ ପୌରସଂସ୍ଥାରେ ୫୦ ପ୍ରତିଶତ ମହିଳାଙ୍କ ପାଇଁ ସଂରକ୍ଷଣ ରଖିଛନ୍ତି । ମହିଳା ସ୍ୱୟଂ ସହାୟକର ଗୋଷ୍ଠୀକୁ ଅଗ୍ରାଧିକାର ଦେଉଛନ୍ତି । ଏହି କ୍ଷେତ୍ରରେ ଜଣେ ମହିଳା ଯେତେବେଳେ ବିଜେଡି ସାଂସଦଙ୍କ ବିରୋଧରେ ଗୁରୁତର ଅଭିଯାଗ ଆଣୁଛନ୍ତି, ସେଥିରେ ନବୀନ କ୍ଷୁବ୍ଧ ହେବା ସ୍ୱାଭାବିକ । ବାରମ୍ବାର ଅଭିଯୋଗ ସାମାଜିକ ଗଣମାଧ୍ୟମରେ ହେବା ପରେ ବିଜେଡି ପ୍ରତି ମଧ୍ୟ ଖରାପ ଧାରଣା ଆସିପାରେ । ଅନୁଭବ ବିଜେଡିର ସାଂସଦ ହୋଇଥିବାରୁ ତାଙ୍କୁ ଘଣ୍ଟ ଘୋଡାଇବାକୁ ଉଦ୍ୟମ କରାଯାଉଛି ବୋଲି ଲୋକେ ସନ୍ଦେହ କରିପାରନ୍ତି । ସେଥିପାଇଁ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶନାମା ଯାଇଥିବାରୁ ପୋଲିସ ମାମଲା ରୁଜୁ କରିବା ସହ ମହିଳା କମିଶନ ଡାକିଛନ୍ତି । କାରଣ ଅନୁଭବଙ୍କ ଆଚରଣ ପରୋକ୍ଷରେ ନବୀନଙ୍କ ଭାବମୂର୍ତୀ ଆଡକୁ ମଧ୍ୟ ଆସୁଛି । ଦୀର୍ଘଦିନ ହେଲା ବିବାଦ ଲାଗିରହିଥିବା ବେଳେ ଅନୁଭବ ଏହି ପାରିବାରିକ ହିଂସାକୁ ସମାଧାନ କରିବାରେ ସକ୍ଷମ ହୋଇନାହାନ୍ତି । ଅନୁଭବଙ୍କ ଆଚରଣ ଦଳକୁ ବଦନାମ କରୁଛି ବୋଲି ଅନେକ ନେତା ମଧ୍ୟ କହୁଛନ୍ତି । ସୋସିଆଲ ମିଡିଆରେ ଯେଉଁଭଳି ଭାବରେ ଅନୁଭବ ଫଟୋ ସେୟାର କରୁଛନ୍ତି, ତାକୁ ଦଳର ବହୁ ବରିଷ୍ଠ ନେତା ନାପସନ୍ଦ କରୁଛନ୍ତି । ତାଙ୍କ ମତରେ ଅନୁଭବ ବିଜେଡି ସାସଂଦ ବୋଲି ଭୁଲିଯିବା ଉଚିତ ନୁହେଁ । ତାଙ୍କର ଆଚରଣ ଓ ଉଚ୍ଚାରଣ ଦଳ ଉପରେ ପ୍ରଭାବ ପକାଉଛି ।


           ଅନୁଭବ ଏକମାତ୍ର ସାଂସଦ ଯାହାଙ୍କ ପାଇଁ ନବୀନ ଦୁଇ ଦିନ କେନ୍ଦ୍ରାପଡାରେ ରହି ପ୍ରଚାର କରିଥିଲେ । ନବୀନଙ୍କ ସମ୍ମାନର ବାଜି କେନ୍ଦ୍ରାପଡାରେ ଲାଗିଥିଲା । ବହୁ କଷ୍ଟରେ ନବୀନ ଅନୁଭବଙ୍କୁ ସେଠାରୁ ଜିତାଇ ଆଣିଥିଲେ । ଅନୁଭବଙ୍କ ଉପରେ ବେଶ ଭରଷା ଥିଲା । ସେ ତାଙ୍କ ସମ୍ମାନ ରଖିବେ ବୋଲି ଭାବିଥିଲେ । କିନ୍ତୁ ଏବେ ଯାହା ଦେଖାଯାଇଛି ନବୀନଙ୍କ ସମ୍ମାନ ରଖିବା ବଦଳରେ ବଦନାମ କରିବା ଦେଖାଯାଉଛି । ଅନୁଭବଙ୍କ ବିରୋଧରେ ନାନା ଅଭିଯାଗ ମଧ୍ୟ ଆସିଲାଣି । ଯେଉଁ ସବୁ ଘଟଣାକୁ ନବୀନ ପ୍ରଶୟ ଦେବାକୁ ଚାହାନ୍ତି ନାହିଁ । ସେଥିପାଇଁ ଆଜି ଅନୁଷ୍ଠତି ଦଳୀୟ କାର୍ଯ୍ୟକ୍ରମରେ ଅନୁଭବଙ୍କୁ ଦୂରେଇ ରଖାଯାଇଥିବା କଥା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking