35.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶଦ୍ବିତୀୟ ପର୍ଯ୍ୟାୟରେ ୬୧% ମତଦାନ : ତ୍ରିପୁରାରେ ରେକର୍ଡ ୭୭.୧୮% ଭୋଟ୍‌

ଦ୍ବିତୀୟ ପର୍ଯ୍ୟାୟରେ ୬୧% ମତଦାନ : ତ୍ରିପୁରାରେ ରେକର୍ଡ ୭୭.୧୮% ଭୋଟ୍‌

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ-୨୦୨୪ର ଦ୍ବିତୀୟ ପର୍ଯ୍ୟାୟରେ ଆଜି ୧୩ଟି ରାଜ୍ୟର ୮୮ଟି ଆସନରେ ମତଦାନ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି। ନିର୍ବାଚନ କମିସନଙ୍କ ରିପୋର୍ଟ ମୁତାବକ ଦ୍ବିତୀୟ ପର୍ଯ୍ୟାୟରେ ସନ୍ଧ୍ୟା ୭ଟା ସୁଦ୍ଧା ୬୧ ପ୍ରତିଶତ ମତଦାନ ହୋଇଛି। ତ୍ରିପୁରାରେ ସର୍ବାଧିକ ୭୭.୧୮ ପ୍ରତିଶତ ମତଦାନ ହୋଇଥିବା ବେଳେ ଉତ୍ତରପ୍ରଦେଶରେ ସର୍ବନିମ୍ନ ୫୩ ପ୍ରତିଶତ ମତଦାନ ହୋଇଛି। ଏହା ସହିତ ମଣିପୁରରେ ୭୬.୧ ପ୍ରତିଶତ, ଛତିଶଗଡ଼ରେ ୭୨ ପ୍ରତିଶତ, ପଶ୍ଚିମବଂଗରେ ୭୧ ପ୍ରତିଶତ ଏବଂ ଆସାମରେ ୭୦ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି।

ଦ୍ବିତୀୟ ପର୍ଯ୍ୟାୟରେ କେରଳର ସମସ୍ତ ୨୦ଟି ଲୋକସଭା ଆସନରେ ନିର୍ବାଚନ ସଂପନ୍ନ ହୋଇଥିବା ବେଳେ କର୍ଣ୍ଣାଟକର ୧୪ ଆସନ, ରାଜସ୍ଥାନର ୧୩ ଆସନ, ଉତ୍ତର ପ୍ରଦେଶର ୮ ଆସନ, ମହାରାଷ୍ଟ୍ରର ୮ ଆସନ, ମଧ୍ୟପ୍ରଦେଶର ୬ ଆସନ, ଆସାମର ୫ ଆସନ, ବିହାରର ୫ ଆସନ, ଛତିଶଗଡ଼ର ୩ ଆସନ, ପଶ୍ଚିମବଂଗର ୩ ଆସନ, ତ୍ରିପୁରା, ମଣିପୁର ଏବଂ ଜମ୍ମୁ କାଶ୍ମୀରରେ ଗୋଟିଏ ଲେଖାଏଁ ଆସନ ସହିତ ମୋଟ ୮୮ଟି ଆସନରେ ଭୋଟ୍‌ ଗ୍ରହଣ କରାଯାଇଛି। ଦ୍ବିତୀୟ ପର୍ଯ୍ୟାୟରେ ୮୯ଟି ଆସନରେ ମତଦାନ ହେବାକୁ ଧାର୍ଯ୍ୟ କରାଯାଇଥିବା ବେଳେ ମଧ୍ୟପ୍ରଦେଶର ବେତୁଲ ଆସନରେ ବହୁଜନ ସମାଜ ପାର୍ଟି ପ୍ରାର୍ଥୀଙ୍କ ମୃତ୍ୟୁ ହେବାରୁ ସେଠାରେ ନିର୍ବାଚନ ସ୍ଥଗିତ ରହିଛି। ଦ୍ବିତୀୟ ପର୍ଯ୍ୟାୟରେ ଯେଉଁ ପ୍ରମୁଖ ନେତାଙ୍କ ଭାଗ୍ୟ ଇଭିଏମ୍‌ରେ ବନ୍ଦ ହୋଇଛି ସେମାନଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ( ୱାୟନାଡ଼ ), ଶଶି ଥରୁର (ତିରୁବନନ୍ତପୁରମ), ହେମା ମାଳିନୀ (ମଥୁରା), ରାଜୀବ ଚନ୍ଦ୍ରଶେଖର (ତିରୁବନନ୍ତପୁରମ), ତେଜସ୍ବୀ ସୂର୍ଯ୍ୟ (ବେଙ୍ଗାଲୁରୁ ଦକ୍ଷିଣ) ଏବଂ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା (କୋଟା)। ଦ୍ବିତୀୟ ପର୍ଯ୍ୟାୟରେ ୧୬ ଲକ୍ଷ ପୋଲିଂ ଅଫିସରଙ୍କୁ ଦେଶବ୍ୟାପୀ ୧.୬୭ ଲକ୍ଷ ପୋଲିଂ ବୁଥ୍‌ରେ ନିୟୋଜିତ କରାଯାଇଥିଲା।

୫୦ ପ୍ରତିଶତରୁ ଅଧିକ ମତଦାନ କେନ୍ଦ୍ରରେ ୱେବ୍‌କାଷ୍ଟିଂ କରାଯାଇଥିବା ବେଳେ ସମସ୍ତ ସମ୍ବେଦନଶୀଳ ବୁଥ୍‌ରେ ପର୍ଯ୍ୟାୟ ସୁରକ୍ଷା ବନ୍ଦୋବସ୍ତ ହୋଇଥିଲା। ଲୋକସଭାର ୫୪୩ ଆସନ ପାଇଁ ଦୁଇଟି ପର୍ଯ୍ୟାୟ ମତଦାନ ସଂପୂର୍ଣ୍ଣ ହୋଇଥିବା ବେଳେ ଆଉ ୫ଟି ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହେବ। ଶେଷ ପର୍ଯ୍ୟାୟ ମତଦାନ ଜୁନ୍‌ ୧ରେ ହେବ। ଆଜି ପଶ୍ଚିମବଂଗରେ ଭୋଟ୍‌ ଗ୍ରହଣ ବେଳେ ବିଭିନ୍ନ ସ୍ଥାନରେ ଟିଏମ୍‌ସି ଏବଂ ବିଜେପି ସମର୍ଥକମାନେ ମୁହାଁମୁହିଁ ହୋଇଥିଲେ। ଭୋଟରଙ୍କୁ ପ୍ରଭାବିତ କରିବା ଉଦ୍ୟମକୁ ନେଇ ବିଜେପି ଓ ଟିଏମ୍‌ସି ସମର୍ଥକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲେ ମଧ୍ୟ କୌଣସି ସ୍ଥାନରେ ହିଂସା ଘଟିଥିବା ନଜିର ନାହିଁ। ଅନ୍ୟପକ୍ଷରେ ଶତାଧିକ ବୁଥ୍‌ରେ ଇଭିଏମ୍‌ ତ୍ରୁଟି ଦେଖାଦେଇଥିବା ଟିଏମ୍‌ସି ଅଭିଯୋଗ କରିଥିବା ବେଳେ ନିର୍ବାଚନ କମିସନ ଏହାକୁ ଖଣ୍ଡନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking