26.1 C
Bhubaneswar
Wednesday, May 8, 2024
Homeଓଡିଶାଏସ୍‍ସିବିରେ ଖୋଲାଯିବ ୧ହଜାର ଶଯ୍ୟାର ଆଇସୋଲେସନ ୱାର୍ଡ

ଏସ୍‍ସିବିରେ ଖୋଲାଯିବ ୧ହଜାର ଶଯ୍ୟାର ଆଇସୋଲେସନ ୱାର୍ଡ

କଟକ: ରାଜ୍ୟ ସରକାର କରୋନାକୁ ରାଜ୍ୟ ବିପତ୍ତି ଘୋଷଣା କରିଛନ୍ତି। କରୋନା ସଂକ୍ରମଣ ରୋକିବା ପାଇଁ ମାର୍ଚ୍ଚ ୩୧ତାରିଖ ପର୍ୟ୍ୟନ୍ତ ସ୍କୁଲ, କଲେଜ ସମେତ ସଭାସମିତି ଉପରେ ଅଙ୍କୁଶ ଲଗାଇଛନ୍ତି। ରାଜ୍ୟରେ ପ୍ରଥମ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ଆଖିରୁ ନିଦ ହଜିଯାଇଛି। ରାଜ୍ୟରେ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ସରକାର କଟକ ବଡ଼ ମେଡିକାଲରେ ପର୍ୟ୍ୟାପ୍ତ ଭିତ୍ତିଭୂମି ପ୍ରସ୍ତୁତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିନେଇ ସୋମବାର ଦିନ ତମାମ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଏସ୍‍ସିବି କର୍ତ୍ତୃପକ୍ଷଙ୍କ ସହିତ ଘନଘନ ବୈଠକ କରିଥିଲେ। ଏସସିବିରେ ଏକକାଳୀନ ୧୦୦୦କରୋନା ସନ୍ଦିଗ୍ଧଙ୍କ ଚିକିତ୍ସା ସୁବିଧା ଉପଲବ୍ଧ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏସସିବି କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଛି। ଏହିକ୍ରମରେ ଯକ୍ଷ୍ମା ଓ ଛାତିରୋଗ ବିଭାଗରେ ସେଣ୍ଟର ଅଫ ଏକ୍ସଲେନ୍ସ ପାଇଁ ନିର୍ମିତ ନୂତନ ଅଟ୍ଟାଳିକାକୁ ତୁରନ୍ତ କାର୍ୟ୍ୟକ୍ଷମ କରିବାକୁ ପୂର୍ତ୍ତ ବିଭାଗକୁ ନିର୍ଦେଶ ଦିଆଯାଇଥିବା ବିଶେଷସୂତ୍ରରୁ ସୂଚନା ମିଳିଛି। ୨ରୁ ୩ଦିନ ମଧ୍ୟରେ ଏହି ଅଟ୍ଟାଳିକାରେ କରୋନା ସନ୍ଦିଗ୍ଧଙ୍କ ପାଇଁ ଆଇସୋଲେସନ ୱାର୍ଡ ପ୍ରସ୍ତୁତ କରାଯିବ। ଏଥିସହିତ ଡାକ୍ତର, ସେବିକା ଓ ପାରାମେଡିକାଲ କର୍ମଚାରୀଙ୍କୁ ମଧ୍ୟ ତାଲିମ ପ୍ରଦାନ କରାଯାଇ ସନ୍ଦିଗ୍ଧ ଏବଂ ଆକ୍ରାନ୍ତଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯିବ।
ଏଥିନେଇ ଆଜି ଲୋକସେବା ଭବନରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ଏସସିବିର ବହୁ ବରିଷ୍ଠ ଅଧିକାରୀ ଆଲୋଚନା କରିଥିଲେ। ଏସସିବିରେ ଅତି କମ୍‍ରେ ୧୦୦୦ଲୋକଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତ କରିବାକୁ ବରିଷ୍ଠ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ସ୍ୱାସ୍ଥ୍ୟ ବିଭାଗର ପରାମର୍ଶକ୍ରମେ ଆଜି ଏସ୍‍ସିବିର କେତେକ ବରିଷ୍ଠ ଅଧିକାରୀ ବୋଷ କ୍ୟାମ୍ପସ ସମେତ ୩ରୁ ୪ଟି ସ୍ଥାନ ଅନୁଧ୍ୟାନ କରିଥିଲେ। ଯକ୍ଷ୍ମା ଓ ଛାତି ରୋଗ ବିଭାଗରେ ସେଣ୍ଟର ଅଫ ଏକ୍ସଲେନ୍ସ ପାଇଁ ନିର୍ମିତ ୬ମହଲା ଅଟ୍ଟାଳିକାକୁ ଚିହ୍ନଟ କରାଯାଇଛି। ଏହି ଅଟ୍ଟାଳିକାରେ ୧୦୦୦ଶଯ୍ୟାର ଆଇସୋଲେସନ ୱାର୍ଡ ପ୍ରସ୍ତୁତ କରାଯିବା ପାଇଁ ଏକପ୍ରକାର ଚୂଡାନ୍ତ ହୋଇଛି। ଖୁବଶୀଘ୍ର ଶଯ୍ୟା ସମେତ ସମସ୍ତ ଆନୁଷଙ୍ଗିକ ସୁବିଧା ସେଠାରେ ଉପଲବ୍ଧ କରାଯିବ ବୋଲି ଏହି ସୂତ୍ରରୁ ସୂଚନା ମିଳିଛି।ବର୍ତ୍ତମାନ ଏସସିବି ଚକ୍ଷୁ ବିଭାଗର ୪ର୍ଥ ମହଲାରେ କରୋନା ଆକ୍ରାନ୍ତ ଏବଂ ସନ୍ଦିଗ୍ଧଙ୍କ ଚିକିତ୍ସା ପାଇଁ ଆଇସିୟୁ ଏବଂ ଆଇସୋଲେସନ ୱାର୍ଡ ଖୋଲାଯାଇଛି। ଏଥିରେ ୫୪ଟି ଶଯ୍ୟା ଏବଂ ୮ଟି ଆଇସିୟୁ ଶଯ୍ୟା ରହିଛି। ୩ଜଣ ଡାକ୍ତର, ୧୦ଜଣ ସେବିକା ଏବଂ ପାରାମେଡିକାଲ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ମଧ୍ୟ ଡାକ୍ତର ଓ ସେବିକାଙ୍କୁ ଆବଶ୍ୟକ ପୋଷାକ, ମାସ୍କ ଏପଂ ପ୍ରତିଷେଧକ ସାମଗ୍ରୀ ଯୋଗାଇ ଦିଆଯାଇଛି। ସୋମବାର ସୁଦ୍ଧା ଏସସିବିକୁ ମୋଟ ୧୨ଜଣ କରୋନା ସନ୍ଦିଗ୍ଧ ଚିକିତ୍ସା ପାଇଁ ଭର୍ତ୍ତି ହୋଇସାରିଲେଣି। ସେମାନଙ୍କ ମଧ୍ୟରୁ ୧୧ଜଣଙ୍କ ସ୍ୱାବ ଏବଂ ରକ୍ତ ନମୁନା ରିପୋର୍ଟ ନେଗେଟିଭ ରହିଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking