35.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶପୁଣି ସଂରକ୍ଷଣ ପ୍ରସଙ୍ଗ ଉଠାଇଲେ ରାହୁଲ; କ୍ଷମତାକୁ ଆସିଲେ ‘୫୦% ସଂରକ୍ଷଣ ସୀମା’ ହଟାଇବୁ

ପୁଣି ସଂରକ୍ଷଣ ପ୍ରସଙ୍ଗ ଉଠାଇଲେ ରାହୁଲ; କ୍ଷମତାକୁ ଆସିଲେ ‘୫୦% ସଂରକ୍ଷଣ ସୀମା’ ହଟାଇବୁ

ରତଲାମ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ସଂରକ୍ଷଣ ପ୍ରସଙ୍ଗ ଉଠାଇଛନ୍ତି । ସୋମବାର ରତଲାମ୍ ଠାରେ ନିର୍ବାଚନୀ ପ୍ରଚାର କରିବା ଅବସରରେ ରାହୁଲ କହିଛନ୍ତି, ଚଳିତ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ୧୫୦ଟି ଆସନ ମଧ୍ୟ ମିଳିବ ନାହିଁ । ଏକଥା ବିଜେପି ମଧ୍ୟ ବେଶ୍ ଭଲଭାବେ ଜାଣିଛି । ଏଥିପାଇଁ ନିର୍ବାଚନରେ କିଛି ବଡ଼ ଧରଣର ଘୋଟାଲା କରିବା ଲକ୍ଷ୍ୟରେ ବିଜେପି ଏବଂ ଆରଏସ୍‌ଏସ୍ ରହିଛନ୍ତି ।
ମଧ୍ୟପ୍ରଦେଶର ରତଲାମ-ଝାବୁଆ ଲୋକସଭା ଆସନ ଅନ୍ତର୍ଗତ ଅଲିରାଜପୁର ଜିଲ୍ଲାର ଜୋବାଟ ସହରରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି, କେନ୍ଦ୍ରରେ ସରକାର ଗଢ଼ିବା ପରେ କଂଗ୍ରେସ ସରକାର ସର୍ବପ୍ରଥମେ ଲୋକଙ୍କ ହିତ ପାଇଁ ସଂରକ୍ଷଣ ଉପରେ ଥିବା ୫୦% ସୀମାକୁ ହଟାଇଦେବେ ଓ ଦଳିତ ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବୃଦ୍ଧି କରାଯିବ । ସମ୍ବିଧାନ ଥିବା ଯୋଗୁଁ ହିଁ ଆଦିବାସୀ, ଦଳିତ ଓ ଓବିସିମାନେ ଏହାର ଲାଭ ପାଉଛନ୍ତି । ସମ୍ବିଧାନ ଅନୁଯାୟୀ ଆଦିବାସୀଙ୍କ ଜଳ, ଜମି ଓ ଜଙ୍ଗଲ ଉପରେ ଅଧିକାର ରହିଛି । ବିଜେପି ଦେଶର ଏହି ସମ୍ବିଧାନକୁ ହିଁ ସମାପ୍ତ କରିଦେବାକୁ ଚାହୁଁଛି । କଂଗ୍ରେସ ବିରୋଧରେ ବିଜେପି ଚଳାଇଥିବା ଘୃଣା କ୍ୟାମ୍ପେନିଂ, ବିଜେପିର ଭୟକୁ ପଦାରେ ପକାଇଦେଇଛି ବୋଲି ରାହୁଲ କହିଛନ୍ତି । ରାହୁଲ ଆଉ ପାଦେ ଆଗେଇ ଯାଇ କହିଛନ୍ତି ଯେ, ସଂରକ୍ଷଣର କୌଣସି ସୀମା ରହିବ ନାହିଁ । ଜାତି ଭିତ୍ତିକ ସଂରକ୍ଷଣ ବ୍ୟବସ୍ଥା ଦେଶରେ ୫୦%ରୁ ଅଧିକ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଦେଇଥିବା ରାୟକୁ କଂଗ୍ରେସ କ୍ଷମତାକୁ ଆସିଲେ ଉଚ୍ଛେଦ କରିବ । ଯେତେ ପ୍ରତିଶତ ସଂରକ୍ଷଣ ଦରକାର, ସେସବୁ ଲାଗୁ ହେବ । ସୂଚନାଯୋଗ୍ୟ, ରତଲାମରେ ଆସନ୍ତା ୧୩ରେ ଲୋକସଭା ନିର୍ବାଚନର ୪ ପର୍ଯ୍ୟାୟ ଭୋଟିଂ ହେବ । ଏଠାରେ କଂଗ୍ରେସ ପୂର୍ବତନ ସାଂସଦ କାନ୍ତିଲାଲ ଭୂରିଆଙ୍କୁ ପ୍ରାର୍ଥୀ କରିଛି । ସେହିପରିପ ବିଜେପି ଅନୀତା ନାଗରଙ୍କୁ ଏଠାରୁ ପୁନର୍ବାର ପ୍ରାର୍ଥୀ କରିଛି । ୨୦୧୯ରେ ମଧ୍ୟ ଅନୀତା ଏଠାରୁ ଜିତିଥିଲେ ।
ସେହିପରି ଆଜି ତେଲେଙ୍ଗାନାରେ ଆୟୋଜିତ ଏକ ବିଶାଳ ରୋଡ୍ ଶୋ’ରେ ମଧ୍ୟ ସାମିଲ ହେବା ଅବସରରେ ରାହୁଲ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ସରକାର ଦେଶରେ ସଂରକ୍ଷଣ ବ୍ୟବସ୍ଥାକୁ ବନ୍ଦ କରିବାକୁ ତଥା ସମ୍ବିଧାନ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି । ରାହୁଲଙ୍କ କହିବାନୁସାରେ ପ୍ରଧାନମନ୍ତ୍ରୀ ଓବିସି, ଏସସି-ଏସଟି ଲୋକଙ୍କଠାରୁ ସଂରକ୍ଷଣ ଛଡ଼ାଇବାକୁ ଚାହୁଁଛନ୍ତି । ସେ ଏହାକୁ ପଛୁଆ ସମ୍ପ୍ରଦାୟର ଲୋକଙ୍କ ପ୍ରତି ବିଶ୍ୱାସଘାତକତା ବୋଲି କହିଛନ୍ତି । ରାହୁଲଙ୍କ ଅନୁସାରେ ବିଜେପି ଚାହୁଁଛି ପଛୁଆ, ଦଳିତ ଏବଂ ଆଦିବାସୀ ଶ୍ରେଣୀର ଲୋକମାନେ ଆଗକୁ ନ ବଢ଼ନ୍ତୁ । ବିଜେପି ସମ୍ବିଧାନକୁ ନଷ୍ଟ କରିବାକୁ ଚେଷ୍ଟା କରୁଛି । ଏହାର ସମସ୍ତ ନେତା କ୍ରମାଗତ ଭାବରେ ୪୦୦ ଆସନ ଜିତିଲେ ଦେଶର ସମ୍ବିଧାନ ପରିବର୍ତ୍ତନ ବିଷୟରେ କହୁଛନ୍ତି । ଜନସାଧାରଣଙ୍କୁ ଏହି ବିପଦକୁ ବୁଝିବାକୁ ପଡିବ ଏବଂ ଏହାକୁ ଦୃଷ୍ଟିରେ ରଖି କଂଗ୍ରେସକୁ ସମର୍ଥନ କରିବାକୁ ପଡିବ । ୪୦୦ ତ ଦୂରର କଥା, ସେମାନେ ୧୫୦ ସିଟ୍ ମଧ୍ୟ ଯେପରି ପାଇବେ ନାହିଁ ସେଦିଗରେ ଆମ ସମସ୍ତଙ୍କୁ ମିଳିତ ଭାବେ କାମ କରିବାକୁ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking