ଓଡ଼ିଶାର ବିଭିନ୍ନ ଶକ୍ତିପୀଠରେ ମା’ଙ୍କ ପୂଜା

ଭୁବନେଶ୍ୱର : ଓଡ଼ିଶାର କେତେକ ଶକ୍ତିପୀଠରେ ମା’ଙ୍କ ପୂର୍ବ ସ୍ଥାପନା ମୂର୍ତ୍ତିକୁ ଆରାଧନା କରାଯାଏ । ଅନେକ ଶକ୍ତିପୀଠ ମଧ୍ୟରେ ମା’ ଗଡ଼ଚଣ୍ଡୀଙ୍କ ପୀଠ ଅନ୍ୟତମ। ଐତିହାସିକ ବାରବାଟୀ ଦୁର୍ଗ ବା ଗଡ଼ ମଧ୍ୟରେ ମା’ଙ୍କ ଆସ୍ଥାନ ରହିଥିବାରୁ ଲୋକମୁଖ ସେ ଗଡ଼ଚଣ୍ଡୀ। ରାଜତନ୍ତ୍ରରେ ରାଜ ପରିବାରମାନେ ନିଜ ବଂଶର ଆରାଧ୍ୟ ଦେବଦେବୀଙ୍କ ପୀଠ ସ୍ଥାପନା କରୁଥିଲେ । ରାଜା ପ୍ରତାପରୁଦ୍ର ଦେବ ବା ଅନଙ୍ଗଭୀମ ଦେବ କିମ୍ବା ଲାଙ୍ଗୁଳା ନରସିଂହଦେବଙ୍କ ଶାସନ କାଳରେ ଗଡ଼ଚଣ୍ଡୀଙ୍କ ମୂର୍ତ୍ତି ଓ ପୀଠ ସ୍ଥାପନ କରାଯାଇଥିବା ବିଶ୍ୱାସ କରାଯାଇଥିବା ବିଶ୍ୱାସ କରାଯାଏ । କିମ୍ବଦନ୍ତୀ କହେ ରାଜା ମୁକୁନ୍ଦଦେବଙ୍କ ସମୟରେ ଗଡ଼ର ଅଧିଷ୍ଠାତ୍ରୀ ଦେବୀ ଭାବେ ମା’ ଗଡ଼ଚଣ୍ଡୀଙ୍କ ମୂର୍ତ୍ତି ପୂଜାକରାଯାଉଥିଲା । କେବଳ ପୂଜାର୍ଚ୍ଚନା ପାଇଁ ନୁହେଁ , ବାହ୍ୟଶତ୍ରୁ ଆକ୍ରମଣରୁ ରକ୍ଷା କରିବା ପାଇଁ ରାଜା ଗଡ଼ଚଣ୍ଡୀଙ୍କ ଆରାଧନା କରୁଥିଲେ ।

ସମଲେଶ୍ୱରୀ
ଆଶ୍ୱିନ ମାସ କୃଷ୍ଣ ପକ୍ଷ ମୂଳାଷ୍ଟମୀ ତିଥିରୁ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ଷୋଳହ ପୂଜା ଆରମ୍ଭ ହେଇଥାଏ । ଏହିଦିନ ଦୁତିବାହାନ ପୂଜା କରାଯାଇଥାଏ । ଚନ୍ଦନ, ଅଗରୁ, କସ୍ତୁରୀ, ଶ୍ରୀକର୍ପୂର, ଗଙ୍ଗାଜଳରେ ମା’ଙ୍କ ସ୍ନାନ ପରେ ନଅ ପ୍ରକାରର ଭୋଗଲାଗି କରାଯାଇଥାଏ । ଏହି କ୍ରମରେ ଅମାବାସ୍ୟା ତଥା ମହାଳୟା ଦିନ ଦେବୀ ଧବଳମୁଖୀ ଓ ଗଙ୍ଗାଦର୍ଶନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ଏହି ଦିନ ଭୋର ତିନିଟା ସମୟରେ ମନ୍ଦିର, ଗମ୍ଭୀରାର ଦରଜା ଖୋଲା ଯାଇଥାଏ। ରାତ୍ରି ୨ଟାରେ ମନ୍ଦିର ବନ୍ଦ କରାଯାଏ । ଏହି ରୂପରେ ଦେବୀ ଅଢେଇଦିନ ପୂଜିତ ହୁଅନ୍ତି। ଧବଳମୁଖୀ ରୂପରେ ଥାଇ ସମଲେଶ୍ୱରୀ ଶୈଳପୁତ୍ରୀ ବେଶ ଧାରଣ କରନ୍ତି । ପରେ ଦଶମୀ ପର୍ଯ୍ୟନ୍ତ ମା’ ସମଲେଶ୍ୱରୀ ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଧମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ, ସିଦ୍ଧିଦାତ୍ରୀ, ମହିଷାମର୍ଦ୍ଦିନୀ ଭାବରେ ପୂଜିତ ହୁଅନ୍ତି। ପୂର୍ଣ୍ଣିମା ଦିନ ଦେବୀ ରାଜରାଜେଶ୍ୱରୀ ବେଶରେ ଦେବୀ ଦର୍ଶନ ଦିଅନ୍ତି। ପୂର୍ଣ୍ଣିମା ରାତି ମନ୍ଦିରରେ ନୂତନ ଧ୍ୱଜା ସ୍ଥାପନ କରାଯାଏ।

କାକଟପୁର ମଙ୍ଗଳା
ଆଶ୍ୱିନ ମାସର ମୂଳାଷ୍ଟମୀ ତିଥିଠାରୁ ମା ’ ମଙ୍ଗଳାଙ୍କ ମନ୍ଦିରରେ ପାରମ୍ପାରିକ ପ୍ରଥା ଅନୁସାରେ ଶାରଦୀୟ ପାର୍ବଣ ପୂଜା ଆରମ୍ଭ ହେଇ ବିଜୟାଦଶମୀ, ଦଶହରା ଦିନ ଶେଷ ହେଇଥାଏ । ପ୍ରଥମ ଦିନ କଳସ ପୂଜା ଆରମ୍ଭ ହେଇ ସହସ୍ରାକୁମ୍ଭାଭିଷେକ ନୀତି ଅନୁଷ୍ଠିତ ହୁଏ । ଅକ ତମ୍ବାପାତ୍ରରେ ଅଗରୁ, ଚନ୍ଦନ, ହଳଦୀ, ଚୁଆ, କ୍ଷୀର, ମହୁ, ନବାତ ଆଦି ଶୁଦ୍ଧପାଣିରେ ମିଶାଯାଇ ୧୦୭ କଳସ ଜଳରେ ମା’ଙ୍କୁ ସ୍ନାନମାର୍ଜଣା କରାଯାଏ। ସାଧାରଣତଃ ପ୍ରତ୍ୟେକ ଦିନ ମା’ ସ୍ନାନ ସମୟରେ ମନ୍ଦିରର ପହୁଡ଼ ପଡୁଥିବା ବେଳେ ଏହିଦିନ ସ୍ନାନ ସମୟରେ ସାହାଣ ମେଲା ରଖାଯାଉଥିବାରୁ ଭକ୍ତମାନେ ମା’ଙ୍କ ସଂପୂର୍ଣ୍ଣ ଅବୟବ ସହିତ ସ୍ନାନମାର୍ଜଣା ନୀତିର ଦର୍ଶନ କରିବାର ସୁଯୋଗ ପାଇଥାନ୍ତି । ଏହା ପରେ ସୂର୍ଯ୍ୟପୂଜା, ବଲ୍ଲଭ ନୀତି କରାଯାଏ । ସନ୍ଧ୍ୟାକୁ ସକାଳ ଧୂପ ହୁଏ । ପରେ ସନ୍ଧ୍ୟା ଆଳତି, ସ୍ନାନ ମାର୍ଜଣା ହୁଏ ଏବଂ ମା’ଙ୍କୁ ସାଧାରଣ ବେଶରେ ସଜାଇ ଦର୍ଶନ ପାଇଁ ମନ୍ଦିରର ସାହାଣ ମେଲା କରାଯାଏ । ରାତି ପ୍ରାୟ ୩ ଟାକୁ ରାତ୍ରଧୂପ ଓ ପରେ ବଡ଼ସିଂହାର ନୀତି କରାଯାଇ ପହୁଡ଼ କରାଯାଏ । ମନ୍ଦିର ବେଢାରେ ପ୍ରତ୍ୟେହ ପ୍ରାତଃରେ ଜପ ଓ ମଧ୍ୟାହ୍ନରେ ସପ୍ତସତୀ ଚଣ୍ଡିପାଠ କରାଯାଏ । ମୂଳାଷ୍ଟମୀ ଠାରୁ ତୃତୀୟା ପର୍ଯ୍ୟନ୍ତ ଏହି ପରି ନୀତି ଅନୁଷ୍ଠିତ ହେଇଥାଏ ।

LEAVE A REPLY

Please enter your comment!
Please enter your name here