30.1 C
Bhubaneswar
Friday, April 26, 2024
Homeଓଡିଶାସ୍ୱାମୀଙ୍କୁ ଖୋଜି ବାହାର କରିବା ପାଇଁ ଏସପିଙ୍କୁ ଭେଟିଲେ ମହିଳା

ସ୍ୱାମୀଙ୍କୁ ଖୋଜି ବାହାର କରିବା ପାଇଁ ଏସପିଙ୍କୁ ଭେଟିଲେ ମହିଳା

ବ୍ରହ୍ମପୁର : ବ୍ରହ୍ମପୁର ସହରର ପ୍ରତ୍ୟେକ ଦିନ କ୍ରିକେଟ୍ ଖେଳକୁ ନେଇ ବେଟିଂ ଚାଲିଥାଏ । ଏଥିରେ ଯୁବ ପିଢିଙ୍କ ସମେତ କିଛି ପେଶାଦାର ଖେଳାଳି ମଧ୍ୟ ପ୍ରତ୍ୟେକ ଦିନ କୋଟି କୋଟି ଟଙ୍କାର ଖେଳ ଖେଳୁଛନ୍ତି । ଏପରି କ୍ଷେତ୍ରରେ ଅନେକ ଥର ଏହି କ୍ରିକେଟ୍ ବେଟିଂ ଏବଂ ଆଇପିଏଲ୍ ଟଙ୍କାକୁ ନେଇ ଗଣ୍ଡଗୋଳ ଏବଂ ପାଟିତୁଣ୍ଡ ହୋଇଛି । ଗତ ଏକ ସପ୍ତାହ ହେଲା ବଡବଜାର ଥାନା ଅନ୍ତର୍ଗତ ହନୁମାନ ନଗର ଅଞ୍ଚଳରେ ଏକ ବଡ ଧରଣର ଘଟଣା ପଦାକୁ ଆସିଛି । ଆଇପିଏଲ୍ ତଥା କ୍ରିକେଟ ବେଟିଂକୁ ପରିଚାଳିତ କରୁଥିବା ବୁକିଂ ଟଙ୍କାକୁ ନେଇ ଚକାଡୋଳା ମାଝୀ ନାମକ ବ୍ୟକ୍ତି ନିଖୋଜ ଥିବା ବଡବଜାର ଥାନାରେ ଅଭିଯୋଗ ହୋଇଛି । ସପ୍ତାହେ ହେଲାଣି ସମ୍ପୃକ୍ତ ଚକାଡୋଳା ମାଝୀଙ୍କ ଖୋଜ୍ ଖବର ନଥିବାରୁ ତାଙ୍କ ପତ୍ନୀ ଝିଲି ମାଝି ଏସପି ପିନାକ ମିଶ୍ରଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଏସପି ଘଟଣାକୁ ଗୁରୁତର ନେବା ସହ ବଡବଜାର ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ ପୁଲିସ ଘଟଣାର ତଦନ୍ତ କରି ସ୍ୱାମୀଙ୍କୁ ଖୋଜି ବାହାର କରିବ ବୋଲି ଏସ୍‌ପି ଶ୍ରୀ ମିଶ୍ର ପ୍ରତିଶ୍ରୁତି ଦେଇଥିବା ନେଇ ନିଖୋଜ ବ୍ୟକ୍ତିଙ୍କ ପତ୍ନୀ ଝିଲି ମାଝୀ କହିଛନ୍ତି ।
ଗତ ଜାନୁୟାରୀ ୨୬ ତାରିଖରେ ଭୁବନେଶ୍ୱର ଯିବି ବୋଲି ସ୍ତ୍ରୀଙ୍କୁ କହି ସକାଳ ୧୦ଟାରୁ ଚକାଡୋଳା ଯାଇଥିବା ବେଳେ ସେହି ଦିନଠାରୁ ଆଉ ଫେରିନାହାନ୍ତି । କ୍ରିକେଟ ବେଟିଂ ଟଙ୍କାକୁ ନେଇ ଚକାଡୋଳାଙ୍କୁ କେହି ଅପହରଣ କରି ନେଇଥିବା ସନ୍ଦେହ କରାଯାଉଛି । ଘଟଣା ଦିନଠାରୁ ଚକାଡୋଳା ପରିବାର ଲୋକଙ୍କୁ ଫୋନ୍ କରିନଥିବା ବେଳେ ସପ୍ତାହେ ହେଲାଣି ତାଙ୍କ ଫୋନ୍ ସୁଇଚ୍ ଅଫ୍ ରହିଛି । ଯାହା କି ପୁଲିସ ପାଇଁ ଚିନ୍ତାର ବିଷୟ ହୋଇଛି । ଏହା ସହ ଚକାଡୋଳାଙ୍କ ପରିବାର ନିକଟକୁ କିଛି ଅଜଣା ଫୋନ୍ ଆସିବା ସହ ସେଥିରେ ଟଙ୍କା ନଫେରାଇଲେ ଅସୁବିଧା ହେବ ବୋଲି ଧମକ ମଧ୍ୟ ମିଳୁଥିବା କୁହାଯାଇଛି ।
ସୂଚନା ଅନୁଯାୟୀ, ବଡବଜାର ଅଞ୍ଚଳର ଜଣେ ବ୍ୟକ୍ତି ଚକାଡୋଳାଙ୍କୁ ୫୦ଲକ୍ଷ ଆଇପିଏଲ୍ ତଥା କ୍ରିକେଟ ବେଟିଂ ଟଙ୍କା ଦେଇ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଦେଇଦେବା ପାଇଁ କହିଥିଲେ । ଚକାଡୋଳା ଟଙ୍କା ନେଇ ଉକ୍ତ ବ୍ୟକ୍ତିଙ୍କ ସହ ଆଉ ସମ୍ପର୍କ ରଖି ନଥିଲେ । ଏହା ପରେ ଉକ୍ତ ବ୍ୟକ୍ତି ବାଧ୍ୟ ହୋଇ ଚକାଡୋଳାଙ୍କୁ ଖୋଜିଥିଲେ । ପରେ ଟଙ୍କା ଦେଇଥିବା ବ୍ୟକ୍ତି କାଳେ ଟଙ୍କା ମାଗୁଥିବେ ସେ ନେଇ ଭୟରେ ଚକାଡୋଳା ନିଖୋଜ ହୋଇଛନ୍ତି ନା ତାଙ୍କୁ ଟଙ୍କା ପାଇଁ ଅପହରଣ କରାଯାଇଛି ତାହା ଏବେ ମୂଳ ପ୍ରଶ୍ନ ହୋଇ ଉଠିଛି । ଚକାଡୋଳା ନିଖୋଜ ହେବା ପରେ ତାଙ୍କ ପତ୍ନୀଙ୍କୁ ତୁମ ଭଉଣୀର ଘର ରେଜିଷ୍ଟ୍ରେସନ୍ କରି ଆମକୁ ଦିଅ ନଚେତ୍ ସମସ୍ତ ଟଙ୍କା ଫେରାଅ ବୋଲି ଫୋନ୍ ଆସୁଥିବା ମଧ୍ୟ ତାଙ୍କ ପତ୍ନୀ ଜଣାଇଛନ୍ତି । ବର୍ତ୍ତମାନ ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଚକାଡୋଳା ପ୍ରକୃତରେ ନିଖୋଜ ହୋଇଛନ୍ତି ନା ତାଙ୍କୁ କେହି ଅପହରଣ କରି ନେଇଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡୁ ନାହିଁ । ଅନ୍ୟ ପକ୍ଷରେ ଚକାଡୋଳ ଟଙ୍କା ନେଇ କେଉଁ ଆଡେ ଚାଲି ଯାଇଛନ୍ତି ତାହାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking