26.1 C
Bhubaneswar
Wednesday, May 8, 2024
Homeଓଡିଶାଓଡ଼ିଶା ମୁହାଁ ବାତ୍ୟା 'ଜାୱାଦ'

ଓଡ଼ିଶା ମୁହାଁ ବାତ୍ୟା ‘ଜାୱାଦ’

– ୮ରେ ଘୁର୍ଣ୍ଣିବଳୟ, ୧୦ରେ ଲଘୁଚାପ, ୧୪ରେ ସଦୃଶ ଲଘୁଚାପ ସମ୍ଭାବନା
ଭୁବନେଶ୍ୱର: ଚଳିତ ବର୍ଷ ବଙ୍ଗୋପସାଗରରୁ ବାରମ୍ବାର ଲଘୁଚାପ ସୃଷ୍ଟି ହେବାରେ ଲାଗିଛି । ଗତ ସେପ୍ଟେମ୍ବରରେ ୪ଟି ଲଘୁଚାପ ସହ ଗୋଟିଏ ବାତ୍ୟା ପରେ ଏବେ ଅକ୍ଟୋବରରେ ବି ବଙ୍ଗୋପସାଗରରେ ଲଘୁଚାପ ଦାନା ବାନ୍ଧିବା ଆରମ୍ଭ କରିଛି । ଯାହାକି କ୍ରମଶଃ ବାତ୍ୟା ରୂପ ନେବା ସମ୍ଭାବନା ଅଧିକ ରହିଛି । ଏହି ଲଘୁଚାପଟି ବାତ୍ୟାରେ ପରିଣତ ହେଲେ ତାହାର ନାଁ ‘ଜାୱାଦ’ ରଖାଯିବ । ସାଉଦି ଆରବ ପକ୍ଷରୁ ଏହି ନାମକରଣ କରାଯାଇଥିବାବେଳେ ଏହା ଓଡ଼ିଶା ମୁହାଁ ହେବ ବୋଲି ଆଇଏମଡି ପ୍ରକାଶ କରିଛି । ଏକ ଟୁଇଟ୍ ଜରିଆରେ ଆଇଏମ୍‌ଡି କହିଛି, ଉତ୍ତର-ଆଣ୍ଡାମାନ ସାଗରରେ ଆସନ୍ତା ୮-୯ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ୧୦ ତାରିଖ ବେଳକୁ ଏହା ଏକ ଲଘୁଚାପରେ ପରିଣତ ହେବ ।

ପରବର୍ତ୍ତୀ ୪-୫ ଦିନରେ ଏହା ଆହୁରି ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ୧୪ ତାରିଖ ସୁଦ୍ଧା ଏହା ଏକ ସଦୃଶ ଲଘୁଚାପ (ୱେଲ୍ ମାର୍କ ଲୋ-ପ୍ରେସର)ର ରୂପ ନେବା ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଜ୍ଞାନୀଙ୍କ ମତ ଅନୁସାରେ ଲଘୁଚାପ ୪ରୁ ୫ ଦିନ ସମୁଦ୍ରରେ ରହିବା ପରେ ବଳ ସାଉଣ୍ଟିବ । ଅଧିକ ବଳଶାଳୀ ହେବା ସହ କ୍ରମଶଃ ଏହା ସଦୃଶ ଲଘୁଚାପର ରୂପ ନେବ ଓ ପରେ ଗଭୀର ଅବପାତରେ ପରିଣତ ହେବ । ଲଘୁଚାପ ପ୍ରଭାବରେ ଆସନ୍ତା ୧୦ରୁ ରାଜ୍ୟର ଏକାଧିକ ଜିଲ୍ଲାରେ ବର୍ଷା ଲାଗି ରହିବ । ୧୪ରୁ ୧୫ ତାରିଖ ବେଳକୁ ବାତ୍ୟା ଦକ୍ଷିଣ-ଓଡ଼ିଶା ଓ ଉତ୍ତର-ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବା ସହ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି ।

ଏହି ବାତ୍ୟା ଓଡ଼ିଶା ଆଡ଼କୁ ଆସୁଥିବାରୁ ଚଳିତ ବର୍ଷ ଦଶହରା ଉତ୍ସବ ଫିକା ପଡ଼ିବା ଆଶଙ୍କା ପ୍ରକାଶ ପାଇଛି । କରୋନା କଟକଣା ଯୋଗୁଁ ପୂର୍ବରୁ ହିଁ ଦଶହରାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ କମ ଥିଲା । ଏବେ ବାତ୍ୟା ଆସୁଥିବାରୁ ଦଶହରା ସମ୍ପୂର୍ଣ୍ଣ ଧୋଇଯିବା ନେଇ ଆକଳନ କରାଯାଉଛି । ସୂଚନାଥାଉ କି, ବିଗତ ବର୍ଷରେ ସେପ୍ଟେମ୍ବର, ଅକ୍ଟେବର ମାସରେ ଓଡ଼ିଶା ବଡ଼ ବାତ୍ୟାର ସମ୍ମୁଖିନ କରିଛି । ମୌସୁମୀ ଅପସରଣ ପ୍ରକ୍ରିୟା ଜାରି ଥିବାବେଳେ ଯଦି କିଛି ଲଘୁଚାପ ବାତ୍ୟା ରୂପ ନିଏ, ତାହେଲେ ତାହା ଅଧିକ ଘନିଭୂତ ହୋଇଥାଏ । ବାୟୁମଣ୍ଡଳର ଉପର ଓ ତଳ ସ୍ତରରେ ପ୍ରବାହିତ ହେଉଥିବା ପବନ ସହ ଲମ୍ବିଥିବା ନିମ୍ନଚାପରେଖା ବାତ୍ୟା ପାଇଁ ପାଗ ଅନୁକୂଳ କରେ । ପୂର୍ବରୁ ୧୯୯୯ ମହାବାତ୍ୟା, ହୁଡ଼ହୁଡ଼, ଫାଇଲିନ୍‌, ତିତଲି ଓ ଅମ୍ଫାନ ମଧ୍ୟ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି କରିଥିବା ନଜରକୁ ଆସିଛି । ବିଶେଷ କରି ଅମ୍ଫାନ ଯାହା ସମୁଦ୍ର ମଧ୍ୟରେ ୫ ଦିନ ଦିନ ରହିଥିଲା, ତାହା ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି କରିଥିବାର ନଜିର ରହିଛି । ସେପଟେ ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ ରାଜସ୍ଥାନ ଓ ସଂଲଗ୍ନ ଗୁଜରାଟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking