32.1 C
Bhubaneswar
Saturday, May 4, 2024
Homeଓଡିଶାରାଜ୍ୟରେ ଆଜିଠୁ ପ୍ରବଳ ବର୍ଷିବ

ରାଜ୍ୟରେ ଆଜିଠୁ ପ୍ରବଳ ବର୍ଷିବ

ଭୁବନେଶ୍ୱର: ମିଆଁମାର ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶୁକ୍ରବାର ଏକ ଲଘୁଚାପ ରୁପ ନେଇଛି । ସନ୍ଧ୍ୟା ୫ଟା ୩୦ ସୁଦ୍ଧା ଏହା ଅବପାତରେ ପରିଣତ ହୋଇଛି । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତର ରୂପ ନେବା ସହ ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା, ଆନ୍ଧ୍ର ଉପକୂଳରେ ପହଞ୍ଚିବ । ଲଘୁଚାପ କ୍ଷେତ୍ରଟି ଏବେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଥିବାବେଳେ କ୍ରମଶଃ ଗତିଶୀଳ ରହିଛି । ଏହା ଗୋପାଳପୁରଠାରୁ ୬୭୦ କିମି ଦୂରରେ ଥିବାବେଳେ ଆନ୍ଧ୍ରପ୍ରଦେଶ କଳିଙ୍ଗପାଟନାମଠାରୁ ୭୪୦ କିମି ଦୂରରେ ରହିଛି । ଏହା କ୍ରମଶଃ ଗତିଶିଳ ଥିବାବେଳେ ଆସନ୍ତା ୨୬ ତାରିଖ ସୁଦ୍ଧା ଏହା ଓଡ଼ିଶା ଉପକୂଳ ଅତିକ୍ରମ କରିବ । ଓଡ଼ିଶା ଉପକୂଳ ଅତିକ୍ରମ କରିବା ସମୟରେ ପବନର ବେଗ ୬୦ରୁ ୮୦ କିମି ଭିତରେ ରହିବ ।

କିଛି ସ୍ଥାନରେ ଝଟକା ପବନ ୯୦ କିମି ଯାଏ ବହିବା ସମ୍ଭାବନା ରହିଛି । ଏହା ଏକ ସାମୁଦ୍ରିକ ଝଡ଼ ବୋଲି ପୂର୍ବାନୁମାନ କରାଯାଉଥିବାବେଳେ ଏବେ ତାହା ଓଡ଼ିଶା ମୁହାଁ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପ୍ରକାଶ କରିଛି । ଏହାର ପ୍ରଭାବରେ ଆସନ୍ତା ୨୫ରୁ ୨୮ ପର୍ଯ୍ୟନ୍ତ ଓଡ଼ିଶା, ପଶ୍ଚିମବଙ୍ଗ, ଉତ୍ତର-ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୫ ଦିନରେ ପଶ୍ଚିମ ମଧ୍ୟପ୍ରଦେଶ, ଗୁଜୁରାଟ ଓ ଗୋଆ ଆଦି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ୨୬ ତାରିଖ ସନ୍ଧ୍ୟାରେ ସାମୁଦ୍ରିକ ଝଡ଼ ଉପକୂଳ ଅତିକ୍ରମ କରିବ । ଏହା ବିଶାଖାପାଟଣା ଓ ଗୋପାଳପୁର ମଝି ଦେଇ ଅତିକ୍ରମ କରିବା ସମ୍ଭାବନା ବେଶୀ ରହିଛି । ତେଣୁ ଏଥିପ୍ରତି ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଆଜି ରାଜ୍ୟର ୧୬ ଜିଲ୍ଲାରେ ବର୍ଷା ସମ୍ଭାବନା ଥିବାବେଳେ ୨୬ ତାରିଖରେ ଦକ୍ଷିଣ ଆଭ୍ୟନ୍ତରୀଣ ତଥା କେନ୍ଦ୍ରୀୟ ଓଡ଼ିଶାର କିଛି ଜିଲ୍ଲାରେ ଭାରୀ ବର୍ଷା ସମ୍ଭାବନା ରହିଛି । ୨୬ ତାରିଖ ଦିନ କିଛି ସ୍ଥାନରେ ୨୦ ସେଣ୍ଟିମିଟର ଯାଏଁ ବର୍ଷା ରେକର୍ଡ ହାଇପାରେ । ଅବିଶ୍ରାନ୍ତ ବର୍ଷା ଫଳରେ ତଳିଆ ଅଞ୍ଚଳରେ ପାଣି ଜମିବା ସହ କଚ୍ଚା ଘର ଓ ରାସ୍ତା କ୍ଷତିଗ୍ରସ୍ତ ହେବ । ସହରାଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିପାରେ ବୋଲି ପାଣିପାଗ କେନ୍ଦ୍ର ସତର୍କ କରିଛି । ୨୬ ତାରିଖରେ କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ଗଜପତି ପାଇଁ ସତର୍କ ରହିବାକୁ କୁହାଯାଇଛି । ଆସନ୍ତା ୩୦ ତାରିଖ ଯାଏଁ ଗଭୀର ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ଅନ୍ୟପକ୍ଷରେ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ବି ଲଘୁଚାପ ସୃଷ୍ଟି ହେବା ନେଇ ସ୍ପଷ୍ଟ କରିଛି । ଏହି ଲଘୁଚାପ ପ୍ରଭାବରେ ଓଡ଼ିଶାରେ ମୌସୁମୀ ସକ୍ରିୟ ରହିବା ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking