27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଦ୍ୱିପାକ୍ଷିକ ଆଲୋଚନାରେ : ଭାରତ-ଆମେରିକା ସମ୍ପର୍କ ଅଧିକ ମଜଭୁତ ହେବ

ଦ୍ୱିପାକ୍ଷିକ ଆଲୋଚନାରେ : ଭାରତ-ଆମେରିକା ସମ୍ପର୍କ ଅଧିକ ମଜଭୁତ ହେବ

ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ହ୍ୱାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଚଳିତବର୍ଷ ଜାନୁଆରୀରେ ବାଇଡେନ୍ ରାଷ୍ଟ୍ରପତିଭାବେ ଦାୟିତ୍ୱ ଗ୍ରହଣ କରିବାପରେ ମୋଦୀ ପ୍ରଥମ ଥର ତାଙ୍କୁ ଭେଟିଛନ୍ତି । ଏକ ସୌହାଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଏହି ଆଲୋଚନା ଅନୁଷ୍ଠିତ ହୋଇଥିଲା । ଆମେ ଚଳିତ ଶତାବ୍ଦୀର ତୃତୀୟ ଦଶନ୍ଧିର ପାଦଦେଶରେ ପହଞ୍ଚିଛୁ । ତେଣୁ ଏହି ଦଶନ୍ଧିରେ ଭାରତ-ଆମେରିକା ସମ୍ପର୍କକୁ ଅଧିକ ମଜଭୁତ କରିବାରେ ବାଇଡେନଙ୍କ ନେତୃତ୍ୱ ନିର୍ଣ୍ଣାୟକ ହେବ ବୋଲି ମୋଦୀ ଆଶାବ୍ୟକ୍ତ କରିଛନ୍ତି । ଅପରପକ୍ଷରେ ବାଇଡେନ୍ କହିଛନ୍ତି ଯେ ଆଗାମୀ ଦିନରେ ଭାରତ-ଆମେରିକା ସମ୍ପର୍କ ଆହୁରି ମଜଭୁତ ହେବ, ଏଥିରେ ସନ୍ଦେହ ନାହିଁ ।

କୋଭିଡ୍ ନିରାକରଣଠାରୁ ଆରମ୍ଭ କରି ଜଳବାୟୁ ପରିବର୍ତ୍ତନ, ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ସାମରିକ ଉତ୍ତେଜନା ମୁକ୍ତ ରଖିବା, ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସର୍ବଦା ଅକ୍ଷୁଣ୍ଣ ରଖିବା, ଅହିଂସା ନୀତି ପ୍ରତି ସମ୍ମାନ ଜଣାଇବା ଓ ପାରସ୍ପରିକ ସହନଶୀଳତାକୁ ଅଗ୍ରାଧିକାର ଦେବା ଭଳି ପ୍ରସଙ୍ଗରେ ଦୁଇଦେଶ ମିଳିମିଶି କାର୍ଯ୍ୟ କରିବେ ବୋଲି ବାଇଡେନ୍ ଆଶାବ୍ୟକ୍ତ କରିଛନ୍ତି । ମୋଦୀଙ୍କୁ ସ୍ୱାଗତ କରିବା ଅବସରରେ ବାଇଡେନ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଜନକ ମହାତ୍ମା ଗାନ୍ଧୀଙ୍କ ଅହିଂସା ବାଣୀ ଉପରେ ଆଲୋକପାତ କରିଥିଲେ ।

ଅକ୍ଟୋବର ୨ରେ ଗାନ୍ଧୀଜୟନ୍ତୀ ପାଳିତ ହେବାକୁ ଥିବାବେଳେ ତାଙ୍କର ଅହିଂସା ବାର୍ତ୍ତାକୁ ଅକ୍ଷରେ ଅକ୍ଷରେ ପାଳନ କରିବାର ସମୟ ଉପନୀତ ହୋଇଛି ବୋଲି ବାଇଡେନ କହିଛନ୍ତି । ଭାରତ-ଆମେରିକା ସମ୍ପର୍କକୁ ଅଧିକ ମଜଭୁତ କରିବା ଦିଗରେ ବାଇଡେନଙ୍କ ଭୂମିକାକୁ ମୋଦୀ ଉଚ୍ଚପ୍ରଶଂସା କରିଛନ୍ତି । ବିଶ୍ୱର ସମସ୍ତ ଗଣତାନ୍ତ୍ରିକ ରାଷ୍ଟ୍ର ନିମନ୍ତେ ଭାରତ-ଆମେରିକା ବନ୍ଧୁତ୍ୱ ଏକ ଉଦାହରଣ ସୃଷ୍ଟି କରିବ ବୋଲି ମୋଦୀ କହିଛନ୍ତି । ଆଧୁନିକ ସମୟରେ ବୈଷୟିକ ଜ୍ଞାନକୌଶଳ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଉଭୟ ନେତା ମତବ୍ୟକ୍ତ କରିଛନ୍ତି। ତେଣୁ ମାନବ ସମାଜର ବିକାଶ ଦିଗରେ ଏହି ଜ୍ଞାନକୌଶଳକୁ କିଭଳି ଉପଯୋଗ କରାଯାଇପାରିବ, ସେ ସମ୍ପର୍କରେ ଦୁଇ ନେତା ମତ ବିନିମୟ କରିଛନ୍ତି । ଆଲୋଚନା କାଳରେ କୋଭିଡ୍‌ଠାରୁ କ୍ୱାଡ୍ ପର୍ଯ୍ୟନ୍ତ ଏକାଧିକ ପ୍ରସଙ୍ଗ ସ୍ଥାନ ପାଇଥିଲା ।

ବିଗତ ଦେଢ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସମଗ୍ର ବିଶ୍ୱ କୋଭିଡ୍ ପ୍ରକୋପରେ ଜର୍ଜରିତ ହେଉଥିବାବେଳେ ଆମେରିକା ଯେପରି ଗରିବ ରାଷ୍ଟ୍ରକୁ ମାଗଣାରେ ଟିକା ଯୋଗାଉଛି, ସେଥିପାଇଁ ବାଇଡେନ ଧନ୍ୟବାଦର ପାତ୍ର ବୋଲି ମୋଦୀ କହିଛନ୍ତି । ଅପରପକ୍ଷରେ ବାଇଡେନ ମଧ୍ୟ ଏହି ପ୍ରସଙ୍ଗରେ ମୋଦୀଙ୍କ ରଣନୀତିକୁ ପ୍ରଶଂସା କରିଛନ୍ତି । ଭାରତରେ କୋଭିଡ୍‌ର ଦ୍ୱିତୀୟ ଲହର ଦେଖାଦେଇଥିବା ସତ୍ତ୍ୱେ ମୋଦୀ ସରକାରଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ଭାରତ ଏହି ସଙ୍କଟରୁ ଆପାତତଃ ମୁକୁଳି ପାରିଛି ବୋଲି ବାଇଡେନ୍ କହିଛନ୍ତି । ଆମେରିକାର ବିକାଶ ପ୍ରକ୍ରିୟାରେ ପ୍ରବାସୀ ଭାରତୀୟଙ୍କର ଯଥେଷ୍ଟ ଅବଦାନ ରହୁଥିବାରୁ ଏହା ଭାରତ-ଆମେରିକା ସମ୍ପର୍କକୁ ନୂତନ ଶିଖରରେ ପହଞ୍ଚାଇବ ବୋଲି ମୋଦୀ ଆଶାବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking