24.1 C
Bhubaneswar
Thursday, May 9, 2024
Homeଓଡିଶାକୁଟୁଣିକୁଆଁ-କୁଇହୁରୁକୁ ବିକାଶ ଅପହଞ୍ଚ, ଷ୍ଟ୍ରେଚ୍‌ରରେ ବୁହାହେଉଛନ୍ତି ରୋଗୀ

କୁଟୁଣିକୁଆଁ-କୁଇହୁରୁକୁ ବିକାଶ ଅପହଞ୍ଚ, ଷ୍ଟ୍ରେଚ୍‌ରରେ ବୁହାହେଉଛନ୍ତି ରୋଗୀ

ପାରଳାଖେମୁଣ୍ଡ : ସରକାର ଆଦିବାସୀଙ୍କ ଉନ୍ନତି ପାଇଁ ଅନେକ କଲ୍ୟାଣ ମୂଳକ ଯୋଜନା କରୁଛନ୍ତି । ସେମାନଙ୍କୁ ସାମାଜିକ ସ୍ତରରେ ଆଗେଇ ନେବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ମାତ୍ର ମୋହନା ବ୍ଲକ୍ ଲିଲିଲଗଡ଼ ପଞ୍ଚାୟତର ଡେଙ୍ଗାଆମ୍ବ ଓା୍ର୍ଡରେ ଥିବା କୁଟୁଣିକୁଆଁ ଓ କୁଇହୁରୁ  ଦୁଇ ଆଦିବାସୀ ଗ୍ରାମରେ ବିକାଶ ଅପହଞ୍ଚ ହୋଇ ରହିଛି । ଗାଁକୁ ଭଲ ରାସ୍ତାଟିଏ ନାହିଁ । ବିପଦପୂର୍ଣ୍ଣ ଭାବେ ମାଇଲ ମାଇଲ ଦୂର ଷ୍ଟ୍ରେଚ୍‌ରରେ ବୁହାହେଉଛନ୍ତି ରୋଗୀ । ଆବାସ ଯୋଜନା ମିଳୁନଥିବା ହେତୁ ବର୍ଷ ବର୍ଷ ଧରି ଭଙ୍ଗା ଘରେ ଜୀବନ ବିତାଉଛନ୍ତି ଗ୍ରାମବାସୀ । ଅନେକ ବୃଦ୍ଧବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିପାରୁନି । ଅନେକ ବାର ଏନେଇ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରୁନାହିଁ ।

ଆଦିବାସୀ ଅଧୂଷିତ ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତର ପାହାଡ଼ ପର୍ବତ ଅଞ୍ଚଳ ମଧ୍ୟରେ ରହିଛି କୁଟୁଣିକୁଆଁ ଓ କୁଇହୁରୁ ଗାଁ । ଉଭୟ ଗ୍ରାମରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ କୁଇ କନ୍ଧ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି । ଦୁଇ ଗ୍ରାମବାସୀ ବର୍ଷ ବର୍ଷ ଧରି ସାଧାରଣ ମୌଳିକ ସୁବିଧା ପାଇବାରୁ ବଞ୍ôଚତ ହୋଇ ଦୁର୍ଦୀନରେ ଜୀବନ ଯାପନ କରୁଛନ୍ତି । ଗ୍ରାମବାସୀଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ଗମନାଗନମ, ପାନୀୟଜଳ, ସାମାଜିକ ଭତ୍ତା, ଆବାସ ମିଳିବା ସାତସପନ ପାଲଟିଛି । ମୋହନା ସଦର ମହକୁମା ଠାରୁ ମାତ୍ର ୫କିମି ଦୂରରେ ଅବସ୍ଥିତ ଥିବା ଏହି ଦୁଇ ଗାଁକୁ ଯିବାପାଇଁ ପକ୍କା ସଡ଼କଟିଏ ନାହିଁ । କାଦୁଅ ଭରା ମାଟି ରାସ୍ତାରେ ଦୈନିକ ଯାତାୟତ କରନ୍ତି ଗ୍ରାମବାସୀ । ପଣ୍ଡିକି ପଞ୍ଚାୟତର ଛାଟିକା ସାହି ଠାରୁ ମାତ୍ର ଦୁଇ କିଲୋମିଟର ଯିବା ପରେ ପଡ଼ିଥାଏ ଏହି ଗ୍ରାମ । ଗାଁକୁ ଯିବା ରାସ୍ତାରେ ପଡୁଛି ପାହାଡ଼ିଆ ଝରଣା ନାଳ । ନାଳ ଉପରେ ବ୍ରିଜଟିଏ ନଥିବା ହେତୁ ବିପଦପୂର୍ଣ୍ଣ ଭାବେ ନାଳ ଦେଇ ପାର ହେଉଛନ୍ତି ।

ଅଞ୍ଚଳର ରାଇପଦା, ହିକିରିକୁପା, କୁଟିଙ୍ଗପଦର, ଟିଟିମିରି ଓ ଡେଙ୍ଗାଆମ୍ବ ଭଲି ପ୍ରାୟ ୧୦ଖଣ୍ଡ ଗ୍ରାମବାସୀ ନିଜ ତେଲ ଲୁଣର ସଂସାର ପାଇଁ ଦୈନିକ ଏହି ନାଳ ଉପରେ ଦେଇ ଯାତାୟତ କରୁଛନ୍ତି । ବର୍ଷା ଦିନ ଆସିଲେ ନାଳର ଜଳସ୍ତର ବୃଦ୍ଧି ପାଇ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଏ । ସ୍ୱାସ୍ଥ୍ୟ ସେବା ପାଇଁ ଆଖପାଖରେ କୌଣସି ସୁବିଧା ନଥିବା ହେତୁ ରୋଗ ବେମାର ହେଲେ ଅନେକ ଚେରମୂଳ ଉପଚାର ଉପରେ ନିର୍ଭର କରିବାକୁ ପଡ଼େ । ଜରୁରୀ କାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ପହଞ୍ଚି ପାରୁନଥିବା ବେଳେ ଷ୍ଟ୍ରେଚ୍‌ରରେ ରୋଗୀଙ୍କୁ ବୁହାଯାଇଥାଏ । ବର୍ଷାଦିନେ ଗ୍ରାମକୁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡୁଛି ।

ଗାଁର ରାସ୍ତା ସମସ୍ୟା ସାଙ୍ଗକୁ କୌଣସି ନଳକୂପଟିଏ ନଥିବାରୁ ପାନୀୟ ଜଳ ପାଇଁ ଝରଣା ଓ ନାଳ ଉପରେ ନିର୍ଭର କରିବାକୁ ପଡ଼େ । ବର୍ଷ ବର୍ଷ ଧରି ଜଳକଷ୍ଟ ଭୋଗୁଥିବା କୁଇହୁରୁ ଗ୍ରାମବାସୀଙ୍କ ପାଇଁ ୨୦୧୮-୧୯ ବର୍ଷରେ ପଞ୍ଚାୟତ ତରଫରୁ ମନେରଗା ଯୋଜନାରେ ଏକ କୂପ ଖୋଳାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟରେ ଆସୁନାହିଁ । ଗାଁରେ ବସବାସ କରୁଥିବା ଅଧିକାଂଶ ମହିଳା ବିଧବା ଓ ବୁଢ଼ାବୁଢ଼ି ଥିବା ବେଳେ ସେମାନଙ୍କୁ ଆଜିଯାଏଁ ବିଧାବା ଭତ୍ତା ଓ ବାର୍ଦ୍ଧକ୍ୟ ଭତ୍ତା ମିଳୁପାରୁନି । ଏପରି ସ୍ଥଳେ ଦୁଇ ଗାଁକୁ ବିକାଶର ପାଦ କେବେ ପଡ଼ିବ ବୋଲି ପ୍ରଶ୍ନ ଉଠିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking