26.1 C
Bhubaneswar
Wednesday, May 8, 2024
Homeଓଡିଶାଚଣ୍ଡିଖୋଲ ବଜାର ଫୁଟପାଥର ପରିବା ବିକାଳୀ ଙ୍କ ପ୍ରତି ଅବିଚାର , ପ୍ରଶାସନ ର ନାଲି...

ଚଣ୍ଡିଖୋଲ ବଜାର ଫୁଟପାଥର ପରିବା ବିକାଳୀ ଙ୍କ ପ୍ରତି ଅବିଚାର , ପ୍ରଶାସନ ର ନାଲି ଆଖି ରେ ହତ ସନ୍ତ 

ଯାଜପୁର : ଜିଲ୍ଲାର ଚଣ୍ଡିଖୋଲ ବଜାରର ଜାତୀୟ ରାଜପଥ ଫୁଟପାଥରେ ଖରା ବର୍ଷାରେ ବସି ଆଖପାଖ ଅଞ୍ଚଳର ଲୋକଙ୍କୁ ସତେଜ ପରିବା ବିକ୍ରି କରି ସେଥିରୁ ଯାହା ଯେତିକି ଲାଭ ହୁଏ କିଛି ଗରିବ ଗୁରୁବା ଲୋକ ସେଥିରେ ନିଜ ପରିବାର ପ୍ରତିପୋଷଣ କରି ଆସୁଛନ୍ତି ! କିନ୍ତୁ ସେମାନଙ୍କୁ କେହି ନା କେହି ବାସ୍ତୁହରା କରିବାକୁ ନିରନ୍ତର ଉଦ୍ୟମ ଜାରି ରଖିଥିବା ମଧ୍ୟ ପରିଲକ୍ଷିତ ହୋଇ ଆସୁଛି ! ଯେତେବେଳେ ବି ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ଯ ହୁଏ ଅବା ଆଉ କେତେବେଳେ କାହାର କୌଣସି ସ୍ୱାର୍ଥରେ ଆଞ୍ଚ ଆସେ ପ୍ରଥମେ ପରିବା ବିକାଳୀଙ୍କୁ ଟାର୍ଗେଟ୍ କରାଯାଏ ! ସେମାନଙ୍କ ପାଇଁ କୌଣସି ବିକଳ୍ପ ସ୍ଥାନ ବ୍ୟବସ୍ଥା ନ କରି ସେମାନଙ୍କୁ ତାଙ୍କ ବେପାର ସ୍ଥାନରୁ ଉଚ୍ଛେଦ କରି ଦିଆଯାଏ ! ୟା ଭିତରେ ତ ସମସ୍ତଙ୍କ ଆଖି ସାମ୍ନାରେ ଅତି କମରେ ସେମାନଙ୍କୁ ପ୍ରାୟ ୧୦ ଥର ଉଚ୍ଛେଦ କରାଯାଇଛି । କିଛି ଦିନ ପରେ ସେମାନେ କର୍ମକୁ ଆଦରି ପୁଣି ନିଜ ବେପାର ଆରମ୍ଭ କରିଥାନ୍ତି; ହେଲେ କିଛି ମାସ ଯିବା ପରେ ପୁଣି ସେମାନଙ୍କୁ କୌଣସି ନା କୌଣସି ଆଳରେ ଉଚ୍ଛେଦ କରି ଦିଆଯାଏ । କେବଳ ସେତିକି ନୁହେଁ; ବଜାରରେ ଦୋଳ ମେଲଣରେ ମେଲୋଡି ଷ୍ଟେଜ, ଲକ୍ଷ୍ମୀ ପୂଜା ପେଣ୍ଡାଲ, ରାଜନୈତିକ ଓ ସରକାରୀ ସଭାମଞ୍ଚ ସେଇମାନଙ୍କ ବେପାର ସ୍ଥାନରେ ହିଁ କରିବାକୁ ସମସ୍ତେ ଅଧିକ ଆଗ୍ରହ ଦେଖାନ୍ତି । ତାହାଦ୍ଵାରା ବି ଅଧିକାଂଶ ସମୟରେ ସେମାନଙ୍କ ବେପାର ଉପରେ ଚଡ଼କ ପଡ଼ିଥାଏ ।

ସେହିଭଳି ଗତବର୍ଷ କରୋନା ସଂକ୍ରମଣ ଯୋଗୁଁ ଯେତେବେଳେ ଲକ୍ ଡାଉନ୍ କଟକଣା ଜାରି କରାଯାଇ ଥିଲା, ସେତେବେଳେ ସେହି ପରିବା ବିକାଳୀମାନଙ୍କୁ ନିଜ ସ୍ଥାନରୁ ଉଠାଇ ଦେଇ ପ୍ରଥମେ ସେଠାରୁ ପ୍ରାୟ ଅଧ କିଲୋମିଟର ଦୂରରେ ଥିବା ବିଲ ମଝିକୁ ପଠାଇ ଦିଆ ଯାଇଥିଲା । ବର୍ଷା ହୋଇ ସେଠାରେ କାଦୁଅ ହୋଇଯିବାରୁ ତା’ପରେ ସେମାନେ ଅଗତ୍ୟା ସେଇ ବିଲ ପାଖ ଏକ ଜାତୀୟ ରାଜପଥ ବାଇପାସ୍ କଡ଼ରେ ବସି ବେପାର କରିବାକୁ ବାଧ୍ୟ ହୋଇଥିଲେ । କଟକଣା ଉଠିବା ପରେ ସେମାନେ ପୁନଶ୍ଚ ବଜାର ମଧ୍ୟକୁ ଫେରି ଆସି ସେମାନଙ୍କ ପୂର୍ବ ସ୍ଥାନରେ ମାତ୍ର କିଛି ମାସ ବେପାର କରିଛନ୍ତି କି ନାହିଁ କରୋନାର ଦ୍ବିତୀୟ ଲହର ଆସିବା ଯୋଗୁଁ ସରକାର ଯେତେବେଳେ ପୁଣି ଲକ୍ ଡାଉନ୍ କଟକଣା ଜାରି କଲେ; ସେତେବେଳେ ସେହି ପରିବା ବିକାଳୀଙ୍କ ପାଇଁ ସଂକ୍ରମଣ ବ୍ୟାପୀ ଯିବ ବୋଲି ଦର୍ଶାଇ ସେମାନଙ୍କୁ ଆଗ ସେଠାରୁ ଉଠାଇ ଦେଇ ପୁଣି ସେଇ ଜାତୀୟ ରାଜପଥ ବାଇପାସ୍ କଡ଼ରେ ବସି ବେପାର କରିବାକୁ ରାସ୍ତା ଦେଖାଇ ଦିଆଗଲା । ହେଲେ ପ୍ରାୟ ପାଞ୍ଚ ଦିନ ହେଲାଣି ଲକ୍ ଡାଉନ୍ କଟକଣା କୋହଳ ହେଲାଣି- ଅଥଚ ସେମାନଙ୍କ ପୂର୍ବ ସ୍ଥାନକୁ ଫେରି ବେପାର କରିବାକୁ କିଏ କାହିଁକି ଯେ ସେମାନଙ୍କୁ ବାଡ଼ି ପକାଇ ଅଟକାଇ ରଖିଛି; ତାହା ପ୍ରଶ୍ନ ବାଚୀ ସୃଷ୍ଟି କରିଛି l ସେମାନେ ପରିବାର ପ୍ରତିପୋଷଣ କରିବେ କେମିତ ଓ ଚାଷୀ ମାନଙ୍କ ଉତୁପାଦିତ ପରିବା ବିକ୍ରି ହେବ ସେ କଥା ଜିଲ୍ଲା ପ୍ରଶାସନ ଓ ଜନ ପ୍ରତିନିଧି ଙ୍କ ଚିନ୍ତା ନାହିଁ ସେମାନଙ୍କ ପ୍ରତି ଅବିଚାର କାହିଁ କି ବୁଝା ପଡୁନି ? ସେମାନଙ୍କୁ ତ ନିଜ ପୂର୍ବ ସ୍ଥାନକୁ ଫେରି ବେପାର କରିବାକୁ ଦିଆ ଯାଉନି ଅନ୍ୟପଟେ ଲକ୍ ଡାଉନ୍ କଟକଣା ସମୟରେ ସେମାନେ ଯେଉଁ ସ୍ଥାନରେ ବସି ବେପାର କରୁଥିଲେ ସେମାନଙ୍କୁ ଏବେ ଆଉ ସେଠାରେ ବେପାର କରିବାକୁ ବାରଣ କରି ସେଠାରୁ ଆହୁରି ଦୁଇ ଶହ ମିଟର ଦୂର ଏକ ଅପନ୍ତରା ସ୍ଥାନ ସେଇ ଜାତୀୟ ରାଜପଥ ବାଇପାସ୍ କଡ଼କୁ ଉଠାଇ ଦେଇ କିଏ କଣ ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି ତାହା ଆଶ୍ଚର୍ଯ୍ୟ କରିଛି । ସେଥିପାଇଁ ସେହି ପରିବା ବିକାଳୀ ମାନେ ସେଠାରେ ଯେଭଳି ହିନସ୍ଥା ହେଉଛନ୍ତି ତାହା ଆଖିରେ ନ ଦେଖିଲେ କେହି ବିଶ୍ୱାସ କରି ପାରିବେନି । ଗୋଟିଏ ପଟେ ସେହି ସ୍ଥାନଟି ବଜାର ଠାରୁ ଅଧିକ ଦୂର ଏକ ବେଚ୍ଛପରି ସ୍ଥାନ ହୋଇ ଥିବାରୁ ଅଧିକ ଗ୍ରାହକ ସେଠାକୁ ଯାଉ ନ ଥିବାରୁ ସେମାନେ ଶସ୍ତା ମୂଲ୍ୟରେ ନିଜ ପନିପରିବା ବିକି ଆର୍ଥିକ କ୍ଷତି ସହୁଥିବା ବେଳେ ଅନ୍ୟପଟେ ଅଯଥାରେ ଜାତୀୟ ରାଜପଥର ବାଇପାସ୍ ରାସ୍ତାଟିରେ ମଧ୍ୟ ଗାଡ଼ି ଚଳାଚଳ ବ୍ୟାହତ ହେଉଛି । ସେମାନଙ୍କୁ ଏତେ ହିନସ୍ଥା ମଧ୍ୟରେ ରଖି ସେମାନଙ୍କଠାରୁ ପଞ୍ଚାୟତ ପକ୍ଷରୁ କିନ୍ତୁ ଦୈନିକ ମହାସୁଲ ଆଦାୟ ହେବା ଛାଡ଼ ନାହିଁ । ପଞ୍ଚାୟତ ପକ୍ଷରୁ ଯଦି ସେମାନଙ୍କ ପାଇଁ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନ ଯୋଗାଇ ଦେଇ ପାରୁନି ତ ଜାତୀୟ ରାଜପଥ ଉପରେ ବସି ବେପାର କରୁଥିବା ବେପାରୀଙ୍କଠାରୁ କେଉଁ ଅଧିକାରରେ ମହାସୁଲ ଆଦାୟ ହେଉଛି ତାହା ବି ଆହୁରି ଆଶ୍ଚର୍ଯ୍ୟ କରିଛି । ଅନ୍ୟପକ୍ଷରେ ଯିଏ ୬ ଥର ବିଧାୟକ ହୋଇ ଆସିଛନ୍ତି ତାଙ୍କ ଆଖିକୁ ଯଦି ଏହି ପରିବା ବିକାଳୀମାନଙ୍କ ସମସ୍ୟା ଦେଖା ଯାଉନି ଏବଂ ସେମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ତାଙ୍କର ମନ ବଳୁ ନାହିଁ ତ ସିଏ ନିଜକୁ ବଡ଼ଚଣା ବିକାଶର ସାରଥୀ ବୋଲି କେଉଁ ମୁହଁରେ ତେବେ ବହାସ୍ଫୋଟ ମାରୁଛନ୍ତି; ତାହା କାହିଁ ବୁଝା ପଡୁନି ତ ? ଲକ୍ ଡାଉନ୍ କଟକଣା କୋହଳ ହେବାପରେ ଯଦି ଯାଜପୁର ଜିଲ୍ଲାର ସମସ୍ତ ହାଟ ବଜାର ସ୍ବାଭାବିକ ସ୍ଥିତିକୁ ଫେରି ପାରିଲା ତ ଚଣ୍ଡିଖୋଲ ପରିବା ବିକାଳୀଙ୍କ ପ୍ରତି ଏମିତି ସାବତ ସନ୍ତାନ ପରି ବ୍ୟବହାର ତେବେ କାହା ସ୍ୱାର୍ଥରେ ?

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking