37.1 C
Bhubaneswar
Saturday, May 18, 2024
Homeଖେଳଡୁପ୍ଲେସିସ୍‌ଙ୍କ ଅର୍ଦ୍ଧଶତକ; ୪ ୱିକେଟ୍‌ରେ ହାରିଲା ଗୁଜରାଟ ଟାଇଟନ୍ସ; ବେଙ୍ଗାଲୁରୁର ଲଗାତାର ତୃତୀୟ ବିଜୟ

ଡୁପ୍ଲେସିସ୍‌ଙ୍କ ଅର୍ଦ୍ଧଶତକ; ୪ ୱିକେଟ୍‌ରେ ହାରିଲା ଗୁଜରାଟ ଟାଇଟନ୍ସ; ବେଙ୍ଗାଲୁରୁର ଲଗାତାର ତୃତୀୟ ବିଜୟ

ବେଙ୍ଗାଲୁରୁ: ଗୁଜରାଟ ଟାଇଟନ୍ସକୁ ୪ ୱିକେଟ୍‌ରେ ହରାଇ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚଳିତ ଆଇପିଏଲ୍ ସିଜନ୍‌ରେ ଲଗାତାର ତୃତୀୟ ବିଜୟ ହାସଲ କରିଛି । ଏହି ବିଜୟ ସହିତ ବେଙ୍ଗାଲୁରୁ ନିମ୍ନରୁ ସପ୍ତମ ସ୍ଥାନକୁ ଉଠି ପ୍ଲେଅଫ୍ ଆଶା ଉଜ୍ଜୀବିତ ରଖିଛି । ଅନ୍ୟପକ୍ଷରେ ନବମ ସ୍ଥାନକୁ ଖସିଥିବା ଗୁଜରାଟର ଅଡ଼ୁଆ ବୃଦ୍ଧି ପାଇଛି । ସ୍ଥାନୀୟ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ସିଜନ୍‌ର ୫୨ତମ ମ୍ୟାଚ୍‌ରେ ଟସ୍ ଜିତି ବେଙ୍ଗାଲୁରୁ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଗୁଜରାଟ ୧୯.୩ ଓଭର୍‌ରେ ୧୪୭ ରନ୍ କରି ଅଲ୍‌ଆଉଟ୍ ହୋଇଥିଲା । ଜବାବରେ ବେଙ୍ଗାଲୁରୁ ୧୩.୪ ଓଭର୍‌ରେ ୬ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା । ରଶିଦ୍ ଖାନ୍‌ଙ୍କ ବିପକ୍ଷରେ ସ୍ୱପ୍ନିଲ୍ ସିଂହ ବିଜୟୀ ଛକା ମାରିଥିଲେ । ଦୁଇଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିବା ମହମ୍ମଦ ସିରାଜ୍ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ହୋଇଛନ୍ତି ।

୧୪୮ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଆର୍‌ସିିବି ପକ୍ଷରୁ ବିରାଟ କୋହଲି ଓ କ୍ୟାପ୍‌ଟେନ୍ ଫାଫ୍ ଡୁପ୍ଲେସିସ୍ ଜୋରଦାର ଆରମ୍ଭ କରିଥିଲେ । ଉଭୟଙ୍କ ମଧ୍ୟରେ ୯୨ ରନ୍‌ର ଭାଗୀଦାରୀ ହୋଇଥିଲା । ତେବେ ପାୱାର୍‌ପ୍ଲେର ଅନ୍ତିମ ଓଭର୍‌ର ପଞ୍ଚମ ବଲ୍‌ରେ ଟିମ୍‌କୁ ପ୍ରଥମ ପ୍ରଥମ ଧକ୍କା ଲାଗିଥିଲା । ଫାଫ୍ ଡୁପ୍ଲେସିସ୍ ୬୪ ରନ୍ କରି ଜୋଶୁଆ ଲିଟିଲ୍‌ଙ୍କ ବଲ୍‌ରେ ଶାହରୁଖ୍ ଖାନ୍‌ଙ୍କୁ କ୍ୟାଚ୍ ଦେଇ ଫେରିଥିଲେ । ସିଜନ୍‌ର ତୃତୀୟ ଅର୍ଦ୍ଧଶତକ ହାସଲ କରିଥିବା ଡୁପ୍ଲେସିସ୍‌ଙ୍କ ୨୩ ବଲ୍‌ର ଇନିଂସ୍‌ରେ ୧୦ ଚୌକା ଓ ୩ ଛକା ସାମିଲ ଥିଲା । ପରବର୍ତ୍ତୀ ଓଭର୍‌ରେ ଶାହରୁଖ୍ ଖାନ୍‌ଙ୍କ ହାତରେ ୱିଲ୍ ଜ୍ୟାକ୍ସ (୧)ଙ୍କୁ କ୍ୟାଚ୍ କରାଇ ନୁର୍ ଅହମଦ୍ ପ୍ୟାଭିଲିୟନ୍ ରାସ୍ତା ଦେଖାଇଥିଲେ । ସପ୍ତମ ଓଭର୍‌ର ୩ୟ ବଲ୍‌ରେ ଇମ୍ପାକ୍ଟ ପ୍ଲେୟର୍ ରଜତ ପାଟିଦାର (୨) ଓ ଗ୍ଲେନ୍ ମାକ୍ସୱେଲ୍‌(୪)ଙ୍କୁ ଡେଭିଡ୍ ମିଲର୍‌ଙ୍କ ହାତରେ ଲିଟିଲ୍ କ୍ୟାଚ୍ କରାଇଥିଲେ । କାମେରନ୍ ଗ୍ରୀନ୍ ୧ ରନ୍ କରିଥିବା ବେଳେ ଲିଟିଲ୍‌ଙ୍କ ଚତୁର୍ଥ ଶିକାର ହୋଇଥିଲେ । ଏହାପରେ ବିରାଟ କୋହଲି ନୁର୍ ଅହମଦ୍‌ଙ୍କ ବଲ୍‌ରେ ୱିକେଟ୍ ପଛରେ ଧରାପଡ଼ି ଫେରିଥିଲେ । କୋହଲି ୨୭ ବଲ୍‌ରେ ଦୁଇ ଚୌକା ଓ ଚାରି ଛକା ସହାୟତାରେ ୪୨ ରନ୍ କରିଥିଲେ । କୋହଲିଙ୍କ ଆଉଟ୍ ବେଳକୁ ଟିମ୍ ୧୦.୪ ଓଭର୍‌ରେ ୬ ୱିକେଟ୍ ହରାଇ ୧୧୭ ରନ୍ ହୋଇଥିଲା । ବିଜୟ ପାଇଁ ୩୧ ରନ୍‌ର ଆବଶ୍ୟତା ଥିବାବେଳେ ୱିକେଟ୍‌କିପର୍ ଦିନେଶ କାର୍ତ୍ତିକ (୨୧) ଓ ସ୍ୱପ୍ନିଲ୍ ସିଂହ (୧୫) ୩୫ ରନ୍ ଯୋଗ କରିଥିଲେ । ଗୁଜରାଟ ପକ୍ଷରୁ ଲିଟିଲ୍ ୪ଟି ଏବଂ ନୁର୍ ଅହମଦ ୨ଟି ୱିକେଟ୍ ନେଇଥିଲେ ।

ପୂର୍ବରୁ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଗୁଜରାଟ ଟାଇଟନ୍ସକୁ ମହମ୍ମଦ ସିରାଜ୍ ଆରମ୍ଭରୁ ଦୁଇଟି ବଡ଼ ଝଟ୍‌କା ଦେଇଥିଲେ । ସେ ଦୁଇ ଓପ୍ନର୍ ରିଦ୍ଧିମାନ ସାହା (୧) ଓ ଶୁଭମନ୍ ଗିଲ୍ (୨)ଙ୍କୁ ମାତ୍ର ୧୦ ରନ୍‌ର ସ୍କୋର୍ ମଧ୍ୟରେ ପ୍ୟାଭିଲିୟନ୍ ଫେରାଇଥିଲେ । ଏହାପରେ କାମେରନ୍ ଗ୍ରୀନ୍ ସାଇ ସୁଦର୍ଶନ(୬)ଙ୍କୁ ବିରାଟ କୋହଲିଙ୍କ ହାତରେ କ୍ୟାଚ୍ କରାଇଥିଲେ । ଗୁଜରାଟ ୧୯ ରନ୍‌ରେ ୩ ୱିକେଟ୍ ହରାଇଥିବା ବେଳେ ଶାହରୁଖ୍ ଖାନ୍ ଓ ଡେଭିଡ୍ ମିଲର୍ ଇନିଂସ୍ ସମ୍ଭାଳି ୬୧ ରନ୍‌ର ଭାଗୀଦାରି କରିଥିଲେ । ତେବେ ମାକ୍ସୱେଲ୍‌ଙ୍କ ହାତରେ ମିଲର୍‌ଙ୍କୁ କ୍ୟାଚ୍ କରାଇ କର୍ଣ୍ଣ ଶର୍ମା ଯୋଡ଼ିରେ ବ୍ରେକ୍ ଲଗାଇବା ପରେ କୋହଲିଙ୍କ ଦ୍ୱାରା ଶାହରୁଖ୍ ରନ୍‌ଆଉଟ୍ ହୋଇଥିଲେ ।

ଶାହରୁଖ୍ ୨୪ ବଲ୍‌ରେ ୫ ଚୌକା ଓ ଗୋଟିଏ ଛକା ସହାୟତାରେ ୩୭ ଏବଂ ମିଲର୍ ୨୦ ବଲ୍‌ରେ ୩ ଚୌକା ଓ ଦୁଇ ଛକା ବଳରେ ୩୦ ରନ୍ କରିଥିଲେ । ଏହାପରେ ରାହୁଲ ତେୱତିଆ ଓ ରଶିଦ୍ ଖାନ୍ ୪୪ ରନ୍‌ର ଭାଗୀଦାରି କରି ଟିମ୍‌ର ସ୍କୋର୍ ୧୦୦ ରନ୍ ପାର କରାଇଥିଲେ । ମାତ୍ର ୧୭ତମ ଓଭର୍‌ର ତୃତୀୟ ବଲ୍‌ରେ ରଶିଦ୍ ଖାନ୍‌ଙ୍କୁରେ ୟଶ୍ ଦୟାଲ୍ ବୋଲ୍ଡ କରିବା ପରେ ତେୱତିଆଙ୍କୁ ବୈଶାକଙ୍କ ହାତରେ କ୍ୟାଚ୍ କରାଇଥିଲେ । ତେୱତିଆ ୨୧ ବଲ୍‌ରୁ ୫ ଚୌକା ଓ ଗୋଟିଏ ଛକା ବଳରେ ୩୫ ରନ୍ ଏବଂ ରଶିଦ୍ ୧୪ ବଲ୍‌ରେ ୧୮ ରନ୍ କରିଥିଲେ । ଶେଷ ଓଭର୍‌ରେ ତିନିଟି ୱିକେଟ୍‌ର ପତନ ଘଟିଥିଲା । ବିଜୟ କୁମାର ବୈଶାକ ପ୍ରଥମ ଓ ତୃତୀୟ ବଲ୍‌ରେ ମାନବ ସୂତାର(୧) ଓ ବିଜୟ ଶଙ୍କର(୧୦)ଙ୍କୁ ଆଉଟ୍ କରିଥିବା ବେଳେ ମୋହିତ ଶର୍ମା (୦) ରନ୍‌ଆଉଟ୍ ହୋଇଥିଲେ । ଫଳରେ ୧୯.୩ ଓଭର୍‌ରେ ଗୁଜରାଟ ୧୪୭ ରନ୍ କରି ଅଲ୍‌ଆଉଟ୍ ହୋଇଥିଲା । ଆର୍‌ସିବି ପକ୍ଷରୁ ସିରାଜ୍‌, ଜୟାଲ୍ ଓ ବୈଶାକ ଦୁଇଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଗ୍ରୀନ୍ ଓ କର୍ଣ୍ଣଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking