27.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶଜାତିସଂଘ ରିପୋର୍ଟ : ଆଫଗାନିସ୍ତାନରେ ଲସ୍କର୍ ଓ ଜୈସ୍‌ର ଶତାଧିକ ଯୋଦ୍ଧା ଓ ୧୧ କ୍ୟାମ୍ପ୍...

ଜାତିସଂଘ ରିପୋର୍ଟ : ଆଫଗାନିସ୍ତାନରେ ଲସ୍କର୍ ଓ ଜୈସ୍‌ର ଶତାଧିକ ଯୋଦ୍ଧା ଓ ୧୧ କ୍ୟାମ୍ପ୍ ମହଦୁଜ

ନୂଆଦିଲ୍ଲୀ: ପାକିସ୍ତାନ ଆଧାରିକ ଲସ୍କର-ଇ-ତୋଏବା ଏବଂ ଜୈସ୍‌-ଇ-ମହମ୍ମଦର ଶତାଧିକ ଆତଙ୍କବାଦୀ ଏବେ ବି ଆଫଗାନିସ୍ତାନରେ ରହିଛନ୍ତି ବୋଲି ଜାତିସଂଘର ଏକ ନୂଆ ରିପୋର୍ଟରେ ପ୍ରକାଶ ପାଇଛି । ଏହା ସହିତ ଏହି ଉଭୟ ସଂଗଠନର ଦେଶର କୁନାର୍ ଓ ନାଙଗରହାର୍ ପ୍ରଦେଶରେ ଅତିକମ୍‌ରେ ୧୧ଟି ଆତଙ୍କବାଦୀ ଟ୍ରେନିଂ କ୍ୟାମ୍ପ୍ ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି । ଆଫଗାନିସ୍ତାନର ତାଲିବାନ ସରକାର ଉପରେ ଜାତିସଂଘ ସୁରକ୍ଷା ପରିଷଦର କଟକଣା ମନିଟରିଂ କରୁଥିବା ଟିମ୍ ଦ୍ୱାରା ପ୍ରସ୍ତୁତ ରିପୋର୍ଟରେ ସଦ୍ୟତମ କୁହାଯାଇଛି, ତେହରିକ୍‌-ଇ-ପାକିସ୍ତାନ (ଟିଟିପି)ର ସହସ୍ରାଧିକ ଆତଙ୍କୀ ଆଫଗାନିସ୍ତାନରେ ଉପସ୍ଥିତ ଅଛନ୍ତି, ଯାହା ମଧ୍ୟରେ ସର୍ବାଧିକ ବିଦେଶୀ ଆତଙ୍କବାଦୀ ସାମିଲ । ଗତ କିଛିମାସ ଧରି ଉତ୍ତର-ଦକ୍ଷିଣାଞ୍ଚଳ ପାକିସ୍ତାନରେ ଘଟିଆସୁଥିବା ଆତଙ୍କବଦୀ ଆକ୍ରମଣ ପାଇଁ ଟିଟିପିକୁ ଦାୟୀ କରାଯାଇଛି ।

ଗତବର୍ଷ ଅଗଷ୍ଟରେ କାବୁଲ୍ କବ୍‌ଜା କରିବା ପରଠାରୁ ଜାତିସଂଘ ସୁରକ୍ଷା ପରିଷଦର ୧୯୮୮ କଟକଣା କମିଟିକୁ ସହାୟତା କରୁଥିବା ମନିଟରିଂ ଟିମ୍‌ର ଏହା ପ୍ରଥମ ରିପୋର୍ଟ । ରିପୋର୍ଟ ଅନୁସାରେ ଆଫଗାନିସ୍ତାନରେ ଜୈସ୍ ଓ ଲସ୍କର୍ ପ୍ରତ୍ୟେକ ସଂଗଠନର ଶତାଧିକ ଆତଙ୍କବାଦୀ ଆଫଗାନିସ୍ତାନରେ ଥିବାବେଳେ ଜୈଶ ନଙ୍ଗରହାର୍ ପ୍ରଦେଶରେ ଆଠଟି ଟ୍ରେନିଂ କ୍ୟାମ୍ପ୍ ଚଳାଉଛି, ଯାହା ମଧ୍ୟରୁ ତିନିଟି ଉପରେ ତାଲିବାନର ସିଧା ନିୟନ୍ତ୍ରଣ ରହିଛି । ତେବେ ଏହି କ୍ୟାମ୍ପ୍‌ଗୁଡ଼ିକର ଅବସ୍ଥିତି ଏବଂ ପ୍ରତ୍ୟେକ କ୍ୟାମ୍ପ୍‌ରେ ଥିବା ଆତଙ୍କବାଦୀଙ୍କ ସଂଖ୍ୟା ସମ୍ପର୍କରେ କୌଣସି ତଥ୍ୟ ମିଳିନାହିଁ। ୧୯୯୦ରେ ଆଫଗାନିସ୍ତାନରେ ଜନ୍ମ ନେଇଥିବା ଲସ୍କର୍ ଇ ତୋଇବାର କୁନାର୍ ଏବଂ ନଙ୍ଗହାର୍ ପ୍ରଦେଶରେ ତିନଟି ଟ୍ରେନିଂ କ୍ୟାମ୍ପ୍ ଥିବାବେଳେ ଆଫଗାନ୍ ତାଲିବାନ୍ ନେତାଙ୍କ ସହ ଏହି ଗ୍ରୁପ୍‌ର ନିବିଡ଼ତା ରହିଛି । ଲସ୍କର୍ ନେତା ମାଓଲାୱି ଅସାଦୁଲ୍ଲା ୨୦୨୧ ଅକ୍ଟୋବରରେ ତାଲିମାନର ଉପମନ୍ତ୍ରୀ ନୁର୍ ଜଲିଲ୍‌କୁ ଭେଟିଥିବା ରିପୋର୍ଟରେ ଦର୍ଶାଯାଇଛି । ସେହିପରି ଚଳିତ ବର୍ଷ ଜାନୁଆରୀରେ ଏକ ତାଲିବାନ ପ୍ରତିନିଧିମଣ୍ଡଳୀ ନାଙ୍ଗରହାର୍ ପ୍ରଦେଶର ହାସ୍କା ମୀନା ଜିଲ୍ଲାରେ ଥିବା ଲସ୍କର୍‌ର ଏକ ଟ୍ରେନିଂ କ୍ୟାମ୍ପ୍ କରିଦର୍ଶନରେ ଯାଇଥିଲା ।

ଆଫଗାନିସ୍ତାନ ମଧ୍ୟରେ ଲସ୍କର୍‌-ଇ-ତୋଇବା ମାଓଲାୱି ୟୁସୁଫ୍ ନେତୃତ୍ୱରେ ପରିଚାଳିତ ହେଉଥିବା ବେଳେ ଇସ୍‌ମାଲିକ୍ ଷ୍ଟେଟ୍ (ଆଇଏସ୍‌ଆଇଏସ୍‌) ଖୁରାସନ୍‌ର ଅସ୍‌ଲାମ୍ ଫାରୁକି ଓ ଏଜାଜ୍ ଅହମ୍ମଦ ଅହାଙ୍ଗର ଓରଫ୍ ଅବୁ ଉସ୍‌ମାନ୍ ଅଲ୍‌-କଶ୍ମୀରୀ ଲସ୍କର୍‌ରେ ସାମିଲ ହୋଇଥିଲେ । ୨୦୨୦ ମାର୍ଚ୍ଚରେ କାବୁଲ୍‌ସ୍ଥିତ ଗୁରୁଦ୍ୱାରା ଆକ୍ରମଣରେ ଫାରୁକି ଦାୟୀ ଥିଲା । ଏହି ଆକ୍ରମଣରେ ୨୫ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ଅବଶ୍ୟ ପରେ ଫାରୁକି ଆଫଗାନ୍ ସ୍ପେଶାଲ୍ ଫୋର୍ସ ହାତରେ ଧରାପଡ଼ିଥିଲା । ତେବେ ଗତବର୍ଷ ତାଲିବାନ୍ କାବୁଲ୍ ଅଧିକାର କରିବା ସମୟରେ ଜେଲ୍‌ରୁ ଖସି ପଳାଇଥିଲା । ଜାନୁଆରୀରେ ଆଫଗାନିସ୍ତାନରେ ଘଟିଥିବା ଗୁଳିକାଣ୍ଡରେ ତା’ର ମୃତ୍ୟୁ ଘଟିଛି ବୋଲି କେତେକ ରିପୋର୍ଟରେ କୁହାଯାଇଛି ।

ରିପୋର୍ଟ ଅନୁସାରେ ମାସୁଦ୍ ଆଝାର୍ ନେତୃତ୍ୱରେ ପରିଚାଳିତ ଏକ ଦେଓବନ୍ଦ ଗ୍ରୁପ୍ ଜୈସ୍‌-ଇ-ମହମ୍ମଦର ବିଚାରଧାରା ତାଲିବାନ ସହ ମେଳ ଖାଇଥାଏ। କ୍ୱାରି ରାମଜାନ୍ ନୂତନ ଭାବେ ଏହି ଗ୍ରୁପ୍‌ର ଆଫଗାନିସ୍ତାନ ମୁଖ୍ୟ ଭାବେ ନିଯୁକ୍ତ ହୋଇଛି । କାଠମାଣ୍ଡୁରୁ ପାକିସ୍ତାନୀ ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ଇଣ୍ଡିଆନ୍ ଏୟାର୍‌ଲାଇନ୍ସର ଯାତ୍ରୀଙ୍କ ବଦଳରେ ଅନ୍ୟ ଦୁଇଜଣ ଆତଙ୍କବାଦୀଙ୍କ ସହ ମୁକ୍ତ ହୋଇଥିବା ଆଝାର୍ ୨୦୦୦ ମସିହାରେ ଜୈସ୍ ସଂଗଠନ ଗଠନ କରିଥିଲା । ଆଫଗାନିସ୍ତାନ ମାଟିର ବ୍ୟବହାର ପାଇଁ କୌଣସି ବିଦେଶୀ ଆତଙ୍କବାଦୀଙ୍କୁ ଅନୁମତି ଦିଆଯିବ ନାହିଁ ବୋଲି ତାଲିବାନ କହୁଥିଲେ ମଧ୍ୟ ଜାତିସଂଘ ରିପୋର୍ଟ ଅନୁସାରେ ସେଠାରେ ଇଷ୍ଟର୍ଣ୍ଣ ତର୍କିସ୍ ଇସ୍‌ଲାମିକ୍ ମୁଭ୍‌ମେଣ୍ଟ୍ (ଇଟିଆଇଏମ୍‌), ଇସ୍‌ଲଶମିକ୍ ମୁଭ୍‌ମେଣ୍ଟ୍ ଅଫ୍ ଉଜ୍‌ବେକିସ୍ତାନ ଏବଂ ଜମାତ୍ ଅନ୍‌ସାରୁଲ୍ଲାହ ସମେତ ବହୁ ବିଦେଶୀ ଆତଙ୍କବାଦୀ ସଂଗଠନ ଏବେ ବି ସକ୍ରିୟ ଅଛନ୍ତି ।

ପ୍ରତ୍ୟେକ ସଂଗଠନର କିଛି ଶହ ଆତଙ୍କବାଦୀ ଆଫଗାନିସ୍ତାନରେ ଅଛନ୍ତି । ମନିଟରିଂ ଟିମ୍‌ର ପୂର୍ବ ରିପୋର୍ଟ ଅନୁସାରେ ଜୈସ୍ ଓ ଲସ୍କର୍ ସଂଗଠନ ଚୋରାରେ ଆଫଗାନିସ୍ତାନକୁ ଆତଙ୍କବାଦୀ ଆଣିବାରେ ସହାୟତା କରୁଛି ଏବଂ ସେମାନେ ଆଡ୍‌ଭାଇଜର୍‌, ଟ୍ରେନର୍ ଏବଂ ଆଇଇଡି ସ୍ପେଶାଲିଷ୍ଟ୍ ଭାବେ କାମ କରୁଛନ୍ତି । ଉଭୟ ଗୋଷ୍ଠୀ ସରକାରୀ କର୍ମଚାରୀ ଏବଂ ଅନ୍ୟମାନଙ୍କ ଟାର୍ଗେଟ୍ ହତ୍ୟାରେ ଦାୟୀ ଥିବା ମନିଟରିଂ ଟିମ୍ କହିଛି । ଅତୀତରେ ଜୈସ୍ ଓ ଲସ୍କର୍ ଆତଙ୍କବାଦୀଙ୍କୁ ନାଙ୍ଗରହାର ପ୍ରଦେଶର ମହମ୍ମଦ ଦାରାହ, ଡୁର୍ ବାବା ଏବଂ ଶେରଜାଦ୍ ଅଞ୍ଚଳରେ ତାଲିବାନୀ ଫୋସ୍‌ର୍ ସହିତ ଦେଖିବାକୁ ମିଳିଥିଲା । ସେହିପରି କୁନାର୍ ପ୍ରଶେରେ ଉଭୟ ଗୋଷ୍ଠୀ ସେମାନଙ୍କ ଆତଙ୍କବାଦୀଙ୍କୁ ତାଲିବାନ ଫୋର୍ସରେ ସାମିଲ କରାଇଥିବା ଖବର ରହିଛି । ନୂଆ ରିପୋର୍ଟରେ କୁହାଯାଇଛି ଯେ ତାଲିବାନ୍‌ର କ୍ଷମତା ଦଖଲକୁ ଅଲ୍‌କାଏଦା ନୂଆ ନିଯୁକ୍ତ ଏବଂ ଫଣ୍ଡିଂ ପାଇଁ ବ୍ୟବହାର କରୁଛି । ପୂର୍ବରୁ ଅଲ୍‌କାଏଦା ଆଫଗାନିସ୍ତାନକୁ ସୁରକ୍ଷାର ନୂଆ ସ୍ୱର୍ଗ ଭାବେ ମଣୁଥିବା ବେଳେ ଏବେ ତାଲିବାନ ଶାସନ ସେମାନଙ୍କ ଉପସ୍ଥିତି ବଜାୟ ରଖିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି ବୋଲି ରିପୋର୍ଟରେ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking